ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କୁ ବିବାହ କଲେ କି ପିନାକୀ ମିଶ୍ର ? ପୂର୍ବତନ ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ବିବାହ କରିଥିବା ଚର୍ଚ୍ଚା ହେଉଛି। ଏହି ବିବାହ ଜର୍ମାନୀରେ ହୋଇଥିଲା ବୋଲି କୁହାଯାଉଛି। ସମ୍ପୂର୍ଣ୍ଣ ଉତ୍ସବ ୨୦୨୫ ମେ ୩ରେ ହୋଇଥିଲା। ଜାତୀୟ ଗଣମାଧ୍ୟମ ଦି ଟେଲିଗ୍ରାଫରେ ତାଙ୍କ ବିବାହର ଏକ ଫଟୋ ମଧ୍ୟ ପ୍ରକାଶ ପାଇଛି।
ଏଥିରେ ପିନାକୀ ମିଶ୍ରଙ୍କ ସହିତ ଦେଖାଯାଇଛନ୍ତି ମହୁଆ ମୋଇତ୍ର। ତାଙ୍କ ଫଟୋ ବ୍ୟାକଗ୍ରାଉଣ୍ଡରେ ବର୍ଲିନର ଐତିହାସିକ ବ୍ରାଣ୍ଡେନବର୍ଗ ଗେଟ୍ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଫଟୋରେ ମହୁଆ ମୋଇତ୍ର ଶାଢ଼ୀ ଏବଂ ସୁନା ଅଳଙ୍କାର ପିନ୍ଧିଛନ୍ତି। ସେ ପିନାକୀ ମିଶ୍ରଙ୍କ ହାତ ମଧ୍ୟ ଧରିଛନ୍ତି।
ଏହି ସୂଚନା ଏପର୍ଯ୍ୟନ୍ତ ସରକାରୀ ଭାବରେ ସ୍ପଷ୍ଟ ହୋଇନାହିଁ। ମହୁଆ ମୈତ୍ର କିମ୍ବା ପିନାକୀ ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ଏ ବିଷୟରେ କୌଣସି ସୂଚନା ସେୟାର କରିନାହାଁନ୍ତି।
୧୨ ଅକ୍ଟୋବର ୧୯୭୪ରେ ଆସାମରେ ଜନ୍ମଗ୍ରହଣ କରିଥିବା ମହୁଆ ମୋଇତ୍ର ଜଣେ ନିବେଶକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପରେ ୨୦୧୦ରେ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇଥିଲେ। ମୋଇତ୍ର ୨୦୧୯ରେ ପଶ୍ଚିମବଙ୍ଗର କୃଷ୍ଣନଗର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ପିନାକୀ ମିଶ୍ର ୨୩ ଅକ୍ଟୋବର ୧୯୫୯ରେ ଓଡ଼ିଶାର ପୁରୀରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଶିଷ୍ଟ ରାଜନେତା ଏବଂ ବରିଷ୍ଠ ଓକିଲ। ସେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ବିଏ (ସମ୍ମାନ) ଏବଂ ଦିଲ୍ଲୀ ଆଇନ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ୧୯୯୬ ମସିହାରେ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇ କଂଗ୍ରେସ ସହିତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଶ୍ରୀ ମିଶ୍ର। ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ୨୦୦୯, ୨୦୧୪ ଏବଂ ୨୦୧୯ରେ ସାଂସଦ ନିର୍ବାଚିତ ହୋଇଥିଲେ।