ରାପର୍ ବାଦଶାହଙ୍କୁ ସମନ ଜାରି କଲେ ମହିଳା କମିଶନ, ‘ତିତିହାରୀ’ ଗୀତକୁ ନେଇ ବିବାଦ

NEWS7
trade-with-china-increased-by-49-in-one-year-rahul-gandhi-reaction

ନୂଆଦିଲ୍ଲୀ: ଲୋକପ୍ରିୟ ରାପର୍ ବାଦଶାହ ପୁଣି ବିବାଦରେ ଫସିଛନ୍ତି । ନିଜର ରାପ୍କୁ ନେଇ ପ୍ରାୟତଃ ଚର୍ଚ୍ଚାକୁ ଆସୁଥିବା ବାଦଶାହଙ୍କୁ ସମନ କରିଛନ୍ତି ମହିଳା ଆୟୋଜ । ହରିୟାଣା ରାଜ୍ୟ ମହିଳା କମିଶନ ତାଙ୍କୁ ସମନ ପଠାଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଲୋକଗୀତ ‘ତିତିହାରୀ’କୁ ବିକୃତ କରି ବିବାଦରେ ଫସିଛନ୍ତି ବାଦଶାହ । ମାର୍ଚ୍ଚ ୧୩ ସୁଦ୍ଧା ବ୍ୟକ୍ତିଗତ ଭାବରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ତାଙ୍କୁ ନିର୍ଦ୍ଦେଶ ହୋଇଛି ।

ବାଦଶାହଙ୍କ ‘ତିତିହାରୀ’ ଗୀତ ୫ ଦିନ ପୂର୍ବରୁ ୟୁଟ୍ୟୁବରେ ରିଲିଜ୍ ହୋଇଛି । ଏହାକୁ ପ୍ରାୟ ୫ ଲକ୍ଷ ଭିଉ ମିଳିସାରିଛି । କିନ୍ତୁ ଏବେ ଏହି ଗୀତରେ ବ୍ୟବହୃତ ଶବ୍ଦକୁ ନେଇ ବିବାଦ ବୃଦ୍ଧି ପାଇଛି । ବିଶେଷ କରି ମହିଳାଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ନାରୀ ତୁ ନାରାୟଣୀ ସଂଗଠନର ସଭାପତି ସବିତା ଆର୍ଯ୍ୟ ଏବଂ ଶିବ ଆରତୀ ଫାଉଣ୍ଡେସନର ମୁଖ୍ୟ ଶିବ କୁମାରଙ୍କ ଅଭିଯୋଗ ପରେ ମହିଳା କମିଶନ ସିଙ୍ଗର-ରାପରଙ୍କୁ ସମନ ପଠାଇଛନ୍ତି ।

ଏହା ବ୍ୟତୀତ ଓକିଲ ରାଜ ନାରାୟଣ ମଧ୍ୟ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଫଳରେ ବାଦଶାହଙ୍କ ସମସ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି । ଗୀତରେ ‘ଆୟା ବାଦଶାହ ଡୋଲି ଚଢାନେ, ଇନ୍ ସବକି ଘୋଡି ବନାନେ’ ଉପରେ ଆପତ୍ତି କରିଛନ୍ତି ଅଭିଯୋଗକାରୀ । ଅଭିଯୋଗରେ କୁହାଯାଇଛି ଯେ, ଗୀତରେ ଅଶ୍ଳୀଳ ଭାଷା ବ୍ୟବହାର କରାଯାଇଛି । ଏଥିରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ନାବାଳିକା ଝିଅମାନଙ୍କୁ ଦେଖିବାକୁ ମିଳିଛି । ସେମାନେ ହରିୟାଣା ବସ ଉପରେ ଚଢ଼ି ନାଚୁଛନ୍ତି, ସ୍କୁଲ ବ୍ୟାଗ ଫୋପାଡ଼ୁଥିବା ଭଳି ଦୃଶ୍ୟ ମଧ୍ୟ ଏହି ଗୀତରେ ରହିଛି ।