ଆଇଜୋଲ ୧୨।୭: ଭାରତ ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ମିଜୋରାମ ରାଜଧାନୀ ଆଇଜୋଲକୁ ଟ୍ରେନ ଗଡିବ। ବୈରାବୀ-ସାୟରାଙ୍ଗ ରେଳ ପ୍ରକଳ୍ପରେ ଆଇଜୋଲକୁ ଦେଶର ପ୍ରମୁଖ ରେଳ ନେଟୱାର୍କ ସହିତ ସଂଯୁକ୍ତ କରାଯାଇଛି। ଏହି ଐତିହାସିକ ପଦକ୍ଷେପ ଯୋଗୁ ପୂର୍ବୋତ୍ତର ନା କେବଳ ଅନ୍ୟ ରାଜ୍ୟଙ୍କ ସହ ସଂଯୁକ୍ତ ହୋଇଛି ବରଂ ଏହା ଦ୍ୱାରା ମିଆଁମାର ବର୍ଡର ସ୍ଥିତ ଏହି କ୍ଷେତ୍ରର ସାମରିକ ଗୁରୁତ୍ୱ ମଧ୍ୟ ବଢି ଯାଇଛି।
ମିଜୋରାମ ଯାହାକୁ ‘ହେଭେନ ଅଫ ନର୍ଥଇଷ୍ଟ’ କୁହାଯାଏ ସେଠାରେ ଏବେ ବିକାଶ, ରୋଜଗାର ଓ କନେକ୍ଟିଭିଟି ଲାଗି ନୂଆ ରାସ୍ତା ଖୋଲିଛି। ନର୍ଥଇଷ୍ଟ ରେଲୱେ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ(ସିପିଆରଓ) କେ.କେ.ଶର୍ମା କହିଛନ୍ତି ଯେ ଏହି ଟ୍ରାକ୍ ରେ ରେଳ ଚଳାଚଳ ଆରମ୍ଭ ହେବା ଯୋଗୁ ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ଏବେ ମିଜୋରାମ ଏହି ଚାରି ପୂର୍ବୋତ୍ତର ରାଜ୍ୟଙ୍କ ରାଜଧାନୀ ଦେଶର ମୁଖ୍ୟ ରେଳ ନେଟୱାର୍କ ସହ ସଂଯୁକ୍ତ ହୋଇଯାଇଛି।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପକୁ ‘ମିଜୋରାମକୁ ଭାରତର ହୃଦୟ ସହ ସଂଯୋଗ’ ବୋଲି କହିବା ସହିତ ଏହାକୁ ଖୁବ୍ ଶୀଘ୍ର ଯାତ୍ରୀଙ୍କ ନିମନ୍ତେ ଆରମ୍ଭ କରାଯିବ ବୋଲି ସୂଚିତ କରିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ଏହି ରେଳ ମାର୍ଗକୁ ଉନ୍ମୋଚନ କରିବେ ବୋଲି ଆକଳନ କରାଯାଉଛି। ଆଇଜୋଲକୁ ସଂଯୁକ୍ତ କରୁଥିବା ବୈରାବୀ-ସାୟରାଙ୍ଗ ରେଳ ପ୍ରକଳ୍ପର କାମ ଶେଷ ହୋଇଛି। ମୋଟ ୫୧ କିଲୋମିଟରର ଏହି ନୂଆ ରେଳ ଲାଇନ ଦ୍ୱାରା ମିଜୋରାମ ରାଜଧାନୀ ଆଇଜୋଲକୁ ଦେଶର ଅନ୍ୟ ଅଞ୍ଚଳ ସହ ସଂଯୁକ୍ତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଆଇଜୋଲ ପହଞ୍ଚିବା ପାଇଁ ବିମାନ ମାର୍ଗରେ ଅଥବା ସଡ଼କ ପଥରେ ଦୀର୍ଘ ଯାତ୍ରା କରି ଯିବାକୁ ପଡୁଥିଲା। ଆସାମର ସିଲଚରରୁ ଆଇଜୋଲ ପର୍ଯ୍ୟନ୍ତ ସଡ଼କ ମାର୍ଗରେ ଯାତ୍ରା କରିବାକୁ ୮ରୁ ୧୦ ଘଣ୍ଟା ସମୟ ଲାଗୁଥିଲା। ଏବେ ଏହି ନୂଆ ରେଳ ଲାଇନ ମାଧ୍ୟମରେ ଏହି ଦୂରତାକୁ ମାତ୍ର ୩ ଘଣ୍ଟାରେ ପୂରା କରାଯାଇ ପାରିବ। ରେଳବାଇ ଅନୁସାରେ ଟ୍ରେନ ଏହି ଟ୍ରାକ୍ ରେ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ଚାଲିବ। ଏଣୁ ଯାତ୍ରା ଦ୍ରୁତ ଓ ଆରାମ ପ୍ରଦ ହେବ।