ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ମୁଖ୍ୟ ମସ୍କଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏବେ ମସ୍କଙ୍କୁ ଆଉ ଝଟକା ଦେବେ ରାଷ୍ଟ୍ରପତି ଟ୍ରମ୍ପ । କୋଟିପତି ଏଲନ୍ ମସ୍କଙ୍କ କମ୍ପାନି ସ୍ପେସଏକ୍ସକୁ ଗୋଲ୍ଡେନ ଡୋମ୍ ପ୍ରକଳ୍ପରୁ ବାହାର କରିପାରନ୍ତି । ଏହା ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ଯାହାର ଲକ୍ଷ୍ୟ ଆମେରିକାକୁ ବାହ୍ୟ ବିମାନ ଆକ୍ରମଣରୁ ରକ୍ଷା କରିବା । ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ୧୭୫ ବିଲିୟନ ଡଲାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ନୂତନ ବିକଳ୍ପ ଖୋଜିବା ଆରମ୍ଭ କରିଛି ।
ଏଥର ସ୍ପେସଏକ୍ସ ବଦଳରେ ଜେଫ୍ ବେଜୋସ୍ଙ୍କ କମ୍ପାନି ଆମାଜନ୍ର ପ୍ରୋଜେକ୍ଟ କୁଇପରକୁ ସୁଯୋଗ ମିଳିପାରେ । ଏହା ବ୍ୟତୀତ ଆହୁରି ଅନେକ ବଡ଼ ପ୍ରତିରକ୍ଷା କମ୍ପାନି ମଧ୍ୟ ଏହି ଦୌଡ଼ରେ ଅଛନ୍ତି । ଗତ ଦୁଇ ମାସ ଧରି ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦ ଏହି ନିଷ୍ପତ୍ତି ପଛରେ କାରଣ ବୋଲି ବିଶ୍ୱାସ କରାଯାଉଛି । ରିପୋର୍ଟ ଅନୁଯାୟୀ, ସ୍ପେସଏକ୍ସ ମଧ୍ୟ ଆଉ ଏହି ପ୍ରକଳ୍ପରେ ଆଗ୍ରହ ଦେଖାଉ ନାହିଁ ।
ଇସ୍ରାଏଲର ଆଇରନ ଡୋମ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପରି ଆମେରିକା ନିଜର ପ୍ରତିରକ୍ଷା ପ୍ରଣାଳୀ ଗୋଲଡେନ୍ ଡୋମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଗୋଲଡେନ୍ ଡୋମ୍ ପ୍ରକଳ୍ପ ଘୋଷଣା କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋଲ୍ଡେନ ମିସାଇଲ ଡିଫେନ୍ସ ସିଷ୍ଟମ ପାଇଁ ୧୨୦୦ରୁ ଅଧିକ ସାଟେଲାଇଟ୍ ଲଞ୍ଚ କରିବାର ଯୋଜନା କରାଯାଇଛି । ଏହା ସହାୟତାରେ ଆମେରିକା ମହାକାଶରେ ଶତ୍ରୁ ମିସାଇଲକୁ ଚିହ୍ନଟ କରି ସେଗୁଡ଼ିକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଛି ।
୪୦୦ରୁ ୧୦୦୦ ସାଟେଲାଇଟ୍ ଶତ୍ରୁ କ୍ଷେପଣାସ୍ତ୍ର ଚିହ୍ନଟ ଏବଂ ଟ୍ରାକିଂ ପାଇଁ ନିୟୋଜିତ କରାଯିବ । ପ୍ରାୟ ୨୦୦ ଇଣ୍ଟରସେପ୍ଟର ସାଟେଲାଇଟ୍ ମହାକାଶରେ ସେହି କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦେବା ପାଇଁ ପ୍ରସ୍ତୁତ କରାଯିବ । ଏହି ପ୍ରତିରକ୍ଷା ପ୍ରଣାଳୀ ବିଶ୍ୱର ଯେକୌଣସି ସ୍ଥାନରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରକୁ ପ୍ରତିହତ କରିପାରିବ । ଟ୍ରମ୍ପ ଦାବି କରିଥିଲେ ଯେ ଗୋଲଡେନ୍ ଡୋମ୍ ମହାକାଶରୁ ଆକ୍ରମଣକୁ ବି ରୋକିପାରିବ ।
ଗୋଲଡେନ୍ ଡୋମ୍ ପ୍ରକଳ୍ପ ପାଇଁ ପ୍ରାୟ ୧୭୫ ବିଲିୟନ ଡଲାର ବା ୧୪.୫୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଟ୍ରମ୍ପ ପ୍ରାରମ୍ଭିକ ଭାବରେ ୨୫ ବିଲିୟନ ଡଲାର (ପ୍ରାୟ ୨.୦୫ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚକୁ ଅନୁମୋଦନ କରିଛନ୍ତି । ଜୁଲାଇ ୧୭ରେ ସିନେଟ୍ ଠାରୁ ଅନୁମୋଦନ ପାଇବା ପରେ, ସ୍ପେସ୍ ଫୋର୍ସ ଜେନେରାଲ ମାଇକେଲ୍ ଗୁଏଟଲିନଙ୍କୁ ଏହି ପ୍ରକଳ୍ପର କମାଣ୍ଡ ଦିଆଯାଇଛି । ତାଙ୍କୁ ଟ୍ରମ୍ପଙ୍କ ସବୁଠାରୁ ବିଶ୍ୱସ୍ତ ସାମରିକ ଅଧିକାରୀମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ।