ଟ୍ରମ୍ପ ପ୍ରଶାସନର ବଡ ନିଷ୍ପତ୍ତି, ନୂଆ ଷ୍ଟୁଡେଣ୍ଟସ୍ ଭିସା ଉପରେ ରୋକ୍ ଲଗାଇଲା ଆମେରିକାର

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ ୨୭।୫; ଆମେରିକାର ଟ୍ରମ୍ପ ପ୍ରଶାସନ ନୂଆ ଷ୍ଟୁଡେଣ୍ଟସ୍‌ ଭିସା ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଇଛି । ପରରାଷ୍ଟ୍ର ବିଭାଗ ପକ୍ଷରୁ ସମଗ୍ର ବିଶ୍ୱରେ ଥିବା ଦୂତାବାସକୁ କୌଣସି ଷ୍ଟୁଡେଣ୍ଟସ୍‌ ଭିସା (ଏଫ, ଏମ୍‌ କିମ୍ବା ଜେ ବର୍ଗର) ଲାଗି ଇଣ୍ଟରଭ୍ୟୁ ନ ନେବାକୁ ପରାମର୍ଶ ଦିଆଯାଇଛି । ଏହି ନିଷ୍ପତ୍ତି ତତ୍କାଳ ଲାଗୁ କରାଯାଇଛି । ଫଳରେ ଆମେରିକା ଯାଇ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଏହାର ପ୍ରଭାବ ପକାଇବ । ଏହି ଆଦେଶ ବିଶ୍ୱର ବିଭିନ୍ନ ଦେଶରେ ଥିବା ଆମେରିକାର ଦୂତାବାସ ଓ ବାଣିଜ୍ୟ ଦୂତାବାସକୁ ପଠାଯାଇଛି । ପରରାଷ୍ଟ୍ର ବିଭାଗ ସଚିବ ମାର୍କୋ ରୁବିଓ ଏଭଳି ନିଷ୍ପତ୍ତି ନିଆଯିବା ପଛର କାରଣ ମଧ୍ୟ ଦର୍ଶାଇଛନ୍ତି ।

 

ଏନେଇ ସେ କହିଛନ୍ତି ଆମେରିକା ଏବେ ଛାତ୍ରଛାତ୍ରୀ ଓ ଏକ୍ସଚେଞ୍ଜ ଭିଜିଟର୍ସଙ୍କ ସୋସିଆଲ ମିଡିଆ ପ୍ରୋଫାଇଲକୁ ଭଲ ଭାବେ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । ସେଥିପାଇଁ ଭିସା ଇଣ୍ଟରଭ୍ୟୁ ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି । ଏ ସଂକ୍ରାନ୍ତରେ ନୂଆ ମାର୍ଗଦର୍ଶିକା ନ ଆସିବା ପର୍ଯ୍ୟନ୍ତ କୌଣସି ଭିସା ଇଣ୍ଟରଭ୍ୟୁ କରାଯିବ ନାହିଁ । ଏହାର ଅର୍ଥ, ଭିସା ମିଳିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସୋସିଆଲ ମିଡିଆର ଇତିହାସ  ଯାଞ୍ଚ କରିବା ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ।ତେବେ ଏହି ନିଷ୍ପତ୍ତି ଭିତରେ ଏକ ଆଶ୍ୱସ୍ତିକର ଖବର ହେଉଛି କି ଯେଉଁ ଛାତ୍ରଛାତ୍ରୀଙ୍କ ଇଣ୍ଟରଭ୍ୟୁ ତଥ୍ୟ ପୂର୍ବରୁ ସ୍ଥିର ହୋଇସାରିଛି ସେମାନଙ୍କର ଭିସା ଇଣ୍ଟରଭ୍ୟୁ ରଦ୍ଦ କରାଯାଇନାହିଁ । ଅର୍ଥାତ ଯେଉଁମାନେ ପୂର୍ବରୁ ଭିସା ଇଣ୍ଟରଭ୍ୟୁ ଲାଗି ତାରିଖ ପାଇସାରିଛନ୍ତି ସେମାନେ ସେହି ତାରିଖରେ ଇଣ୍ଟରଭ୍ୟୁ ଦେଇପାରିବେ । କିନ୍ତୁ ଯେଉଁ ଛାତ୍ରଛାତ୍ରୀ ଭିସା ହାସଲ କରିବା ଲାଗି ନୂଆକରି ତାରିଖ ପାଇବାକୁ ଚାହୁଁଛନ୍ତି ସେମାନଙ୍କୁ ତାହା ଏବେ ମିଳିବ ନାହିଁ । 

ଆମେରିକା ସରକାର ନୂଆ ମାର୍ଗଦର୍ଶିକା ଜାରି କରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ହେବ । ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନ ବିଶ୍ୱାସ କରୁଛି କି ଆମେରିକାକୁ ପଢ଼ିବାକୁ ଆସୁଥିବା କିଛି ବିଦେଶୀ ଛାତ୍ରଛାତ୍ରୀ ଇହୁଦୀ ବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବ । ତେଣୁ ଟ୍ରମ୍ପ ପ୍ରଶାସନ ଅସ୍ଥାୟୀ ଭାବେ ଭିସା ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଛନ୍ତି । ଆମେରିକା ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ବିଶ୍ୱର ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସମସ୍ତଙ୍କ ନଜର ଟ୍ରମ୍ପ ପ୍ରଶାସନର ଆଗାମୀ ନିଷ୍ପତ୍ତି ଉପରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.