ସୁପ୍ରିମକୋର୍ଟରେ ଓକିଲ AI ସହାୟତାରେ ଲେଖୁଛନ୍ତି ପିଟିସନ! CJI ସୂର୍ଯ୍ୟକାନ୍ତଙ୍କ ଉଦବେଗ

NEWS7
tihar-jail-administration-has-sent-its-report-to-the-lt-governor

ନୂଆଦିଲ୍ଲୀ ୧୭।୨: ଦେଶର ସବୁଠୁ ବଡ଼ ନ୍ୟାୟାଳୟ ସୁପ୍ରିମକୋର୍ଟରେ ଏବେ ଓକିଲଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବଢୁଥିବା ଉପଯୋଗକୁ ନେଇ ଚିନ୍ତା ପ୍ରକାଶ ପାଇଛି। ନିକଟରେ ଶୁଣାଣି କାଳରେ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି ଯେ କିଛି ଓକିଲ ପିଟିସନ ଓ ଆଇନଗତ କାଗଜପତ୍ର ଏଆଇ ସହାୟତାରେ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ଭୁଲ ଓ ଅଧାଅଧୁରା ସୂଚନା ରହୁଛି। ସିଜେଆଇ ସୂର୍ଯ୍ୟକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ କୋର୍ଟଙ୍କ ସାମ୍ନାକୁ ଏବେ ଏପରି ମାମଲା ସବୁ ଆସୁଛି ଯେଉଁଥିରେ ଯେଉଁସବୁ କେସ୍ ର ରାୟ ଓ ଆଇନର ଉଦାହରଣ ଦିଆଯାଉଛି ତାହା ବାସ୍ତବରେ ମହଜୁଦ ହିଁ ନାହିଁ।

ଅନେକ ପିଟିସନରେ ଏପରି ରାୟ ସବୁର ଉଲ୍ଲେଖ କରାଯାଉଛି ଯାହା କେବେ ଦିଆ ହିଁ ଯାଇନି। ଏଥି ଯୋଗୁ ନା କେବଳ କୋର୍ଟଙ୍କ ସମୟ ନଷ୍ଟ ହେଉଛି ବରଂ ବିଚାର ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡୁଛି। ସେହିପରି ଶୁଣାଣି ସମୟରେ ଏହା ବି ସାମ୍ନାକୁ ଆସିଛି କିଛି ଓକିଲ ଯାଞ୍ଚ ନକରି ବିନା ତଥ୍ୟରେ ଏଆଇ ଟୁଲସ୍ ରେ ପ୍ରସ୍ତୁତ ଡ୍ରାଫ୍ଟ କୋର୍ଟରେ ଉପସ୍ଥାପନ କରିଦେଉଛନ୍ତି। ଏହା ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‘ଓକିଲଙ୍କ ଦାୟିତ୍ୱ ହେଉଛି ସେମାନେ ଦେଉଥିବା ପ୍ରତ୍ୟେକ ତଥ୍ୟ ଓ ସନ୍ଦର୍ଭକୁ ନିଜେ ତଦାରଖ କରନ୍ତୁ’।

ଏଆଇକୁ କେବଳ ସହାୟତା ରୂପେ ଗ୍ରହଣ କରାଯାଇ ପାରେ, କିନ୍ତୁ ଓକିଲଙ୍କ ବୁଦ୍ଧି ଓ ଦାୟିତ୍ୱର ସ୍ଥାନ ନେଇ ପାରିବନି। କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀରେ ଚିନ୍ତା କରିବା, ବୁଝିବା ଓ ପରିସ୍ଥିତିକୁ ପରଖିବାର ମାନବୀୟ କ୍ଷମତା ନଥାଏ। ନ୍ୟାୟ କେବଳ ନିୟମରେ ନୁହେଁ ବରଂ ସମ୍ବେଦନା, ଅନୁଭବ ଓ ବିବେକରେ ଦିଆଯାଇଥାଏ, ଯାହା କୌଣସି ମେସିନ ଦ୍ୱାରା ସମ୍ଭବ ନୁହେଁ। ସିଜେଆଇ ସୂର୍ଯ୍ୟକାନ୍ତ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଭବିଷ୍ୟତରେ ଏଆଇ ପ୍ରସ୍ତୁତ ଭୁଲ ପିଟିସନ ସାମ୍ନାକୁ ଆସେ ଏହା ଉପରେ କଡ଼ା ପଦକ୍ଷେପ ନିଆଯିବ।

ଓକିଲ ଏହା ବୁଝିବା ଦରକାର ଟେକ୍ନୋଲଜିର ଉଚିତ ଓ ସୀମିତ ଉପଯୋଗୀତା ନ୍ୟାୟ ବ୍ୟବସ୍ଥାର ହିତରେ, ଅନ୍ୟଥା ଏହା ବିପଦକୁ ଟାଣି ଆଣିବ। ତେବେ ସୁପ୍ରିମକୋର୍ଟ ଏହା ମାନିଛନ୍ତି ଯେ ଏଆଇ ଉପଯୋଗରେ ଗବେଷଣା, ପୁରୁଣା ରାୟର ସନ୍ଧାନ ଓ ଡକ୍ୟୁମେଣ୍ଟ ମ୍ୟାନେଜ କରିବାରେ ସହାୟକ ହୋଇପାରେ। ହେଲେ ଫାଇନାଲ ଡ୍ରାଫ୍ଟ, ତର୍କ ଓ ତଥ୍ୟ ଉପସ୍ଥାପନ କରିବା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ଓକିଲଙ୍କ ଉପରେ ନ୍ୟସ୍ତ।

ଏହା ବି ପଢନ୍ତୁ:-Sonam Wangchuk Case: ସୁପ୍ରିମକୋର୍ଟ କହିଲେ-ଆମେ AI ଯୁଗରେ ରହୁଛେ, ସଠିକ ଭିଡିଓ ଟ୍ରାନ୍ସସ୍କ୍ରିପ୍ଟ ଦିଅ