କଟକ ୧୭/୦୪: ଦୀର୍ଘ ଦିନର ବ୍ୟବଧାନ ପରେ କଟକ କମିସରେଟ୍ ପୋଲିସ ଏନ୍କାଉଣ୍ଟର କରିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅଞ୍ଚଳରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ । ପୋଲିସ ଗୁଳିରେ ଆହତ ଅଭିଯୁକ୍ତ ଦ୍ୱୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ ।
ଡକାୟତି, ଲୁଟ୍ପାଟ ଭଳି ଏକାଧିକ ସଙ୍ଗିନ୍ ମାମଲାରେ ଜଡ଼ିତ ଥିବା କଟାସ ଓ ଜୁବୁଲାକୁ ଧରିବା ପାଇଁ ପୁଲିସ ପିଛା କରୁଥିବା ବେଳେ ଚୌଦ୍ୱାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଅପରାଧୀ ପୋଲିସକୁ ଆକ୍ରମଣ କରିଥିଲେ । ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଏସ୍ସିବି ଟ୍ରମା କେୟାର୍ରେ ଭର୍ତ୍ତି କରାଯାଇଛି ।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସିପି ଅରୁଣ ସ୍ୱାଇଁ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏସ୍ସିବିରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛନ୍ତି । ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । କଟାସ ଓ ଜୁବୁଲା ବିରୋଧରେ ରାହାଜାନୀ ଠାରୁ ଆରମ୍ଭ କରି ଡକାୟତି, ଛିନ୍ତାଇ, ହତ୍ୟା, ବୋମାମାଡ଼ ଉଦ୍ୟମ ଭଳି ସଙ୍ଗିନ ମାମଲା କଟକ କମିସନରେଟ୍ ସମେତ ବିଭିନ୍ନ ଜିଲ୍ଲାରେ ରହିଛି ।
କଟକରେ ଗତ କିଛିଦିନ ହେଲା କିଛି ଗ୍ୟାଙ୍ଗଷ୍ଟର୍ ସହଯୋଗୀ ନିଜର ପତିଆରା ବୃଦ୍ଧି ପାଇଁ ମୁଣ୍ଡ ଟେକିଛନ୍ତି । ନିଜର ଦୁର୍ଗ ଗଠନ କରି ବାଲି ମାଫିଆ, ଠିକାଦାରଙ୍କୁ ଭୟଭୀତ କରି ସେମାନେ ବଟି ଆଦାୟ କରୁଥିବା କମିସନରେଟ୍ ପୁଲିସ ପାଖରେ ଖବର ରହିଛି । ପୋଲିସ ଏ ସଂପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଦେଉ ନ ଥିବା ବେଳେ ପୋଲିସ ଗୁଳିରେ ଘାଇଲା ହୋଇଥିବା ଦୁଇ ଅଭିଯୁକ୍ତ କମିସନରେଟ୍ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଅଭିଯୁକ୍ତ କଟାସ ଓ ଜୁବୁଲାଙ୍କ ପାଖରେ ବନ୍ଧୁକ, ଗୁଳି ଆଦି ମାରଣାସ୍ତ୍ର ଥିବା ପୁଲିସ ସୂଚନା ପାଇଥିଲା । ଡିସିପିଙ୍କ ନିର୍ଦ୍ଦେଶରେ କଟକ କମିସନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ ସେମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଚଳାଇଥିଲା ।
