ନୂଆଦିଲ୍ଲୀ: ନିଜ ସ୍ୱାସ୍ଥ୍ୟକୁ ନେଇ ମିଛ କହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ! ଆମେରିକା ଅଧିକାଂଶ ଲୋକ ଏହା ବିଶ୍ୱାସ କରୁଥିବା ଏକ ସଦ୍ୟତମ ସର୍ଭେରେ ସାମନାକୁ ଆସୁଛି । ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ସମାନ ଚିନ୍ତାଧାରା ଥିଲା । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଜୋ ବାଇଡେନ୍ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି ।
ୟୁ-ଗୋଭ୍ ଓ ଇକୋନୋମିଷ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ୭୮ ବର୍ଷୀୟ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ କିମ୍ୱା ଲୁଚାଉଥିବା ୪୫ ପ୍ରତିଶତ ଆମେରିକୀୟ ବିଶ୍ୱାସ କରନ୍ତି । ୧୬୬୦ ଜଣ ଲୋକଙ୍କୁ ନେଇ ମେ ୨୩ ଏବଂ ମେ ୨୬ରେ ଏହି ସର୍ଭେ କରାଯାଇଥିଲା । ୪୫ ପ୍ରତିଶତ ଲୋକଙ୍କ ମତ ଯେ ଟ୍ରମ୍ପ ନିଜ ସ୍ୱାସ୍ଥ୍ୟକୁ ନେଇ ମିଛ କହୁଛନ୍ତି । ତେବେ ଏହାଠାରୁ ସମାନ୍ୟ କମ ପ୍ରତିଶତ ଲୋକ ଟ୍ରମ୍ପ ସମ୍ପୂର୍ଣ୍ଣ ସତ କହୁଛନ୍ତି ବୋଲି ବିଶ୍ୱାସ କରନ୍ତି ।
ରାଷ୍ଟ୍ରପତି ଟ୍ରମ୍ପ ନିଜ ମେଡିକାଲ୍ ରିପୋର୍ଟ ସାର୍ବଜନୀନ କରିବା ଦରକାର ବୋଲି ସର୍ଭେରେ ସାମିଲ ୬୨ ପ୍ରତିଶତ ଲୋକଙ୍କ ମତ ଦେଇଛନ୍ତି । ଅନ୍ୟପଟେ ୨୮ ପ୍ରତିଶତ କହିଛନ୍ତି ଯେ ଅନ୍ୟ ଲୋକଙ୍କ ପରି ନିଜ ମେଡିକାଲ୍ ରିପୋର୍ଟକୁ ଗୋପନୀୟ ରଖିବାର ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ଅଛି । ପୂର୍ବତନ ରାଷ୍ଟ୍ରପତି ବାଇଡେନ୍ ନିଜ ସ୍ୱାସ୍ଥ୍ୟ ନେଇ ସତ କହୁଥିଲେ କି ପ୍ରଶ୍ନର ଜବାବରେ ୮୨ ପ୍ରତିଶତ ନାହିଁରେ ଉତ୍ତର ଦେଇଥିଲେ ।
ରିପୋର୍ଟ ଅନୁସାରେ ବାଇଡେନଙ୍କ ପରି ଟ୍ରମ୍ପଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିଛି । ଏପରି କି ‘ଡିମେନସିଆ’ର ଆଶଂକାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହି ସ୍ନାୟୁ ଜନିତ ରୋଗ ଟ୍ରମ୍ପଙ୍କ ପରିବାରରେ ବଂଶାନୁଗତ ଥିବା କୁହାଯାଉଛି । ଲୋକଙ୍କ ମନକୁ ଏଭଳି ଆଶଂକାକୁ ଦୂର କରିବା ପାଇଁ ଏପ୍ରିଲରେ ହ୍ୱାଇଟ୍ ହାଉସ୍ ଡାକ୍ତର ରିପୋର୍ଟ ଜାରି ଟ୍ରମ୍ପ ଶାରୀରିକ ସ୍ୱାସ୍ଥ୍ୟ ଭଲ ଥିବା ଦାବି କରିଥିଲେ ।