ନୂଆଦିଲ୍ଲୀ: ଏବେ ସମୟ ଆସିଛି। ସାମ୍ନାସାମ୍ନି ହେବେ ପୁଟିନ-ଜେଲେନସ୍କି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ଏବଂ ୟୁରୋପୀୟ ନେତାଙ୍କ ସହ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ସମୟରେ ହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଟ୍ରମ୍ପ। ଏନେଇ ସୂଚନା ଦେଇଛି କ୍ରେମଲିନ। ଏହି ଆଲୋଚନା ସମୟରେ ଟ୍ରମ୍ପ ପରବର୍ତ୍ତୀ ବୈଠକର ରୂପରେଖ ପ୍ରସ୍ତୁତ କରିଥିଲେ ଏବଂ ଏକ ତ୍ରିପାକ୍ଷିକ ବୈଠକ ଯୋଜନା କରିଥିଲେ।
ଏହା ଅନୁଯାୟୀ, ଜେଲେନ୍ସକି ଏବଂ ପୁଟିନ ପ୍ରଥମେ ମୁହାଁମୁହିଁ ହେବେ, ତା’ପରେ ଟ୍ରମ୍ପଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଅଗଷ୍ଟ ଶେଷ ସୁଦ୍ଧା ପୁଟିନ ଏବଂ ଜେଲେନ୍ସକି ସାକ୍ଷାତ ହେବାର ସମ୍ଭାବନା ଅଛି। ଜେଲେନ୍ସକି ଏବଂ ୟୁରୋପୀୟ ନେତାଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ୍ କରିଛି। ଖୁବ୍ ଶୀଘ୍ର ରାଷ୍ଟ୍ରପତି ପୁଟିନ ଏବଂ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ଏକ ବୈଠକ ହେବ। ଏହା ପରେ ଏକ ତ୍ରିପାକ୍ଷିକ ବୈଠକ ହେବ, ଯେଉଁଥିରେ ଆମେ ଉଭୟ ସାମିଲ ହେବି।
ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆମର ଆଲୋଚନା ବହୁତ ଭଲ ଥିଲା, କିନ୍ତୁ ସର୍ବୋତ୍ତମ ଆସିବାକୁ ବାକି ଅଛି। ଆମେ ବହୁତ ସମ୍ବେଦନଶୀଳ ପ୍ରସଙ୍ଗ ବିଷୟରେ କଥା ହୋଇଥିଲୁ, ଯାହା ମଧ୍ୟରୁ ପ୍ରଥମଟି ଥିଲା ସୁରକ୍ଷା ଗ୍ୟାରେଣ୍ଟି। ୟୁକ୍ରେନର ସୁରକ୍ଷା ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଉପରେ ନିର୍ଭର କରେ। ତ୍ରିପାକ୍ଷିକ ବୈଠକରେ ସମସ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଅନ୍ୟ ସବୁକିଛି ଉପରେ ଆଲୋଚନା କରାଯିବ। ଟ୍ରମ୍ପ ଏହି ବୈଠକ ଆୟୋଜନ କରିବାକୁ ଚେଷ୍ଟା କରିବେ।
ଟ୍ରମ୍ପ କହିଛନ୍ତି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିବ କି ଶାନ୍ତି ଆସିବ। ଏହା ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ ଯୁଦ୍ଧ ଶେଷ କରିବା ପାଇଁ ଯୁଦ୍ଧବିରତିର ଆବଶ୍ୟକତା ନାହିଁ। ଯୁଦ୍ଧବିରତି କେବଳ ଏକ ଅସ୍ଥାୟୀ ସମାଧାନ। ଆମେ ଏକ ଦୀର୍ଘକାଳୀନ ଶାନ୍ତି ଚୁକ୍ତିନାମା ବିଷୟରେ କଥା ହେଉଛୁ। ଏକ ଶାନ୍ତି ଚୁକ୍ତିନାମା ଯୁଦ୍ଧବିରତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ମୋର ପ୍ରାଥମିକତା ହେଉଛି ଲୋକଙ୍କୁ ରକ୍ଷା କରିବା। ଆଶା କରୁଛି ବୈଠକରୁ ନିଷ୍କର୍ସ ବାହାରିବ।