କଟକ: କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଫେବୃଆରୀରେ ୯ରେ ଦିନିକିଆ ଦିବାରାତ୍ର ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଚାଲିଛି । ତେବେ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରି ଟିକଟ୍ କାଉଣ୍ଟର ସ୍ଥାନ । ପୂର୍ବ କାଉଣ୍ଟର ସ୍ଥାନ ବଦଳାଇ ଷ୍ଟାଡିୟମ୍ ନିକଟରେ ନୂତନ ସ୍ଥାନରେ ଟିକଟ କାଉଣ୍ଟର କରିବାକୁ କମିଶନରେଟ ପୋଲିସର ଯୋଜନା ରଖିଛି ।
କଟକ ଡିସିପି ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ଅଧିକାରୀ, ଓସିଏ କର୍ତ୍ତୁପକ୍ଷଙ୍କ ସହ ମ୍ୟାଚ୍ ପରିଚାଳନା ଦାୟିତ୍ଵରେ ଥିବା ଅଧିକାରୀ ସମ୍ପୂର୍ଣ୍ଣ ବାରବାଟି ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ଏହାସହ ଟିକଟ ବିକ୍ରି ହେବାକୁ ଥିବା କାଉଣ୍ଟର ସବୁ କିଛି ଅନୁଧ୍ୟାନ କରିଛନ୍ତି । ତେବେ ଚଳିତ ବର୍ଷ ନୂତନ ସ୍ଥାନରେ ଗ୍ୟାଲେରୀ ଟିକଟ ବିକ୍ରି କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ବାରବାଟି ଦିନିକିଆରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ଜନ ସାଧାରଣଙ୍କ ସୁରକ୍ଷା ସହ ଦର୍ଶକ କିଭଳି ଭଲ ଭାବରେ ଖେଳ ଦେଖି ଫେରିବେ ତାହା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ବୋଲି କହିଛନ୍ତି ଡିସିପି ।
ବାରବାଟୀ ଷ୍ଟାଡିୟମରେ ବିଭିନ୍ନ ଗ୍ୟାଲେରୀର ଟିକଟ୍ ମୂଲ୍ୟ
ଗ୍ୟାଲେରୀ ୧ – ୧୧୦୦
ଗ୍ୟାଲେରୀ ୨ – ୯୦୦ ଟଙ୍କା
ଗ୍ୟାଲେରୀ ୩- ୧୧୦୦ ଟଙ୍କା
ଗ୍ୟାଲେରୀ ୪ – ୯୦୦ ଟଙ୍କା
ଗ୍ୟାଲେରୀ ୫- ୧୨୦୦ ଟଙ୍କା
ଗ୍ୟାଲେରୀ ୬- ୧୨୦୦ ଟଙ୍କା
ଗ୍ୟାଲେରୀ ୭- ୭୦୦ ଟଙ୍କା
ସ୍ପେସିଆଲ ଏନକ୍ଲୋଜର- ୬୦୦୦ ଟଙ୍କା
ଏସି ଗ୍ୟାଲେରୀ ବକ୍ସ- ୮୦୦୦ ଟଙ୍କା
କର୍ପୋରେଟ୍ ବକ୍ସ- ୨୦,୦୦୦ ଟଙ୍କା
ନ୍ୟୁ ପାଭିଲିୟନ- ୧୦,୦୦୦ ଟଙ୍କା
୨୦୨୫ ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ । ଏହି ସମୟରେ ଭ୍ରମଣକାରୀ ଦଳ ଭାରତରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ନାଗପୁର, ୯ରେ ଦ୍ଵିତୀୟ ମ୍ୟାଚ୍ କଟକରେ ଏବଂ ଫେବ୍ରୁଆରୀ ୧୨ ତାରିଖରେ ଅହମ୍ମଦାବାଦରେ ତୃତୀୟ ମ୍ୟାଚ୍ ଖେଳାଯିବ ।
ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ ଜୁନ ୧୨ରେ ଟି-୨୦ ଅନ୍ତର୍ଜାତୀୟ ଭାବେ ଖେଳା ଯାଇଥିଲା । ଏହାପରେ ଭାରତ ଅନେକ ସିରିଜ୍ ଘରୋଇ ମାଟିରେ ଆୟୋଜନ କରି ସାରିଛି । ମାତ୍ର ବାରବାଟୀରେ କୌଣସି ମ୍ୟାଚ୍ ଆୟୋଜନ କରାଯାଉ ନ ଥିଲା। ତେବେ ଦୀର୍ଘ ୫ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମୁକାବିଲା ଖେଳାଯିବ। ଏପର୍ଯ୍ୟନ୍ତ ଏହି ପୁରାତନ ଷ୍ଟାଡିୟମରେ ୧୯ ଦିନିକିଆ ମ୍ୟାଚ୍ ଖେଳାଯାଇଛି ।