ନୂଆଦିଲ୍ଲୀ: ବନ୍ଧୁ ହେଲା ବୈଇରି। ଭାରତକୁ ବନ୍ଧୁ ବୋଲି କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ଲଗାଇଛନ୍ତି ଜବାବୀ ୨୫ ପ୍ରତିଶତ ଶୁଳ୍କ। କେବଳ ଶୁଳ୍କ ନୁହେଁ, ଭାରତ ଋଷ ଠାରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଥିବାରୁ ଆମେ ଭାରତ ଠାରୁ ଜରିମାନା ବି ଆଦାୟ କରିବୁ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ଭାରତ ବିରୋଧରେ ଏଭଳି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।
ବୁଧବାର ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ ଭାରତ ବିରୋଧରେ ଏଭଳି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପଙ୍କ ଜବାବୀ ଶୁଳ୍କ ଲାଗୁ କରିବାର ସମୟ ସୀମା ଆସନ୍ତା କାଲି ଶେଷ ହେଉଛି। ଏପଟେ ଭାରତ ସହିତ ବାଣିଜ୍ଯ ଡିଲ୍ ହୋଇ ନଥିବାରୁ ଅଗଷ୍ଟ ୧ ତାରିଖ ଠାରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଭାରତ ରୁଷଠାରୁ ଅସ୍ତ୍ରଶସ୍ତ୍ର ଏବଂ ତେଲ କିଣୁଛି, ତେଣୁ ଏହା ଉପରେ ମଧ୍ୟ ଜରିମାନା ଲାଗୁ ହେବ। ଆମେରିକା ସହିତ ଭାରତର ବାଣିଜ୍ୟ ନିଅଣ୍ଟ ବହୁତ ଅଧିକ, ତେଣୁ ସେମାନେ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରୁଛନ୍ତି ବୋଲି ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି।
ସେ ଲେଖିଛନ୍ତି “ଭାରତ ଆମେରିକାର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେରିକା ଭାରତ ସହିତ କମ୍ ବାଣିଜ୍ୟ କରିଛି। କାରଣ ଏହାର ଶୁଳ୍କ ବହୁତ ଅଧିକ। ପ୍ରକୃତରେ, ଭାରତର ଅନେକ ନୀତି ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ବ୍ୟବସାୟ କରିବାରେ ଅସୁବିଧା ସୃଷ୍ଟି କରେ। ଆଜି ମଧ୍ୟ ଭାରତ ଏହାର ଅଧିକାଂଶ ଅସ୍ତ୍ରଶସ୍ତ୍ର ରୁଷରୁ କିଣୁଛି। କେବଳ ଏତିକି ନୁହେଁ, ସାରା ବିଶ୍ୱ ଚାହୁଁଛି ଋଷ ଯୁକ୍ରେନ ଉପରେ ହିଂସା ବନ୍ଦ କରୁ, ହେଲେ ଭାରତ ଚୀନ୍ ସହିତ ମିଶି ରୁଷ ଠାରୁ ବିପୁଳ ପରିମାଣରେ ତେଲ ଏବଂ ଗ୍ୟାସ କିଣୁଛି। ଏସୁ ଭଲ କଥା ନୁହେଁ। ଏହି ସମସ୍ତ କାରଣ ପାଇଁ, ଏବେ ଆମେରିକା ନିଷ୍ପତ୍ତି ନେଇଛି ଯେ ସେ ଅଗଷ୍ଟ ୧ ରୁ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୨୫% ଶୁଳ୍କ ଲାଗୁ କରିବ। ଏହା ବ୍ୟତୀତ, ଏକ ଜରିମାନ ମଧ୍ୟ ଲାଗୁ କରାଯିବ।” ତେବେ ଭାରତ ୨୫ ପ୍ରତିଶତ ଶୁଳ୍କ ବ୍ୟତୀତ ଭାରତ ବିରୋଧରେ କେତେ ପେନାଲ୍ଟି ଲାଗୁ କରାଯିବ ସେ ନେଇ ଟ୍ରମ୍ପ ଘୋଷଣା କରି ନାହାନ୍ତି।
ଏହା ପୂର୍ବରୁ ଟ୍ରମ୍ପ ସୋମବାର ଶୁଳ୍କ ଲାଗୁ ନେଇ ମିଡିଆ ଆଗରେ କହି ସାରିଥିଲେ। ବାଣିଜ୍ୟ ଚୁକ୍ତିର ସମୟ ସୀମା ଅଗଷ୍ଟ ପହିଲାରୁ ଶେଷ ହେଉଥିବାରୁ ଭାରତ ଉପରେ ୨୦-୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ କି ବୋଲି ପ୍ରଶ୍ନ କରିଥିଲେ ଗଣମାଧ୍ୟମ। ଜବାବରେ ଟ୍ରମ୍ପ କହିଥିଲେ ହଁ… ମୁଁ ସେୟା ଭାବୁଛି…. ତେବେ ଭାରତ ମୋ ବନ୍ଧୁ। ସେମାନେ ମୋ ଅନୁରୋଧ ରଖି ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରିଛନ୍ତି। ଭାରତ ସହ ଡିଲ ଫାଇନାଲ ହୋଇ ନାହିଁ। ଭାରତ ଗୋଟେ ଭଲ ବନ୍ଧୁ ହୋଇ ରହି ଆସିଛି, ହେଲେ ଭାରତ ଅନ୍ୟ ଯେକୌଣସି ଦେଶ ତୁଳନାରେ ମୂଳତଃ ଅଧିକ ଶୁଳ୍କ ଆଦାୟ କରୁଛି।” ତେଣୁ ଶୁଳ୍କ ଲାଗିବ ବୋଲି ଟ୍ରମ୍ପ କହିଥିଲେ।
ବାଣିଜ୍ୟ ଡିଲ୍ ନେଇ ଟ୍ରମ୍ପ ଦେଇଥିବା ସମୟ ସୀମା ଅଗଷ୍ଟ ପହିଲାରୁ ଶେଷ ହେଉଥିବାରୁ ପହିଲାରୁ ହିଁ ଡିଲ୍ ହୋଇ ନଥିବା ଦେଶଗୁଡ଼ିକ ଉପରେ ଜବାବୀ ଶୁଳ୍କ ଲାଗୁ ହୋଇଯିବ। ଯେଉଁଥିରେ ଭାରତ ବି ରହିଛି। ଏପଟେ ବାଣିଜ୍ୟ ଚୁକ୍ତି ନେଇ ଅଗଷ୍ଟ ୨୫ ତାରିଖରେ ଆମେରିକା ପ୍ରତିନିଧି ଦଳ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ଦେଶ ମଧ୍ୟରେ ଏନେଇ ଷଷ୍ଠ ରାଉଣ୍ଡ ବୈଠକ ହେବ। ହେଲେ ତା ପୂର୍ବରୁ ଟ୍ରମ୍ପଙ୍କର ଏଭଳି ବୟାନ ଦୁଇ ଦେଶ ଉପରେ କଣ ପ୍ରଭାବ ପକାଉଛି ତାହା ଦେଖିବା ରୋଚକ ହେବ।
ସେପଟେ ଟ୍ରମ୍ପ୍ ଟାରିଫ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା କଟାକ୍ଷା କରିଛି ବିରୋଧୀ କଂଗ୍ରେସ। ଇନ୍ଦିରା ଗାନ୍ଧୀଙ୍କଠାରୁ ପ୍ରେରଣା ନେଇ ଟ୍ରମ୍ପଙ୍କ ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡ଼ା ହେବା ଦରକାର ବୋଲି କଂଗ୍ରେସ କହିଛି। ଏହା ସହ ପାର୍ଟି ମହାସଚିବ ଜୟରାମ ରମେଶ କଟାକ୍ଷ କରି କହିଛନ୍ତି ଯେ ଏବେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରକୁ କରୁଥିବା ପ୍ରଶଂସାର କୌଣସି ମୂଲ୍ୟ ନାହିଁ।
ଦୁଇ ଦେଶ ମଧ୍ୟରେ କେଉଁଠି ଅଟକିଛି କଥା ?
ଭାରତ ଆମେରିକାର ପ୍ରସ୍ତାବିତ ୨୬% ଅତିରିକ୍ତ ଶୁଳ୍କ ହଟାଇବାକୁ ଦାବି କରୁଛି। ତତ୍ ସହିତ ଭାରତୀୟ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦଗୁଡ଼ିକ ଉପରେ ବର୍ତ୍ତମାନ ହୋଇଥିବା ୫୦% ଶୁଳ୍କକୁ ହ୍ରାସ କରିବା ଉପରେ ଜୋର୍ ଦେଉଛି। ଏଥିସହିତ ଭାରତ ଅଟୋ ପାର୍ଟସ ଉପରେ ଟିକସ କମାଇବା ଓ ଆମେରିକା ବଜାରକୁ ଭାରତର କପଡ଼ା, ଚମଡା, ରତ୍ନ ଏବଂ ଅଳଙ୍କାର, ପୋଷାକ, ଅଙ୍ଗୁର ଓ କଦଳୀ ଭଳି କୃଷି ଉତ୍ପାଦ ଓ ଶ୍ରମ-ଚାଳିତ ଶିଳ୍ପ ପାଇଁ ସହଜ ପ୍ରବେଶ ଚାହୁଁଛି। ସେହିପରି ଆମେରିକା ଏହାର ଶିଳ୍ପ ସାମଗ୍ରୀ, ବୈଦ୍ୟୁତିକ ଯାନବାହନ, ଦୁଗ୍ଧଜାତ ଦ୍ରବ୍ୟ, ମଦ, ସେଓ, ବିଭିନ୍ନ ପ୍ରକାର ବାଦାମ(ଟ୍ରି ନଟ୍ସ) ଏବଂ ଜେନେଟିକାଲି ପରିବର୍ତ୍ତିତ ଫସଲ ଉପରେ ଶୁଳ୍କ ହ୍ରାସ କରିବାକୁ ଭାରତ ଉପରେ ଚାପ ପକାଉଛି। ତଥାପି, ଭାରତ କୃଷି ଏବଂ ଦୁଗ୍ଧ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ ନକରିବା ପାଇଁ ଦୃଢ଼ ରହିଛି, କିଛି କୃଷକ ଗୋଷ୍ଠୀ ସରକାରଙ୍କୁ କୃଷିକୁ ସମ୍ପୂର୍ଣ୍ଣ ଭାବରେ ଚୁକ୍ତିରୁ ବାହାରେ ରଖିବାକୁ ଅନୁରୋଧ କରିଛନ୍ତି।