ବଢିଲା ବାୟୁସେନାର ଶକ୍ତି : ଆସିବ ଆଉ ୧୧୪ ରାଫେଲ୍, ମଞ୍ଜୁରି ଦେଲେ କେନ୍ଦ୍ର ସରକାର

NEWS7
ticket-sales-from-today-for-world-cup-hockey

ନୂଆଦିଲ୍ଲୀ, ୧୨|୦୨: ବଢିବ ବାୟୁସେନାର ଶକ୍ତି । ଆହୁରି ଅଧିକ ଶକ୍ତିଶାଳୀ ହେବ ଭାରତ । ଶତ୍ରୁ ଦେଶଙ୍କ ମୁକାବିଲା କରିବାରେ କୌଣସି ଅସୁବିଧା ହେବନି । ଏବେ ଏକାଥରେ ଦୁଇ ଶତ୍ରୁ ଦେଶ ବିପକ୍ଷରେ ଭାରତ ଲଢିପାରିବ । କାରଣ ସରକାର ଫ୍ରାନ୍ସରୁ ଆଉ ୧୧୪ଟି ରାଫେଲ୍ କିଣିବାକୁ ଅନୁମତି ପ୍ରଦାନ କରିଛନ୍ତି । ଗତ କିଛି ଦିନ ଧରି ସରକାର ରାଫେଲ କିଣିବେ ବୋଲି ଖବର ଆସୁଥିଲା । ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧିନ କମିଟି ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ମନ୍ତ୍ରାଳୟର ଡିଫେନ୍ସ ଆକ୍ୟୁଜେସନ କାଉନସିଲ ଏନେଇ ଗ୍ରୀନ୍ ସିଗନାଲ୍ ପ୍ରଦାନ କରିଛି ।

ଏହି ଖବରଟି ପଢନ୍ତୁ... ଅଭିଷେକଙ୍କ ଓଜନ କମିଯାଇଛି...ଏବେବି ଦରକାର ବିଶ୍ରାମ : କେତେ ଦିନରେ ସୁସ୍ଥ ହେବେ ଷ୍ଟାର୍ ଓପନର ?

ଡିଫେନ୍ସ ଆକ୍ୟୁଜେସନ କମିଟି କ'ଣ ?

ଡିଏସି ବା ଡିଫେନ୍ସ ଆକ୍ୟୁଜେସନ କମିଟି ହେଉଚି ପ୍ରତିରକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ କମିଟି । ଏହାର ଅଧ୍ୟକ୍ଷ ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏତିରେ ସେନା ମୁଖ୍ୟଙ୍କ ସମେତ ପ୍ରତିରକ୍ଷ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସଦସ୍ୟ ରହିଥାନ୍ତି ।

ମାକ୍ରୋନଙ୍କ ଗସ୍ତ ପୂର୍ବରୁ ମଞ୍ଜୁରି

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବ୍ରୁଆରୀ ୧୭-୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ । ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମିଟରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ପିଏମ୍ ମୋଦୀଙ୍କ ଆମନ୍ତ୍ରଣରେ ଭାରତ ଆସିବେ । ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୨୫ ଫେବ୍ରୁଆରୀ ଗସ୍ତ ପରେ ହେବାକୁ ଯାଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତରେ ବାୟୁ ସେନା ପାଇଁ ଅତିରିକ୍ତ ୧୧୪ ରାଫେଲ ଯୁଦ୍ଧ ବିମାନ କ୍ରୟ ଉପରେ ସହମତି ହେଉଥିବା ନଜର ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ଆଲୋଚନା ହୋଇପାରେ । ରାଫେଲ ନିର୍ମାଣ କରୁଥିବା କମ୍ପାନି ଡସଲ୍ଟ ଭାରତରେ ରାଫେଲ ବିମାନର ନିର୍ମାଣ ପାଇଁ ନୀତିଗତ ରୂପେ ସହମତି ଦେଇଥିବା ଦାବି କରାଯାଉଛି ।

ଭାରତୀୟ ବାୟୁ ସେନା ପାଇଁ ସ୍ୱୀକୃତି ସଂଖ୍ୟା ୪୨ ଥିବା ବେଳେ ବର୍ତ୍ତମାନ କେବଳ ୩୦ ଯୁଦ୍ଧ ବିମାନର ସ୍କ୍ୱାଡ୍ରନ୍ ରହିଛି । ପାକିସ୍ତାନ ଓ ବାଂଲାଦେଶ ଏବଂ ପାକିସ୍ତାନ ଓ ଚୀନ ମଧ୍ୟରେ ବଢୁଥିବା ସମ୍ପର୍କ ବିପଦ ଆଶଂକାକୁ ଅଧିକ କରିଛି । ଆଶା କରାଯାଉଛି ଯେ ଏହି ପ୍ରୋଜେକ୍ଟ ଭାରତୀୟ ବାୟୁ ସେନାକୁ ଦୀର୍ଘ ଅବଧିରେ ୪.୫-ଜେନେରେସନ-ପ୍ଲସ୍ ମଲ୍ଟିରୋଲ ଯୁଦ୍ଧ ବିମାନର ଆବଶ୍ୟକତାକୁ ପୂରା କରିବାରେ ସାହାଯ୍ୟ କରିବ । ଡିଲ୍ ଅନୁସାରେ କ୍ରୟ ହେବାକୁ ଥିବା ୧୧୪ ରାଫେଲ୍ ଯୁଦ୍ଧ ବିମାନ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଭାରତରେ ନିର୍ମାଣ କରିବା ଯୋଜନା ରହିଛି ।