ନୂଆଦିଲ୍ଲୀ ୭।୭ : ଦିଲ୍ଲୀ ହାଇକୋର୍ଟ ସୋମବାର ତୁର୍କି ଏଭିଏସନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଆବେଦନ ଖାରଜ କରିଦେଇଛନ୍ତି। ଜାତୀୟ ସୁରକ୍ଷା ଆଧାରରେ କମ୍ପାନୀର ସିକ୍ୟୁରିଟି କ୍ଲିୟରାନ୍ସ ରଦ୍ଦ କରିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ କମ୍ପାନୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ତେବେ ବିଚାରପତି ଜଷ୍ଟିସ୍ ସଚ୍ଚିନ ଦତ୍ତ ସେଲେବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଓ ସେଲେବି ଦିଲ୍ଲୀ କାର୍ଗୋ ଟର୍ମିନାଲ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ଏହି ଦୁଇ କମ୍ପାନୀ ଦେଶର କେତେକ ଏୟାରପୋର୍ଟରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଓ କାର୍ଗୋ ଅପରେସନ କାମ ଦେଖରେଖ କରୁଥିଲେ। ଏହି ମାମଲାରେ ହାଇକୋର୍ଟ ମେ ୨୩ ତାରିଖ ଦିନ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଭାରତର ଏଭିଏସନ ସିକ୍ୟୁରିଟି ରେଗୁଲେଟର ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି (ବିସିଏଏସ) ଜାତୀୟ ସୁରକ୍ଷା ହୀତ ବାହାନାରେ ମେ ୧୫ ତାରିଖ ଦିନ ସେଲେବିର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରି ନେଇଥିଲେ।
ତୁର୍କି କମ୍ପାନୀ ସେଲେବି ଭାରତରେ ୧୫ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା କାମ କରି ଆସୁଛି। ଏହି କମ୍ପାନୀ ଦେଶର ୯ଟି ଏୟାରପୋର୍ଟରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଓ କାର୍ଗୋ ଅପରେସନ କାମ ଦେଖରେଖ କରୁଥିଲା। ତେବେ କମ୍ପାନୀର ସିକ୍ୟୁରିଟି କ୍ଲିୟରାନ୍ସ ରଦ୍ଦ କରିଦିଆଯିବା ଯୋଗୁ କମ୍ପାନୀ ସରକାରଙ୍କ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସେଲେବିରେ ୧୦ ହଜାରରୁ ଅଧିକ କର୍ମଚାରୀ କାମ କରୁଥିଲେ। କମ୍ପାନୀକୁ ନଭେମ୍ବର ୨୦୨୨ରେ ସିକ୍ୟୁରିଟି କ୍ଲିୟରାନ୍ସ ମିଳିଥିଲା। ଏହାକୁ ଅପରେସନ ସିନ୍ଦୂର ପରେ ମେ ୧୫ ତାରିଖରେ ରଦ୍ଦ କରିଦିଆଯାଇଥିଲା।
କେନ୍ଦ୍ର ସରକାରଙ୍କ ଓକିଲ ସେଲେବିର ସିକ୍ୟୁରିଟି କ୍ଲିୟରାନ୍ସ ରଦ୍ଦ କରାଯିବା ନିଷ୍ପତ୍ତି ସମ୍ପର୍କରେ କହିଥିଲେ ଯେ ଭାରତର ଏଭିଏସନ ସିକ୍ୟୁରିଟି ଲାଗି ତୁର୍କିର ଏହି କମ୍ପାନୀ ଅଭୂତପୂର୍ବ ବିପଦ ପାଲଟିଥାନ୍ତା, ଏଣୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଥିଲା। ତେବେ ଏହା ପୂର୍ବରୁ କେନ୍ଦ୍ର କୋର୍ଟରେ ଆଫିଡେଭିଟ ଦାଖଲ କରି ଜଣାଇଥିଲା ଯେ ସୁରକ୍ଷା ମଞ୍ଜୁରୀ ଏହି ବିଶେଷ ସୂଚନା ଆଧାରରେ ପ୍ରତ୍ୟାହାର କରାଯାଇଥିଲା ଯେ ଏବେକା ପରିସ୍ଥିତିରେ ସେଲିବିର ସେବାଜାରି ରଖିବା ସମ୍ଭବପର ନୁହେଁ।
ତେବେ ସେଲେବିର ଓକିଲ ତର୍କ ଦେଇଥିଲେ ଯେ ସରକାରଙ୍କ ଏହି ପଦକ୍ଷେପ ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତ ଓ ବିମାନ ସୁରକ୍ଷା ନିୟମଗୁଡିକ ଅନୁସାରେ ନିର୍ଦ୍ଧାରିତ ପ୍ରକ୍ରିୟାର ଉଲ୍ଲଂଘନ କରୁଛି। ସେ ତର୍କ ଦେଇଥିଲେ ଯେ ବିସିଏଏସ୍ ମହାନିର୍ଦ୍ଦେଶକ ଏପରି ପଦକ୍ଷେପ ନେବା ପୂର୍ବରୁ ନୋଟିସ୍ ଜାରି କରିବାର ଥିଲା, ଶୁଣାଣି ଲାଗି ଅବସର ଦେବାର ଥିଲା ଓ କାରଣ ଦର୍ଶାଇବା ପାଇଁ ସମୟ ଦେବାର ଥିଲା। ତେବେ ସରକାର କହିଛନ୍ତି ଯେ ଜାତୀୟ ସୁରକ୍ଷା ହୀତ ଦୃଷ୍ଟିରୁ ତତ୍କାଳ ପ୍ରଭାବ ସିକ୍ୟୁରିଟି କ୍ଲିୟରାନ୍ସ ରଦ୍ଦ କରାଯାଇଛି।
ଉଲ୍ଲେଖଯୋଗ୍ଯ ଯେ ଭାରତର ଅପରେସନ ସିନ୍ଦୂର କାଳରେ ତୁର୍କି ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିବା ଓ ପାକିସ୍ତାନ ଏବଂ ପାକିସ୍ତାନ ନିୟନ୍ତ୍ରଣାଧୀନ କାଶ୍ମୀର (ପିଓକେ)ରେ ଆତଙ୍କବାଦ ଶିବିର ଉପରେ ଭାରତର ଆକ୍ରମଣକୁ ନିନ୍ଦା କରିବାର ମାତ୍ର କିଛି ଦିନ ପରେ ଭାରତ ସରକାର ତୁର୍କି କମ୍ପାନୀର କାର୍ଯ୍ୟକୁ ଭାରତରେ ବନ୍ଦ କରିଦେଇଥିଲେ।