ନୂଆଦିଲ୍ଲୀ: ଆମେରିକା ଦ୍ବାରା ଭାରତୀୟ ବୟନଶିଳ୍ପ ଉପରେ ୫୦ ପ୍ରତିଶତ ଶୁ୍ଳ୍କ ଲାଗିବା ପରେ ଏହି କ୍ଷେତ୍ରର ରପ୍ତାନୀକାରୀଙ୍କୁ ଚିନ୍ତା ଘାରିଛି। କୁହାଯାଉଛି ଆସନ୍ତା ୬ ମାସରେ ଭାରତର ପ୍ରାୟ ଏକ ଚତୁର୍ଥାଂଶ ବସ୍ତ୍ର ରପ୍ତାନୀ ଉପରେ ଗଭୀର ପ୍ରଭାବ ପଡ଼ିପାରେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତୀୟ ରପ୍ତାନୀକାରୀଙ୍କୁ ଅର୍ଡର ରଦ୍ଦ ହେବା ଭଳି ଗମ୍ଭୀର ଚାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। କାରଣ ଆମେରିକା ଭାରତର ପୋଷାକ ରପ୍ତାନୀର ସବୁଠୁ ବଡ଼ ମାର୍କେଟ।
ଅବଶ୍ୟ ସରକାର କପାର ଡ୍ୟୁଟି-ଫ୍ରି ଆମଦାନୀକୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାର ଘରୋଇ ପୋଷାକ ଉଦ୍ୟୋଗ ପାଇଁ କିଛିଟା ଆଶ୍ବସ୍ତି ଦେଇଛି। ଏହି ଛାଡ଼ ଯୋଗୁ ଉଦ୍ୟୋଗକୁ ଖର୍ଚ୍ଚ କମାଇବା ଏବଂ ଆମେରିକା ଶୁଳ୍କର ପ୍ରଭାବକୁ କମ୍ କରିବା ସହ ରପ୍ତାନୀ ରଣନୀତିରେ ପରିବର୍ତ୍ତନ କରିବାରେ ସାହାଯ୍ୟ ମିଳିବ। ଏହା ସହ ଭାରତ ବର୍ତ୍ତମାନର ମୁ୍କ୍ତ ବାଣିଜ୍ୟ ଚୁକ୍ତିର ଲାଭ ଉଠାଇ ବୟନ ରପ୍ତାନୀ ପାଇଁ ନୂଆ ବଜାରର ଖୋଜିପାରିବ।
ଫେଡେରେସନ ଅଫ୍ ଇଣ୍ଡିଆନ ଟେକ୍ସଟାଇଲ ଇଣ୍ଡଷ୍ଟ୍ରି (CITI)ର ମହାସଚିବ ଚନ୍ଦ୍ରିମା ଚାଟାର୍ଜୀ କହିଛନ୍ତି ‘‘ଯଦି କିଛିଟା ରଣନୀତିରେ ପରିବର୍ତ୍ତନ କରାଯାଇପାରିବ ତେବେ ଆଗାମୀ ୬ ମାସରେ ୨୦-୨୫% ପର୍ଯ୍ୟନ୍ତ ପ୍ରଭାବ ଦେଖିବାକୁ ମିଳିପାରେ। ନହେଲେ ଏହି ସଂଖ୍ୟା ୨୯% ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ପ୍ରଭାବ ମୁଖ୍ୟତଃ ପୋଷାକ ଉଦ୍ୟୋଗ ଉପରେ ପଡ଼ିବ।’’
ସେ କହିଛନ୍ତି ସରକାର କପା ଉପରେ ଆମଦାନୀ ଛାଡ଼ କରିଛନ୍ତି। ଏଥିରୁ କିଛିଟା ଆଶ୍ବସ୍ତି ମିଳିବ। କାରଣ ଏବେ ନୂଆ ଅର୍ଡର ପାଇଁ ମଧ୍ୟ ଆମଦାନୀ ସମ୍ଭବ ହୋଇପାରିବ। ପୂର୍ବରୁ କରାଯାଇଥିବା ଛାଡ଼ର ଲାଭ ନୂଆ ଅର୍ଡରକୁ ମିଳିନଥିଲା। କାରଣ କପା ସିପ୍ମେଣ୍ଟରେ ଅତିକମ୍ରେ ୪୦-୪୫ ଦିନ ଲାଗିଥାଏ। ଏବେ ଏହା ଲମ୍ବା ଅବଧିର ଛାଡ଼ ନୂଆ ଅର୍ଡର ପାଇଁ ଉପଯୋଗୀ ହେବ। ଚାଟାର୍ଜୀ କହିଛନ୍ତି ‘ଘରୋଇ କପା ଏବଂ ଅନ୍ତର୍ଜାତୀୟ ବେଞ୍ଚମାର୍କ ମୂଲ୍ୟରେ ୧୦-୧୫% ପର୍ଯ୍ୟନ୍ତ ପାର୍ଥକ୍ୟ ଥିଲା। ଯାହା ଏବେ ଏହି ଛାଡ଼ ଯୋଗୁ କମ୍ ହେବ। ଏହାଦ୍ବାରା ଭାରତୀୟ ଉତ୍ପାଦ ଅଧିକ ପ୍ରତିସ୍ପର୍ଦ୍ଦା ହେବ।’
ସୂଚନାଥାଉକି, ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ସମୁଦାୟ ବୟନ ଉଦ୍ୟୋଗ ୧୭୯ ବିଲିୟନ ଡଲାର ରହିବା ନେଇ ଅନୁମାନ କରାଯାଉଛି। ଯେଉଁଥିରେ ୧୪୨ ବିଲିୟନ ଡଲାରର ଘରୋଇ ବଜାର ଏବଂ ୩୭ ବିଲିୟନ ଡଲାରର ରପ୍ତାନୀ ସାମିଲ ରହିଛି।