ନୂଆପଡ଼ା ୩୦।୦୬ : ରଥଯାତ୍ରା ପାଲଟିଲା ଶେଷ ଯାତ୍ରା । କେଡ଼େ ଖୁସିରେ ଘରୁ ଯାଇଥିଲେ ଜଗାର ଯାତ୍ରା ଦେଖିବାକୁ, ହେଲେ କିଏ ଜାଣିଥିଲା.. ଏ ଯାତ୍ରା ହିଁ ପାଲଟିବ ତାଙ୍କର ଶେଷ ଯାତ୍ରା । ଅଧାରାସ୍ତାରେ ଚାଲିଗଲା ତିନି ପ୍ରାଣୀଙ୍କ ଜୀବନ । ଶେଷରେ ଗୋଟିଏ ଜୁଇରେ ଜଳିଲେ ଭାଇ-ଭଉଣୀ ଓ ଝିଆରୀ । ନୂଆପଡ଼ା ଜିଲ୍ଲା କୋମନା ଥାନା ପଲସପାଣି ଗରାମ ଗୁଟୁପଡ଼ା ଗାଁରୁ ଆସିଛି ଏପରି ଦୁଃଖଦ ଘଟଣା ।
ସମୟ ଶନିବାର ସଂଧ୍ୟା । ନୂଆପଡ଼ା ଜିଲ୍ଲା ଗୁଟୁପଡ଼ା ଗାଁରୁ ଲଳିତ ନିଜ ସ୍ତ୍ରୀ ଓ ୨ ପୁଅ, ଝିଅ ଓ ଭଉଣୀଙ୍କ ସହ ବାହାରିଥିଲେ ସ୍ଥାନୀୟ ବଞ୍ଜାରୀର ଚାଲିଥିବା ରଥଯାତ୍ରା ଦେଖିବାକୁ । ରଥାରୁଢ ତିନି ଦିଅଁଙ୍କୁ ଦର୍ଶନ ଲାଗି ଏକ ବାଇକ୍ ଯୋଗ ବାହାରିଲେ । ହେଲେ ଏହି ଯାତ୍ରା ପାଲଟିଲା ଶେଷ ଯାତ୍ରା । ଗାଁଠୁ ମାତ୍ର ୨ ଶହ ମିଟର ଯିବା ପରେ ଘଟିଲା ଦୁର୍ଘଟଣା। ହଠାତ୍ ସାମ୍ନା ପଟୁ ଏକ ବାଇକ୍ ଆସି ଜୋରଦାର ଧକ୍କା ଦେଇଥିଲେ । ଯେଉଁଥିରେ ଲଳିତ ଓ ତାଙ୍କ ଝିଅ ଡୋଲେଶ୍ୱରୀଙ୍କର ମୃତ୍ୟୁ ହୋଇଥିଲା । ବାକି ସାଥିରେ ଥିବା ଭଉଣୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି । ସେପଟେ ଲଳିତଙ୍କ ସ୍ତ୍ରୀ ଓ ଦିବ୍ୟାଙ୍ଗ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ମଦ୍ୟପ ଡ୍ରାଇଭରଙ୍କର ବି ମୃତ୍ୟୁ ହୋଇଯାଇଛି ।
ଅନ୍ୟପଟେ ଏକ ଦୁର୍ଘଟଣା ଉଜାଡି ଦେଇଛି ପୁରା ପରିବାର । ଯେଉଁ ଚକ୍ଷୁ ତିନି ଦିଅଁଙ୍କ ଦର୍ଶନ ପାଇଁ ଆକୁଳ ହେଉଥିଲା, ଏବେ ସେହି ଆଖି ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି । ତିନି ଜଣ ସଦସ୍ୟଙ୍କୁ ହରାଇ ଭାଙ୍ଗିପଡିଛନ୍ତି ପୁରା ପରିବାର । କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ । ଗୋଟିଏ ଜୁଇରେ ଜଳିଛି ପରିବାରର ତିନି ଜଣଙ୍କ ମୃତଦେହ । ସେପଟେ ଗାଁ ଲୋକଙ୍କ ବିରୋଧ ପ୍ରଦର୍ଶନ ପରେ ରେଡକ୍ରସରୁ ୬୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୯ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।