ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବଦଳିବାର ସମ୍ଭାବନା ଉପରେ ବଡ଼ ବୟାନ ଦେଇଛନ୍ତି। ପାର୍ଟିର କିଛି ନେତାଙ୍କ ଟିପ୍ପଣୀକୁ ନେଇ ସେ ସୋମବାର କହିଥିଲେ ଯେ, ଏମିତି ମାମଲାରେ ନିଷ୍ପତ୍ତି ହାଇକମାଣ୍ଡ ନେବେ ଏବଂ କାହାକୁ ମଧ୍ୟ ଅନାବଶ୍ୟକ ସମସ୍ୟା ସୃଷ୍ଟି କରିବା ଉଚିତ୍ ନୁହେଁ। ଖଡଗେ ରାଜ୍ୟରେ କଂଗ୍ରେସର କିଛି ନେତାଙ୍କ ପକ୍ଷରୁ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ବଦଳିବାର ସମ୍ୱନ୍ଧରେ କରାଯାଇ ଥିବା ଦାବିରେ ମିଡ଼ିଆ ପ୍ରଶ୍ନର ଉତ୍ତର ଦେଇ ଥିଲେ। ସେ କହିଥିଲେ, ଦେଖନ୍ତୁ ,ଏହା ହାଇକମାଣ୍ଡଙ୍କ ହାତରେ ଅଛି। ଏହା କେହି କହି ପାରିବେ ନାହିଁ ଯେ, ହାଇକମାଣ୍ଡଙ୍କ ମନରେ କଣ ଚାଲିଛି। ଏହା ହାଇକମାଣ୍ଡଙ୍କ ଉପରେ ଛାଡି ଦିଆଯାଇଛି ଏବଂ ଆଗକୁ କୌଣସି ବି ନିଷ୍ପତ୍ତି ନେବାର ଅଧିକାର ତାଙ୍କ ପାଖରେ ଅଛି। ହେଲେ ଅନାବଶ୍ୟକ ଭାବେ କାହାକୁ ସମସ୍ୟା ସୃଷ୍ଟି କରିବା ଉଚିତ୍ ନୁହେଁ।
୨୦୨୩ରେ ଯେବେ କର୍ଣ୍ଣାଟକରେ କଂଗ୍ରେସର ସରକାର ହୋଇଥିଲା, ତ ଏମିତି ଅନୁମାନ ଥିଲା ଯେ, ସିଦ୍ଦରମୈୟା ଓ ଡିକେ ଶିବକୁମାର ଅଢେଇ ଅଢେଇ ବର୍ଷ ପାଇଁ ରାଜ୍ୟର ନେତୃତ୍ୱ ନେବେ। ହେଲେ ଏମିତି ଦାବିକୁ ପାର୍ଟି ( ପାଳି କରି ମୁଖ୍ୟମନ୍ତ୍ରୀ କରାଯିବା) ନିଶ୍ଚିତ କରିନାହିଁ କି ଅସ୍ୱୀକାର ମଧ୍ୟ କରିନାହିଁ। ବର୍ତ୍ତମାନ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଉପମୁଖ୍ୟମନ୍ତ୍ରୀ। କଂଗ୍ରେସ ବିଧାୟକ ଏଚ୍ ଏ ଇକବାଲ ହୁସେନ ରବିବାର ଦାବି କରିଛନ୍ତି ଯେ, ଶିବ କୁମାରଙ୍କୁ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳି ପାରେ। ଶିବକୁମାରଙ୍କ ନିକଟତର ବୋଲି ବିବେଚନା କରାଯାଉ ଥିବା ବିଧାୟକଙ୍କ ଏହି ମନ୍ତବ୍ୟ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର କଳ୍ପନାଜଳ୍ପନା ମଧ୍ୟରେ ଆସିଛି।
ଇକବାଲ ହୁସେନଙ୍କର ଏହି ବୟାନ ଏମିତି ସମୟରେ ଆସିଛି , ଯେତେବେଳେ ସମବାୟ ମନ୍ତ୍ରୀ କେଏନ୍ ରାଜନ୍ନା ସେପ୍ଟେମ୍ୱର ପରେ ରାଜ୍ୟରେ ବିପ୍ଲବୀ ରାଜନୈତିକ ଘଟଣାକ୍ରମର ସୂଚନା ଦେଇଥିଲେ। ରାମନଗରରେ ଯେତେବେଳେ ଶିବକୁମାରଙ୍କୁ ପଚରାଗଲା ଯେ, ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଅଛି କି ନାହିଁ, ହୁସେନ କହିଥିଲେ , ଆପଣମାନେ ସମସ୍ତେ ଜାଣନ୍ତି ଯେ, ଏହି ସରକାର କ୍ଷମତାକୁ ଆସିବା ପୂର୍ବରୁ ଆମର ଶକ୍ତି କଣ ଥିଲା। ସମସ୍ତେ ଜାଣନ୍ତି ଯେ, କିଏ ସଂଘର୍ଷ କରିଥିଲେ, ଝାଳ ବୁହାଇ ଥିଲେ , କଠିନ ପରିଶ୍ରମ କରିଥିଲେ ଏବଂ ଏହି ବିଜୟ ହାସଲ କରିବାକୁ କିଏ ଆଗ୍ରହୀ ଥିଲେ। ଶିବକୁମାରଙ୍କ ରଣନୀତି ଏବଂ କାର୍ଯ୍ୟକ୍ରମ ଏବେ ଇତିହାସ। ମୁଁ କଳ୍ପନାଜଳ୍ପନାରେ କେବେ ବିଶ୍ୱାସ କରେ ନାହିଁ । ଆମର ପୂରା ବିଶ୍ୱାସ ଯେ, ହାଇକମାଣ୍ଡ ଏହି ସ୍ଥିତିରେ ଅବଗତ ଏବଂ ତାଙ୍କୁ ସୁଯୋଗ ଦେବା ପାଇଁ ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବେ।