ବୁଧବାର ଭୋଟ୍ ଦେବ ଦିଲ୍ଲୀ: ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି, ଏଥର ତ୍ରିମୁଖୀ ଲଢ଼େଇ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଆସନ୍ତାକାଲି ଭୋଟ୍ ଦେବ ରାଜଧାନୀ । ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ତେବେ ଭୋଟିଂର ୪୮ ଘଣ୍ଟା ପୂର୍ବରୁ ରାଜଧାନୀରେ ପ୍ରଚାର ଥମିଛି । ସେପଟେ ପୋଲିଂ ପାର୍ଟି ମଧ୍ୟ ବୁଥ୍‌ରେ ପହଞ୍ଚିଲେଣି । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କାଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ଫେବ୍ରୁଆରୀ ୮ ତାରିଖରେ ମତଗଣତି ହେବ ।  

ଦିଲ୍ଲୀରେ ପ୍ରାୟ ୧.୫୬ କୋଟି ପଞ୍ଜୀକୃତ ମତଦାତା ୧୩, ୭୬୬ଟି ମତଦାନ କେନ୍ଦ୍ରରେ ନିଜର  ମତାଧିକାର ସାବ୍ୟସ୍ତ କରିବେ  । ମୋଟ୍ ଭୋଟରଙ୍କ ମଧ୍ୟରୁ ୮୩.୭୬  ଲକ୍ଷ ହେଉଛନ୍ତି ପୁରୁଷ ରହିଥିବା ବେଳେ ୭୨.୩୬ ଲକ୍ଷ ହେଉଛନ୍ତି ମହିଳା । ୧, ୨୫୭ ଜଣ ତୃତୀୟ ଲିଙ୍ଗୀ ବି ସାମିଲ । ଦିବ୍ୟାଙ୍ଗମାନଙ୍କ ଲାଗି ୭୩୩ଟି ମତଦାନ କେନ୍ଦ୍ର ନିର୍ଦ୍ଧାରିତ  କରାଯାଇଛି ।

ଏଥର ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି, ବିଜେପି ଓ  କଂଗ୍ରେସ ମଧ୍ୟରେ ତ୍ରିମୁଖୀ  ଲଢ଼େଇ ଦେଖିବାକୁ   ମିଳିବ । ସେଥିମଧ୍ୟରୁ  ଆପ୍‌ ଶେଷ ଦୁଇ ଥର ୨୦୧୫ ଓ ୨୦୨୦ରେ  ବିଧାନସଭା ନିର୍ବାଚନ  ଜିତିଥିଲା । ସୁଶାସନ ଓ  ବିଭିନ୍ନ ଜନକଲ୍ୟାଣକାରୀ  ଯୋଜନାର ଦ୍ୱାହି ଦେଇ ଦଳ ତୃତୀୟ ଥର ରାଜଧାନୀ ଦଖଲ କରିବାକୁ ଆଶାୟୀ ରହିଛି । ଆପ୍‌ ପୂର୍ବରୁ କଂଗ୍ରେସ ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ଥିଲା । ଏଥର ସର୍ବପୁରାତନ ଦଳ ପୁଣି ଥରେ ଦିଲ୍ଲୀ ଦଖଲ କରିବା ନେଇ ଦାବି କରିଛି । ସେହିଭଳି ବିଜେପି ୨୫  ବର୍ଷ ହେଲା ଦିଲ୍ଲୀରେ କ୍ଷମତାରୁ ଦୂରେଇ  ଥିବାବେଳେ ଏଥର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିବା ନେଇ ପ୍ରାଣମୂର୍ଚ୍ଛ ଉଦ୍ୟମ ଚଳାଇଛି ।

ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୫ରେ ସକାଳ ୭ଟାରୁ ସଂଧ୍ୟା ୬.୩୦ ଯାଏ ଏକଜିଟ୍ ପୋଲ୍ ଉପରେ ସମ୍ପୂର୍ଣ୍ଣ ବ୍ୟାନ ରହିବ । ନିର୍ଦ୍ଦେଶନାମା ଅନୁସାରେ  ଯେପର୍ଯ୍ୟନ୍ତ ମତଦାନ ଚାଲିବ, ସେପର୍ଯ୍ୟନ୍ତ କୌଣସି ଏକଜିଟ୍ ପୋଲ୍ ପ୍ରସାରଣ ହେବ ନାହିଁ । ସଂଧ୍ୟା ୬.୩୦ ପରେ ମିଡିଆରେ ଏକଜିଟ୍ ପୋଲ୍ ଦେଖାଯାଇପାରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.