ଭାରତକୁ କାଉଣ୍ଟର କରିବାକୁ ଏକାଠୀ ହେଲେ ବାଂଲାଦେଶ, ଚୀନ ଓ ପାକିସ୍ତାନ: ସାର୍କ ବଦଳରେ ତିଆରି କରିବେ ଆଞ୍ଚଳିକ ସଂଗଠନ

Published By : Prameya-News7 Bureau | June 30, 2025 IST

indiatoday

ନୂଆଦିଲ୍ଲୀଭାରତକୁ କାଉଣ୍ଟର କରିବାକୁ ଏକାଠି ହେଉଛନ୍ତି ୩ ପଡ଼ୋଶୀ- ବାଂଲାଦେଶ, ପାକିସ୍ତାନ ଓ ଚୀନ। ଦକ୍ଷିଣ ଏସିଆ ସଂଗଠନ ସାର୍କ (South Asian Association for Regional Cooperation)ର ଗୁରୁତ୍ୱ ହ୍ରାସ କରିବାକୁ ଏହି ୩ ଦେଶ ଏକାଠି ହୋଇ ଏକ ଆଞ୍ଚଳିକ ସଂଗଠନ ଗଠନ କରିବା ଦିଗରେ କାମ କରୁଛନ୍ତି। ଭାରତ ସାର୍କର ଏକ ପ୍ରମୁଖ ସଦସ୍ୟ ରହିଛି। ହେଲେ ଚୀନ ଏଥିରେ ସଦସ୍ୟ ନାହିଁ। ତେଣୁ ଭାରତକୁ ଚେକ୍ ଦେବାକୁ ଆଞ୍ଚଳିକ ସଂଗଠନ ତିଆରି କରିବାକୁ ମସୁଧା ଚାଲିଛି। ପାକିସ୍ତାନ ଚୀନ ସହ ମିଶି ଏହି କାର୍ଯ୍ୟରେ ଲାଗିଥିବା ବେଳେ ଏସବୁ ପଛର ମାଷ୍ଟର ମାଇଣ୍ଡ ହେଉଛି ଚୀନ। ଏନେଇ ପାକିସ୍ତାନ ଗଣମାଧ୍ୟମ ଦ ଏକ୍ସପ୍ରେସ ଟ୍ରିବ୍ୟୁନ ଅଫ ପାକିସ୍ତାନରେ ରିପୋର୍ଟ ପ୍ରକାଶ ପାଇଛି। 

ଏନେଇ ଜୁନ ୧୯ ତାରିଖରେ ଚୀନର କୁନିମିଙ୍ଗରେ ଏକ ବୈଠକ ହୋଇଥିଲା। ଏଥିରେ ପାକିସ୍ତାନ ସହ ବାଂଲାଦେଶ ମଧ୍ୟ ଯୋଗ ଦେଇଥିଲା। ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ହେବାକୁ ଯାଉଥିବା ନୂଆ ସଂଗଠରେ ଯୋଗ ଦେବା ପାଇଁ ସାର୍କର ଅଂଶ ଥିବା ଅନ୍ୟ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ନିମନ୍ତ୍ରଣ କରିବା। 

କୁନମିଙ୍ଗରେ ବୈଠକ ପୂର୍ବରୁ ମେ ମାସରେ ଚୀନ୍-ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ମଧ୍ୟ ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା। ଏଥିରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡରକୁ ବିସ୍ତାର କରିବା ଏବଂ ତାଲିବାନ-ଶାସିତ ଇସଲାମିକ୍ ଏମିରେଟରେ ଆଞ୍ଚଳିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା  ହୋଇଥିଲା।

ତେବେ ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ସାର୍କ ସକ୍ରିୟ ସ୍ତରରେ ନାହିଁ। ତେଣୁ ଏଠି ଭାରତରେ ପ୍ରଭାବ ସେତେଟା ନାହିଁ। ଯାହାର ସୁଯୋଗ ଚୀନ ନେବାକୁ ଚାହୁଁଛି। ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ)ର ଗଠନ ୮ ଡିସେମ୍ବର, ୧୯୮୫ରେ ବାଂଲାଦେଶର ଢାକାରେ ହୋଇଥିଲା। ଏହାର ୭ ଜଣ ପ୍ରତିଷ୍ଠାତା ସଦସ୍ୟ ଥିଲେ। ୨୦୦୭ରେ ଆଫଗାନିସ୍ତାନ ଏଥିରେ ସାମିଲ୍ ହୋଇଥିଲା। ସାର୍କରେ ବର୍ତ୍ତମାନ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ, ଆଫଗାନିସ୍ତାନ, ମାଳଦ୍ୱୀପ, ଭୁଟାନ ଏବଂ ଶ୍ରୀଲଙ୍କା ସଦସ୍ୟ ଅଛନ୍ତି।

୨୦୧୬ ଠାରୁ ସାର୍କ ନିଷ୍କ୍ରିୟ ହୋଇ ରହିଛି। ଯଦିଓ ୨୦୧୪ କାଠମାଣ୍ଡୁ ଶିଖର ସମ୍ମିଳନୀ ପରଠାରୁ ସାର୍କ ନେତାମାନେ ପରସ୍ପରକୁ ଭେଟି ନାହାଁନ୍ତି, ତଥାପି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହାରେ ପ୍ରଥମ ଥର ପାଇଁ ସାର୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ କୋଭିଡ-୧୯ ଜରୁରୀକାଳୀନ ପାଣ୍ଠି ପ୍ରସ୍ତାବ ଦେଇଥିଲେ। ଭାରତର ୧୦ ମିଲିଅନ ଡଲାର ଅବଦାନ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେହି ବର୍ଷ ନଭେମ୍ବରରେ ଇସଲାମାବାଦରେ ୧୯ତମ ସାର୍କ ସମ୍ମିଳନୀ ଅନୁଷ୍ଠିତ ହେବାର ଥିଲା। ହେଲେ ତା ପୂର୍ବରୁ ପାକିସ୍ତାନ ପ୍ରାୟୋଜିତ ଉରି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୧୭ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ। ଏହାପରେ ଭାରତ ବୈଠକ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଆତଙ୍କବାଦ ଏବଂ ଆଞ୍ଚଳିକ ହସ୍ତକ୍ଷେପ ବିଷୟରେ ଚିନ୍ତା କରି ଆଫଗାନିସ୍ତାନ, ବାଂଲାଦେଶ ଏବଂ ଭୁଟାନ ମଧ୍ୟ ଏହି ସମ୍ମିଳନୀରୁ ଓହରି ଯାଇଥିଲେ। ଫଳରେ ସମ୍ମିଳନୀ ବାତିଲ ହୋଇଥିଲା। ସେବେଠାରୁ ସାର୍କ ଅଚଲ ହୋଇ ପଡ଼ି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.