ଏଥର ଖଣ୍ଡଗିରି ମେଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ଡ୍ୟାନ୍ସ, ରୋକ୍ ଲଗାଇଲା ବିଏମ୍‌ସି

NEWS7
todays-prediction-1080

ଭୁବନେଶ୍ବର ୨।୧: ଜାନୁଆରୀ ୨୫ ତାରିଖରୁ  ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଯାତ୍ରା    ଡାଇଲଗ ଓ  ସଂଳାପରେ କମ୍ପିବ ଖଣ୍ଡଗିରି ପାଦଦେଶ । ବିଭିନ୍ନ ନାମିଦାମୀ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ ।  ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଅନେକ ଯାତ୍ରାପ୍ରେମୀଙ୍କ ଆଗ୍ରହ ରହିଥାଏ । ଦମଦାର ଅଭିନୟ, ନୃତ୍ୟ ସଙ୍ଗୀତର ମଜା ନିଅନ୍ତି ଦର୍ଶକ । ହେଲେ ଏଥର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ  ପ୍ରଦର୍ଶନ କରି ପାରିବେନି କୌଣସି ଯାତ୍ରା ପାର୍ଟି । କଠୋର ହେଲା ବିଏମସି । ଖଣ୍ଡଗିରି ମାଘ ମେଳାରେ ଯାତ୍ରା ପରିବେଷଣ ସମୟରେ  କୌଣସି ଯାତ୍ରା ପାର୍ଟି ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇଛି ବିଏମସି । ଯାତ୍ରାରେ ଚଳିବନି ଅଶ୍ଳୀଳତା । କାହାକୁ ଆକ୍ଷେକ କି ପ୍ରତିଆକ୍ଷେପ କରିବା ମନା । ନାଟକ ମାଧ୍ୟମରେ କାହାକୁ ଅପମାନ କଲାଭଳି ଶବ୍ଧ ବ୍ୟବହାର କରିବେନି ।

ଖଣ୍ଡଗିରିରେ ୭ଟି ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ ବେଳେ ଆଇଟମ୍ ଡ୍ୟାନ୍ସ ଉପରେ ରୋକ୍ ଲଗାଯାଇଛି ।  ଏ ନେଇ  ପୋଲିସ ଓ ବିଏମସି ଟିମ୍ ଯାଞ୍ଚ କରିବା ସହ ସଜାଗ ରହିବେ । ଯେପରି କୌଣସି ଅପେରା ପାର୍ଟି ଆଇଟମ୍ ନୃତ୍ୟ ନକରିବେ ତାଉପରେ ନଜର ରଖାଯିବ ବୋଲି ବିଏମସି  ମେୟର ସୁଲୋଚନା ଦାସ କହିଛନ୍ତି । ଶୁକ୍ରବାର ମାଘମେଳା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମେୟର କହିଛନ୍ତି । ସେପଟେ ସରକାର ଯାହା ନିୟମ କରିବେ ଆମେ ସବୁ ମାନିବୁ ବୋଲି କହିଛନ୍ତି ଯାତ୍ରା କମିଟି ଓ କର୍ତ୍ତୃପକ୍ଷ ।  ବିଗତ ବର୍ଷ  ଅଶ୍ଳୀଳ ନୃତ୍ୟକୁ ଜଗିବାକୁ ନେଇ ଚର୍ଚ୍ଚାରେ ରହିଥିଲେ ବିଧାୟକ ବାବୁ ସିଂଙ୍କ ଠେଙ୍ଗା ବାହିନୀ ।

ଜାନୁଆରୀ ୨୫ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମାଘ ମେଳା । ସମସ୍ତ କର୍ପୋରେଟର, ଷ୍ଟାଣ୍ଡିଙ୍ଗ କମିଟି, ଯାତ୍ରା କମିଟି, ବିଦ୍ୟୁତ୍ ବିଭାଗ, ୱାଟକୋ, ଆର ଏଣ୍ଡ ବି, ପୋଲିସ ସହ ବିଏମ୍‌ସି ବୈଠକ କରିଛି ।  ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୁଷ ଓ ମହିଳା ସୁରକ୍ଷା କର୍ମୀ ନିୟୋଜିତ ହେବେ । ୧୦୦ ରୁ ଉର୍ଦ୍ଧ୍ବ ସିସିଟିଭି ଲାଗିବ । BMCର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ, ସବୁ ବିଭାଗର ଅଧିକାରୀ ମାନେ ରହିବେ । ଅନନ୍ତ କେଶରୀଙ୍କ   ଶୋଭାଯାତ୍ରାଠୁ ନେଇ ଷ୍ଟଲ ବଣ୍ଟନ ଉପରେ ଆଲୋଚନା କରାଯାଇଛି । ନାଗା ସାଧୁ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ, ଆଲୋକୀକରଣ, ସୁରକ୍ଷା ଯୋଗେଇ ଦିଆଯିବ । ବୁଲା ବିକାଳୀଙ୍କ ପ୍ରବେଶରେ ରୋକ୍ ଲଗାଇବାକୁ  ନିଷ୍ପତ୍ତି  ହୋଇଛି । ଆବଶ୍ୟକ ଅନୁଯାୟୀ ସ୍ୱାସ୍ଥ୍ୟ ସେବା, ଭ୍ରାମ୍ୟମାଣ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା କରାଯିବ । ପୋଲିସର ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ​​​​​​​