ଅଙ୍କାରା ୨୩।୫: ତୁର୍କିଏର ଏର୍ଦୋଗାନ ସରକାରଙ୍କୁ ଭାରତ ସହିତ କୂଟନୈତିକ ଟକ୍କର ନେବା ମହଙ୍ଗା ପଡିଛି। ଏଥିପାଇଁ ଏବେ ତୁର୍କିଏକୁ ମୂଲ୍ୟ ଦେବାକୁ ପଡୁଛି। ଭାରତ ଭଳି ଏକ ବଡ଼ ଟୁରିଜିମ ମାର୍କେଟ ସହ ଟକ୍କର ନେବା ମସ୍ତବଡ଼ ଭୁଲ ଥିଲା ବୋଲି ଏବେ ସରକାର ଅନୁଭବ କରୁଛନ୍ତି। ଅଧିକାରୀକ ତଥ୍ୟରୁ ସତ୍ୟତା ଏବେ ସାମ୍ନାକୁ ଆସିଛି। ତୁର୍କିଏର ଟୁରିଜିମ ଉଦ୍ୟୋଗରେ ହ୍ରାସ ଦେଖାଯାଇଛି ଓ ଭାରତ ସହିତ ଖରାପ ସମ୍ପର୍କକୁ ଏହାର କାରଣ ବୋଲି କୁହାଯାଉଛି।
ତୁର୍କିଏ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା ଜାରି ତଥ୍ୟ ଅନୁସାରେ ଜାନୁୟାରୀରୁ ଏପ୍ରିଲ ୨୦୨୫ ମଧ୍ୟରେ ୧୦.୫୯ ନିୟୁତ(୧କୋଟି ୫ଲକ୍ଷ ୯୦ ହଜାର) ବିଦେଶୀ ପର୍ଯ୍ୟଟକ ତୁର୍କିଏ ଆସିଛନ୍ତି। ଏହି ସଂଖ୍ୟା ଗତବର୍ଷ ତୁଳନାରେ ୦.୬% କମ। ହୁଏତ ଏହି ହ୍ରାସକୁ ମାମୁଲି ଲାଗୁଥାଇପାରେ, ହେଲେ ତୁର୍କିଏ ପର୍ଯ୍ୟଟନ ଉଦ୍ୟୋଗ ଯେଉଁ ହାରରେ ବଢୁଛି ତାହାକୁ ଦେଖିଲେ ଦେଶର ବ୍ୟବସାୟକୁ ଏହା ଏକ ବଡ଼ ଝଟକା ବୋଲି ଅନୁମାନ କରାଯାଉଛି।
ତଥ୍ୟାଭିଜ୍ଞ ମହଲ ଅନୁସାରେ ଭାରତରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଏବେ ସ୍ପଷ୍ଟ ହ୍ରାସ ଦେଖାଦେଇଛି। ଏହାର ବଡ଼ କାରଣ ହେଉଛି ରାଷ୍ଟ୍ରପତି ରେସେପ ତୈୟପ ଏର୍ଦ୍ଦୋଗାନଙ୍କ ଭାରତ ବିରୋଧୀ ବୟାନ ଓ କାଶ୍ମୀରକୁ ନେଇ ଦେଇଥିବା ବିବାଦୀୟ ଭାଷଣ। ଭାରତରେ ଏହାକୁ ତୀବ୍ର ବିରୋଧ କରାଯାଇଛି ଓ ଟ୍ରାଭେଲଏଜେନ୍ସୀମାନେ ତୁର୍କିଏକୁ ସେମାନଙ୍କ ଫୋକସରୁ ହଟାଇ ଦେଇଛନ୍ତି। ଏହା ଛଡା ସୋସିଆଲ ମିଡିଆରେ ମଧ୍ୟ ବୟକଟ୍ ତୁର୍କିଏ ଟ୍ରେଣ୍ଡ କରୁଛି।
ପ୍ରତିବର୍ଷ ଅନୁନ୍ୟ ୨ଲକ୍ଷ ଭାରତୀୟ ପର୍ଯ୍ୟଟକ ତୁର୍କିଏ ପର୍ଯ୍ୟଟନରେ ଯାଇଥାନ୍ତି, ଯେଉଁମାନେ ଦେଶର ଟୁରିଜିମ ରାଜସ୍ୱକୁ ଶହଶହ କୋଟି ଟଙ୍କା ଯୋଗଦାନ ଦେଇଥାନ୍ତି। ଭାରତ ଏକ ଏପରି ବଜାର ଯାହାକୁ ହାଇସ୍ପିଡ ଟୁରିଷ୍ଟ ରୂପେ ଜଣାଯାଏ। ଅର୍ଥାତ ଭାରତୀୟ ପର୍ଯ୍ୟଟକ ସପିଙ୍ଗ, ହୋଟେଲ ଓ ଟୁର ପ୍ୟାକେଜରେ ବିପୁଳ ବ୍ୟୟ କରନ୍ତି। ଯଦି ଏହି ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହେଲା ତେବେ ତୁର୍କିଏର ଟୁରିଜିମ ଅର୍ଥବ୍ୟବସ୍ଥାକୁ କ୍ଷତିରେ ପକାଇବ। ଏଥିରେ ଟୁରିଜିମ ରାଜସ୍ୱ ହ୍ରାସ ଏର୍ଦୋଗାନ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି।
ଦେଶର ବିରୋଧୀ ଦଳମାନେ ସରକାରଙ୍କ ବିବାଦୀୟ ବିଦେଶ ନୀତିକୁ ଏଥି ପାଇଁ ସିଧା ଦାୟି କରୁଛନ୍ତି। ସେମାନେ ଏବେ ପ୍ରଶ୍ନ କରୁଛନ୍ତି ଭାରତ ବିରୋଧରେ ଏର୍ଦୋଗାନଙ୍କ ବୟାନବାଜୀ କ’ଣ ଏପରି ଜରୁରି ଥିଲା, ଯାହା ଦେଶର ରାଜସ୍ୱ କୁ ବିଗାଡି ଦେଇଛି?ଏହି ପ୍ରସଙ୍ଗ ସଂସଦରେ ଆଲୋଚନାର ପ୍ରସଙ୍ଗ ବି ହୋଇପାରେ। ବିଶେଷଜ୍ଞ ଭାବୁଛନ୍ତି ଯଦି ତୁର୍କିଏ ଭାରତ ସହିତ ସମ୍ପର୍କ ସୁଧାର ନ କରେ ଏପରି ହ୍ରାସ ଲାଗି ରହିବ। ଟୁରିଜିମ ସେକ୍ଟର ଇମେଜ ଓ କୂଟନୀତି ଉପରେ ଆଧାରିତ ଥାଏ। ଭାରତରେ ତୁର୍କିଏର ଛବି ଯେଉଁଭଳି ଭାବେ ବିଗିଡିଛି ଏହାକୁ ସୁଧାରିବାରେ ଅନେକ ସମୟ ଲାଗିଯିବ। ସେ ପର୍ଯ୍ୟନ୍ତ ତୁର୍କିଏର ପର୍ଯ୍ୟଟନ ବ୍ୟବସାୟ ଧୂଳିସାତ ହୋଇସାରିଥିବ।