ନୂଆଦିଲ୍ଲୀ ୧୩।୩: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମଙ୍ଗଳବାର ପାଗର ପୂର୍ବାନୁମାନ ଜାରି କରିଛନ୍ତି, ଏହି ଆକଳନ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କରାଯାଇଛି। ଏଥିରେ ଇରାକରୁ ଏକ ଘୂର୍ଣ୍ଣିବଳୟ ଉତ୍ତର ଭାରତ ଆଡ଼କୁ ମୁହାଁଇଥିବାର କୁହାଯାଇଛି। ଏଣୁ ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳରେ ବର୍ଷା ଯୋଗୁ ବଢୁଥିବା ତାପମାତ୍ରା ନିୟନ୍ତ୍ରଣକୁ ଆସିପାରେ ବୋଲି ଅନୁମାନ କରାଯାଉଛି। ଏଥି ମଧ୍ୟରେ ବାଂଲାଦେଶ ଉପକୂଳରୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି।
ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟମାନଙ୍କରେ ବର୍ଷା ଆଶଙ୍କା କରାଯାଉଛି। ଏହି ଘୂର୍ଣ୍ଣିବଳୟ ଯୋଗୁ ଉତ୍ତର, ପୂର୍ବ ଓ ପୂର୍ବୋତ୍ତର ରାଜ୍ୟମାନଙ୍କ ପାଣିପାଗ ପାଟର୍ଣ୍ଣରେ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଉଛି। ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ହୀମପାତ ଓ ବର୍ଷା ହୋଇପାରେ। ଏହି ସମୟରେ ପଞ୍ଜାବ ଓ ହରିୟାଣାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା କରାଯାଉଥିବା ବେଳେ ରାଜସ୍ଥାନରେ ୧୩ରୁ ୧୫ ମାର୍ଚ୍ଚ ମଧ୍ୟରେ ବର୍ଷା ଘଡ଼ଘଡ଼ି ଆଶଙ୍କା କରାଯାଇଛି।
ବିହାର ଓ ପଶ୍ଚିମବଙ୍ଗ ସହିତ ପୂର୍ବାଞ୍ଚଳ ରାଜ୍ୟ ଏବଂ ଅଋଣାଚଳ ପ୍ରଦେଶ ଭଳି ପୂର୍ବୋତ୍ତର ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ଏହି ସମୟରେ ଅଋଣାଚଳ ପ୍ରଦେଶରେ ହୀମପାତର ଆଶଙ୍କା ମଧ୍ୟ କରାଯାଉଛି। ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ତାମିଲନାଡୁ ଓ କେରଳକୁ ସମ୍ଭାବିତ ଭୀଷଣ ବର୍ଷା ପାଇଁ ସତର୍କ କରାଯାଇଛି। ଯଦି ଅତ୍ୟଧିକ ବର୍ଷା ଯୋଗୁ ପରିସ୍ଥିତି ବିଗଡି ଯାଏ ତେବେ ଏହି ସମୟରେ ସ୍କୁଲ ଓ କଲେଜ ବନ୍ଦ ହୋଇପାରେ ବୋଲି ଆକଳନ କରାଯାଉଛି। ପୂର୍ବଉପକୂଳର ମତ୍ସ୍ୟଜୀବୀମାନଙ୍କୁ ପାଗ ସ୍ୱଭାବିକ ନ ହେବା ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିଯିବାକୁ ବାରଣ କରାଯାଇଛି।
ଆଇଏମଡିଙ୍କ ପୂର୍ବାନୁମାନ ଅନୁସାରେ ପୂର୍ବଉପକୂଳରେ ସବୁଠୁ ଅଧିକ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟରକୁ ପହଞ୍ଚିପାରେ। ଏଣୁ ଅଧିକାରୀମାନଙ୍କୁ ବନ୍ୟା, ବିଦ୍ୟୁତ କାଟ, ଓ ଭିତ୍ତିଭୂମି କ୍ଷତି ନେଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଆଇଏମଡିଙ୍କ ଆକଳନ ଅନୁସାରେ ମାର୍ଚ୍ଚ ୧୫ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଦୁର୍ବଳ ହୋଇପାରେ । ହେଲେ କେତେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ସତର୍କ କରାଯାଇଛି।