ପାରାଦୀପର ବିଭିନ୍ନ ସ୍ଥାନରେ ଚଢ଼ାଉ, ବାଇକ୍‌ ସହ ଟନ୍‌ ଟନ୍‌ କୋଇଲା ଜବତ

Published By : Prameya-News7 Bureau | February 15, 2025 IST

ପାରାଦ୍ଵୀପ ୧୫/୦୨: ପାରାଦୀପରେ ଲମ୍ବିଛି ଚୋରା କୋଇଲା ବ୍ୟବସାୟର ଚେର । ଟ୍ରେନ୍‌ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା ବେଳେ ଅଧା ବାଟରେ କୋଇଲା କାଢି ବିକ୍ରି କରୁଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଜଣକୁ ଗିରଫ କରି ଏକ ବାଇକ୍‌ ସହ ଟନ୍‌ ଟନ୍‌ କୋଇଲା ଜବତ କରିଛି କ୍ରାଇମବ୍ରାଞ୍ଚ । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି  ।

ସୂଚନାଥାଉକି, ଗତ ଦୁଇ ରାତିରେ ପାରାଦ୍ଵୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢି ଥିବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇ ରେଲୱେ ସୁରକ୍ଷା ବଳ ସେଠାରେ ପହଞ୍ଚି ପାଖାପାଖି ୫ ଟନ୍ ର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ୍ ଜବତ କରିଥିଲେ । ଘଟଣାର ତଦନ୍ତ ରେଲୱେ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇ ପାରାଦୀପରେ ଚଢ଼ାଉ କରିଥିଲା। 

କୋଇଲା ଚୋରି ରାକେଟର ଜଣଙ୍କୁ ଗିରଫ କରିବା ପରେ ବିଳମ୍ବିତ ରାତିରେ ପାରାଦୀପର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ମାନେ ଫେରାର ହୋଇଯାଇଥିବା ବେଳେ, ଦୋଛକି ନିକଟ ଏକ ପାଲ ଘେରା ଘରୁ ୩୦ ଟନ୍ ଚୋରା କୋଇଲା ଓ ତେଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ । 

ଏହି ଘଟଣାରେ ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟିମ୍ ପାରାଦୀପ ଅଠରବାଙ୍କି ନିକଟ କଲୋନୀରୁ ବିପୁଳ ପରିମାଣର ରୋଚା କୋଇଲା ଜବତ କରାଯାଇଛି। ଏହି ମୁଲ୍ୟବାନ କୋଇଲା ଗୁଡିକୁ ଚୋରି କରାଯାଇ କଲୋନୀର ବିଭିନ୍ନ ସ୍ଥାନରେ ରଖାଯାଇ ପରେ ଟ୍ରକ୍ ଯୋଗେ ବାହାର ଜିଲ୍ଲାରେ ବିକ୍ରି କରାଯାଏ । ଜବତ କୋଇଲାକୁ ବନ୍ଦର ସିଆଇଏସ‌ଫ ଓ କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ମୂଲ୍ୟ ଆକଳନ କରାଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.