ଭୁବନେଶ୍ୱର ୧୮/୦୪: ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟ । ଅଚାନକ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍ । ହଠାତ୍ ମାଡିଆସିଲା କାଳବୈଶାଖୀ ବର୍ଷା । ସୁ ସୁ ହୋଇ ପ୍ରବଳ ପବନ ବୋହିଥିଲା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିଲା ।
ସୂଚନା ଥାଉକି, ପବନ ସହ ଘୋଟିଆସିଥିଲା କଳା ହାଣ୍ଡିଆ ମେଘ । ଦିନରେ ସୃଷ୍ଟି ହୋଇଥିଲା ରାତିର ଭ୍ରମ । ଘଡ଼ଘଡ଼ି ସାଙ୍ଗକୁ ସୁ ସୁ ପବନ । ଚାରିଆଡ ଅନ୍ଧାର । ଜଳମୟ ରାସ୍ତାଘାଟ । ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ୍ ସିଟିରେ ଘଣ୍ଟାଏ ପାଇଁ କାଳବୈଶାଖୀ ପାଇଁ ଆଲର୍ଟ ଜାରି କରାଯାଇଛି ।