ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ହାର୍ଡକୋର ମାଓବାଦୀ

Published By : Prameya-News7 Bureau | July 07, 2025 IST

କନ୍ଧମାଳ ୭।୭: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା । ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏ ନେଇ ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବିଜିଏନ୍ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ । 

ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ ।ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ । ଲାଲବାହିନୀର ଝାଡଖଣ୍ଡ- ଛତିଶଗଡ଼ କରିଡରକୁ ପୁନଃ ସକ୍ରିୟ କରିବା ଦିଗରେ ଏମାନେ କାମ କରୁଥିଲେ । ଅତୀତରେ ଘଟିଥିବା ଏକାଧିକ ମାଓ କାର୍ଯ୍ୟକଳାପରେ ଏମାନଙ୍କ ସମ୍ପୃକ୍ତି ଥିବା ଆଇଜି ସୂଚନା ଦେଇଛନ୍ତି । ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହେବା ସାଙ୍ଗକୁ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବୀତସ୍ପୃହ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ତିନି ମାଓବାଦୀ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଥିବା ସେମାନେ କହିଛନ୍ତି । ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ସହିତ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲାରେ ଲଗାତାର ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ଏବଂ ବର୍ତ୍ତମାନ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୫୦ ତଳକୁ ଖସି ଆସିଥିବା ଆଇଜି ପ୍ରକାଶ କରିଛନ୍ତି । ଏ ଅବସରରେ, ହିଂସା ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହିତ ସରକାରଙ୍କ ଥଇଥାନ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଆହ୍ବାନ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍‌ପି ହରିଶ ବିସି ଏବଂ ୧୨୭ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ବର୍ମା ଉପସ୍ଥିତ ଥିଲେ ।

You Can Read:

ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ନିହତ, ମୁଣ୍ଡ ଉପରେ ଥିଲା ୮ଲକ୍ଷ ଟଙ୍କାର ପୁରସ୍କାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.