ଓ୍ୱାଶିଂଟନ ୧୧/୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଗଲ୍ଫ ଖେଳିବାକୁ ଚ୍ୟାଲେଞ୍ଜ୍ ଦେଇଛନ୍ତି । କହିଛନ୍ତି, ଯଦି ସେ ବାଇଡେନ୍ଙ୍କଠାରୁ ଏହି ଖେଳରେ ହାରିଯାଆନ୍ତି, ତେବେ ରାଷ୍ଟ୍ରପତିଙ୍କ ପସନ୍ଦର କୌଣସି ଦାତବ୍ୟ ଅନୁଷ୍ଠାନକୁ ୧ ନିୟୁତ ଡଲାର (୮.୩୫ କୋଟି ଟଙ୍କା) ଦାନ କରିଦେବେ ।
ଟ୍ରମ୍ପ୍ ଫ୍ଲୋରିଡ଼ା ପ୍ରଦେଶରେ ଏକ ଜନସଭାରେ ବାଇଡେନ୍ଙ୍କୁ ଏଭଳି ଚ୍ୟାଲେଞ୍ଜ୍ ଦେଇଛନ୍ତି । ସେ କହିଛନ୍ତି, ମୁଁ ଆଜି ଏଠାକାର ଡୋରଲ୍ସ୍ଥିତ ବ୍ଲୁ ମନ୍ଷ୍ଟରରେ ୧୮ ହୋଲ୍ବିଶିଷ୍ଟ ଗଲ୍ଫ ମ୍ୟାଚ୍ ନିମନ୍ତେ ରାଷ୍ଟ୍ରପତି ବାଇଡେନ୍ଙ୍କୁ ଚ୍ୟାଲେଞ୍ଜ୍ ଦେଉଛି । ଏହାକୁ ବିଶ୍ୱର ସବୁଠୁ ଉନ୍ନତ ଗଲ୍ଫ କୋର୍ସ ଟୁର୍ଣ୍ଣାମେଣ୍ଟ ବିବେଚନା କରାଯାଏ ।
Donald, my offer to play golf still stands.
— Joe Biden (@JoeBiden) March 30, 2024
I’ll let you take three strokes off your game if you carry your own bag. pic.twitter.com/UAzOhwasFw
ଟ୍ରମ୍ପ୍ ଆହୁରି କହିଛନ୍ତି, ଯଦି ଏହି ମ୍ୟାଚ୍ ହୁଏ, ତେବେ ଏହା ଇତିହାସର ସବୁଠୁ ବଡ଼ ମୁକାବିଲା ହେବ, ଯାହାକୁ ସର୍ବାଧିକ ଦର୍ଶକ ଦେଖିବାକୁ ଆସିବେ । ହୁଏତ ଏହା ରାଇଡର କପ୍ କିମ୍ବା ମାଷ୍ଟର୍ସଠାରୁ ବଡ଼ ଆୟୋଜନ ହୋଇପାରେ । ତେବେ ବାଇଡେନ୍ ଏହି ପ୍ରସ୍ତାବକୁ କଦାପି ସ୍ୱୀକାର କରିବେ ନାହିଁ ବୋଲି ଟ୍ରମ୍ପ୍ ଦାବି କରିଛନ୍ତି । ଏହାପରେ ବାଇଡେନ୍ଙ୍କ ଟିମ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛି ।
ରାଷ୍ଟ୍ରପତିଙ୍କ ମୁଖପାତ୍ର ଜେମ୍ସ ସିଙ୍ଗର୍ କହିଛନ୍ତି, ଟ୍ରମ୍ପ୍ଙ୍କୁ ୧୨ ଦିନ ହେଲା ସାର୍ବଜନୀନ ଭାବେ ଦେଖିବାକୁ ମିଳି ନ ଥିଲା । ଏବେ ସେ ଆସି ରାଷ୍ଟ୍ରପତିଙ୍କୁ ଗଲ୍ଫ ଖେଳିବାକୁ ଚ୍ୟାଲେଞ୍ଜ୍ ଦେଉଛନ୍ତି । ଆମେ ଟ୍ରମ୍ପ୍ଙ୍କୁ ଚାକିରି ସୃଷ୍ଟି ଲାଗି ଚ୍ୟାଲେଞ୍ଜ୍ ଦେଉଛୁ । ତାଙ୍କ ସରକାର ଥିଲା ବେଳେ ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ ଚାକିରି ହରାଇଥିଲେ ।