ଭଦ୍ରକ।ଚଣ୍ଡିଖୋଲ ୧୩।୭: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଚରମ୍ପା ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମିଲିରାଣୀ ଦାସଙ୍କର ମୃତ୍ୟୁ ହୋଇଛି । ମିଲିରାଣୀ ନିଜ ବାଡ଼ି ପଟକୁ ଯାଇଥିଲେ । ଦୀର୍ଘ ସମୟ ଧରି ଫେରି ନଥିଲେ । ବିଜୁଳି ଓ ଘଡଘଡି ଦେଖି ପରିବାର ଲୋକେ ତାଙ୍କୁ ବାଡ଼ିରେ ଖୋଜିଥିଲେ । ମିଲିଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଭଦ୍ରକ ମେଡିକାଲକୁ ଆଣିଥିଲେ ପରିବାର ଲୋକେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବଜ୍ରାଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଘୋଷଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସେପଟେ ଯାଜପୁରରେ ବଜ୍ରପାତରେ ଚାଲିଗଲା ଜଣଙ୍କର ଜୀବନ । ବିଲରେ କାମ କରୁଥିବା ସମୟରେ ଟଳି ପଡ଼ିଥିବା ସୂଚନା । ମୃତକ ହେଲେ ଜେନାପୁର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଭାଗିରଥୀ ନାୟକ । ସେ ରବିବାର ଅପରାହ୍ନରେ ବିଲରେ କାମ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି ।