ନୂଆଦିଲ୍ଲୀ: ଭାରତ ଉପରେ ମୋଟା ଅଙ୍କର ଶୁଳ୍କ ଲଗାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ- ଆମେରିକା ସମ୍ପର୍କକୁ ମଧ୍ୟ ତିକ୍ତ କରିଛନ୍ତି। ଭାରତ ରୁଷ ଠାରୁ ତେଲ କିଣି ୟୁକ୍ରେନ ଯୁଦ୍ଧରେ ରୁଷର ଆର୍ଥିକ ସାହାଯ୍ୟ କରୁଛି ବୋଲି ଅଭିଯୋଗ ଆଣି ଟ୍ରମ୍ପ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି। ଫଳରେ ଅନେକ କ୍ଷେତ୍ରରେ ଆଗକୁ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହେଉଛି। ହେଲେ ଏବେ ଏହି ନୀତି କାରଣରୁ ଟ୍ରମ୍ପଙ୍କୁ ଆମେରିକାରେ ହିଁ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଆମେରିକୀୟ ରାଜନେତା ଏବଂ ବିଶେଷଜ୍ଞ ଟ୍ରମ୍ପଙ୍କ ଟାରିଫ୍ ନୀତି ଏବଂ ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ନେଇ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ବୁଧବାରଠାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲାଗୁ ହେବା ପରେ ଅନେକ ଆମେରିକା ସାଂସଦ, ରାଜନେତା ଏବଂ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଏହି ପଦକ୍ଷେପ ଆମେରିକାର ସବୁଠୁ ମହତ୍ବପୂର୍ଣ୍ଣ ରଣନୀତିକ ବୁଝାମଣା ମଧ୍ୟରୁ ଗୋଟିଏକୁ କ୍ଷତି ପହଞ୍ଚାଇପାରେ ବୋଲି କହିଛନ୍ତି ଆମେରିକୀୟ ନେତା। ହାଉସ ଫରେନ ଆଫେୟର୍ସ କମିଟିର ଡେମେକ୍ରାଟସଙ୍କ କହିଛନ୍ତି, ଆମେରିକାର ଏହି ପଦକ୍ଷେପ ଫଳରେ ଚୀନକୁ ଫାଇଦା ମିଳିପାରେ। ବୁଧବାର ଏକ ପୋଷ୍ଟରେ କମିଟି ଅଭିଯୋଗ କରିଛି, କେବଳ ଭାରତକୁ ଟାର୍ଗେଟ କରାଯିବା ଆଦୌ ଠିକ୍ ନୁହେଁ। ଏହାଦ୍ବାରା ଆମେରିକା- ଭାରତ ସମ୍ପର୍କ ଖରାପ ହେଉଛି। କମିଟି ପକ୍ଷରୁ ସୋସିଆଲ ମିଡିଆ ପୋଷ୍ଟରେ ଆହୁରି କୁହାଯାଇଛି ଯେ, ‘‘ଏପରି କରିବା ଠିକ୍ ନୁହେଁ। ଅନ୍ୟ ଦେଶଙ୍କ ଉପରେ ତ’ ଏଭଳି ଟାରିଫ୍ ଲଗାଯାଇନାହିଁ। ଯଦି ଟ୍ରମ୍ପ ପ୍ରଶାସନ ରୁଷ ତେଲ କିଣୁଥିବା ଅନ୍ୟ ଦେଶ ଉପରେ ତ’ ଟାରିଫ୍ ଲଗାଇନାହିଁ ?’’ ଚୀନ ବି ତ’ରିହାତିରେ ରୁଷ ଠାରୁ ତେଲ କିଣୁଛି। ହେଲେ ତା’ ଉପରେ କୌଣସି ଦଣ୍ଡ ଦିଆଯାଇନାହିଁ।’’
ସେହିଭଳି ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ମାଇକ ପେନ୍ସ ମଧ୍ୟ ଟ୍ରମ୍ପଙ୍କ ନୀତିର ସମାଲୋଚନା କରିଛନ୍ତି। ପେନ୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କରିଛନ୍ତି, ‘‘ଆମେରିକା କମ୍ପାନି ଏବଂ ଆମେରିକା ଉପଭୋକ୍ତା ଟାରିଫ୍ର ପରିଣାମ ଭୋଗୁଛନ୍ତି।’’ ଆମେରିକାର ପୂର୍ବତନ ଉପ ବିଦେଶ ମନ୍ତ୍ରୀ କର୍ଟ କ୍ୟାମ୍ପବେଲ କହିଛନ୍ତି ଆମେରିକା ଏବଂ ଭାରତର ସହଭାଗିତାକୁ ଏକବିଂଶ ଶତାବ୍ଦୀରେ ଆମେରିକାର ସବୁଠୁ ମହତ୍ବପୂର୍ଣ୍ଣ ସମ୍ପର୍କ ଗଢ଼ିଛି। ସେ କହିଛନ୍ତି, ‘‘ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ହାର୍ ନମାନିବା ଦରକାର।’’ ଭାରତରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ କେନେଥ ଜଷ୍ଟର ମଧ୍ୟ ଏହି ଚିନ୍ତାକୁ ଦୋହରାଇଛନ୍ତି ଆଉ କହିଛନ୍ତି ହଠାତ୍ ଟାରିଫ ଘୋଷଣା ଏକ କୂଟନୈତିକ ଝଟକା। ଏହାଦ୍ବାରା ଆମେରିକାର ହିଁ କ୍ଷତି ହେବ।
ସେହିଭଳି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର କିଛି ନେତାମାନେ ମଧ୍ୟ ଟ୍ରମ୍ପଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ଯୁକ୍ତରାଷ୍ଟ୍ର ରାଷ୍ଟଦୂତ ଏବଂ ବିଦେଶ ମନ୍ତ୍ରୀ ପଦ ଆଶାୟୀ ନିକ୍କୀ ହେଲୀ ନିକଟରେ କହିଥିଲେ ଯେ, ବାଣିଜ୍ୟକୁ ନେଇ ଭାରତ ସହ ସମ୍ପର୍କକୁ ଦୁର୍ବଳ କରିବା ଏକ ରଣନୀତିକ ସଙ୍କଟ ହେବ, ଯାହାଦ୍ବାରା ଚୀନର ମୁକାବିଲା କରିବା ପାଇଁ ଆମେରିକା ଦୁର୍ବଳ ହୋଇପଡ଼ିବ। ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ରହିସାରିଥିବା ଜନ ବୋଲ୍ଟନ ମଧ୍ୟ ଟାରିଫକୁ ଭୁଲ ବୋଲି କହିଛନ୍ତି। ସେ ଚେତାବନୀ ଦେଇଛନ୍ତି ଏହାଦ୍ବାରା ଭାରତ ଚୀନ ଏବଂ ରୁଷର ନିକଟତର ହୋଇପାରେ।