ଭୁବନେଶ୍ୱର ୨୮/୦୮: ଅଗଷ୍ଟ ୨୯ ଓ ୩୦ରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବାକୁ ଯାଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗଦେବେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ଜଣ ସଦସ୍ୟ ଯୋଗଦେବେ ।
ଏହାକୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ । ଏଥିରୁ ସାରା ଦେଶରୁ ୨୪୦ରୁ ଅଧିକ ଜଣ ପ୍ରତିନିଧି ଯୋଗ ଦେବେ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା । ଯାହା ସମ୍ପର୍କରେ ଆଲୋଚନା ହେବ । ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ ।
ଏ ନେଇ ଆଜି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ । ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ ।
୩୧ ବର୍ଷ ପରେ ଏହା ଓଡ଼ିଶାରେ ଆୟୋଜନ କରାଯାଉଛି । ଓଡ଼ିଶାର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ନେଇ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଉଦଯାପନୀ ପରେ ପ୍ରତିନିଧିମାନଙ୍କୁ କୋଣାର୍କ ସହ ଶ୍ରୀଜଗନ୍ନାଥ ଦର୍ଶନ କରାଯିବ ।