ସୂଚନା ଥାଉକି, ୨୦୨୩ ମସିହା ସେପ୍ଟେମ୍ବର ମାସରେ ଶେଷ ଥର ପାଇଁ କଟକ କମିସନରେଟ୍ ପୋଲିସ ଏନ୍କାଉଣ୍ଟର କରିଥିଲା । ତତ୍କାଳୀନ ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସଦର ଥାନା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ଭାଣପୁରର ମନୋଜ ମହାରଣା ଓରଫ ମଙ୍ଗୁକୁ ଏନ୍କାଉଣ୍ଟର କରିଥିଲା । ମତ୍ତଗଜପୁର ଠାରେ ଜଣେ ସୁନା ଅଳଙ୍କାର ଦୋକାନୀଙ୍କୁ ଲୁଟ୍ ମାମଲାରେ ମଙ୍ଗୁ ପୋଲିସ କବ୍ଜାରୁ ଖସି ପଳାଉଥିବା ବେଳେ ଏନ୍କାଉଣ୍ଟରର ଶିକାର ହୋଇଥିଲା ।
ଏହା ପୂର୍ବରୁ ମଧ୍ୟ ମଙ୍ଗୁକୁ ପୋଲିସ ଏନ୍କାଉଣ୍ଟର କରିଥିଲା । ଅନ୍ୟପକ୍ଷରେ ଗତ ୩ ମାସ ହେଲାଣି ଭୁବନେଶ୍ୱର କମିସନରେଟ୍ ପୁଲିସ ଏନ୍କାଉଣ୍ଟର୍ କରୁଛି । ଇତିମଧ୍ୟରେ ଭୁବନେଶ୍ୱରରେ ୪ଟି ଏନ୍କାଉଣ୍ଟର ହୋଇସାରିଲାଣି । ଫେବ୍ରୁଆରି ୧୬ ରାତିରେ ମଧ୍ୟପ୍ରଦେଶ ଧର୍ ଗ୍ୟାଙ୍ଗ୍ର ଅର୍ଜୁନକୁ ପୋଲିସ ଗୁଳି କରିଥିଲା । ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟ୍ରୁ ସିରିଜ୍ ଲୁଟ୍ କରି ଅର୍ଜୁନ ଗ୍ୟାଙ୍ଗ୍ ପୋଲିସକୁ ନାକେଦମ କରିଥିଲା ।
ଏହାପରେ ମାର୍ଚ୍ଚ ୮ ତାରିଖ ରାତିରେ ବିହାରର କୁଖ୍ୟାତ ଅପରାଧୀ ଦୀପକ କୁମାର ଏବଂ ଗତ ୩ ତାରିଖରେ ଦୁଇ ବିହାରୀ ଲୁଟେରା ମନିଷ ଯାଦବ ଓ ସୋନୁ ଯାଦବ ପୁଲିସ ଗୁଳିରେ ଆହତ ହୋଇଥିଲେ । ସେହିପରି ଗତ ଶୁକ୍ରବାର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ନିଶା ବେପାରୀ ଜାମସେଦ୍କୁ ଏନ୍କାଉଣ୍ଟର କରିଥିଲା । ଭୁବନେଶ୍ୱର ସହ ତାଳଦେଇ କଟକ କମିସନରେଟ୍ ପୁଲିସ ଏନ୍କାଉଣ୍ଟର ଆରମ୍ଭ କରିଥିବାରୁ ଅପରାଧୀଙ୍କ ମଧ୍ୟରେ ଛନକା ପଶିଛି ।
କମିସନରେଟ୍ ପୋଲିସ ପ୍ରତିଷ୍ଠା ଦିନଠାରୁ ଅର୍ଥାତ୍ ୨୦୦୮ରୁ ଅଦ୍ୟାବଧି ୪୦ରୁ ଅଧିକ ଏନ୍କାଉଣ୍ଟର ହୋଇଛି । ତେବେ ଡିସିପି ଅଖିଳେଶ୍ୱର ସିଂହଙ୍କ ଅମଳରେ ସର୍ବାଧିକ ୨୭ ଥର ଏନ୍କାଉଣ୍ଟର୍ ହୋଇଥିଲା । ଏମିତିକି ଦୁଇ ଜଣ ଅପରାଧୀଙ୍କୁ ଦୁଇ ଦୁଇ ଥର ଗୁଳିମାଡ଼ କରାଯାଇଥିଲା । ଅଖିଳେଶ୍ୱରଙ୍କ ପୂର୍ବବର୍ତ୍ତୀ ସମୟରେ ୮ରୁ ଅଧିକ ଏନ୍କାଉଣ୍ଟର ହୋଇଥିବା ବେଳେ ଡିସିପି ପ୍ରତୀକ ସିଂ, ଡିସିପି ପିନାକ୍ ମିଶ୍ରଙ୍କ ସମୟରେ ଏକାଧିକ ବାର ଏନ୍କାଉଣ୍ଟର ହୋଇଛି ।