ନୂଆଦିଲ୍ଲୀ ୮।୮: ଏବେ ଦେଶରେ ଆଗାମୀ ଉପରାଷ୍ଟ୍ରପତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏନଡିଏରେ ପ୍ରାର୍ଥୀ ଚୟନ ପାଇଁ ସଦନରେ ଜେ.ପି.ନଡ୍ଡାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଥିରେ ବିରୋଧୀ ଦଳ ମଧ୍ୟ ନିଜର ମିଳିତ ପ୍ରାର୍ଥୀ ଦେବା ପାଇଁ ଏବେ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଉପରାଷ୍ଟ୍ରପତି ପଦବୀ ନିମନ୍ତେ ସେପ୍ଟେମ୍ବର ୯ରେ ନିର୍ବାଚନ ହେବ। ଇତି ମଧ୍ୟରେ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ତେବେ ସେ ସବୁ ଖାରଜ ହୋଇଯାଇଛି।
‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ ରିପୋର୍ଟ ଅନୁସାରେ ଯେଉଁ ୩ ଜଣ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସେମାନେ ହେଲେ ତାମିଲନାଡୁ ସଲେମର ବାସିନ୍ଦା ପଦ୍ମ ରାଜନ, ଦିଲ୍ଲୀ ମୋତି ନଗର ନିବାସୀ ଜୀବନ କୁମାର ମିତ୍ତଲ ଓ ଆନ୍ଧ୍ରପ୍ରଦେଶ ଶ୍ରୀମୁଖଲିଙ୍ଗମ ଗ୍ରାମର ବାସିନ୍ଦା ନାୟଡୁଗରୀ ରାଜଶେଖର। ତେବେ ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ଧାରା ୫(ବି)ର ଉପଧାରା ୪ ଅନୁସାରେ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଯାଇଛି।
ପଦ୍ମ ରାଜନ ଓ ମିତ୍ତଲ ପ୍ରାର୍ଥୀପତ୍ର ସହିତ ନିଜନିଜ ସଂସଦୀୟ କ୍ଷେତ୍ର ଭୋଟରଲିଷ୍ଟର ପ୍ରମାଣିତ କପି ସଲଗ୍ନ କରିଥିଲେ। ଯେଉଁଥିରେ ପଞ୍ଜିକୃତ ମତଦାତା ଭାବେ ସେମାନଙ୍କ ନାମ ଥିଲା। ତେବେ ଏହା ନିର୍ବାଚନ ନୋଟିଫିକେସନ ଜାରି ହେବା ପୂର୍ବର ଥିଲା। ସେହିପରି ତୃତୀୟ ପ୍ରାର୍ଥୀ ରାଜଶେଖରଙ୍କ ସଲଗ୍ନ କପି ନିର୍ବାଚକ ରେଜିଷ୍ଟ୍ରିକରଣ ଅଧିକାରୀ (ଇଆରଓ)ଙ୍କ ଦ୍ୱାରା ପ୍ରମାଣିତ ହୋଇ ନଥିଲା। ଏହା ଛଡା ସେ ୧୫ ହଜାର ଟଙ୍କାର ଅମାନତ ରାଶି ମଧ୍ୟ ଜମା କରିପାରିନଥିଲେ।
ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ ରାଜ୍ୟସଭା ମହାସଚିବ ପି.ସି.ମୋଦି ୩ ଜଣଙ୍କ ପ୍ରାର୍ଥୀପତ୍ର କ୍ରମରେ ନଥିବାରୁ ଅଗ୍ରାହ୍ୟ କରିଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନୋଟିଫିକେସନ ଅନୁସାରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ ଓ ନଥିପତ୍ରର ଯାଞ୍ଚ ଅଗଷ୍ଟ ୨୨ରେ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୫। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡଜୁଲାଇ ୨୧ ତାରିଖରେ ଅଚାନକ ଇସ୍ତଫା ଦେବା ଯୋଗୁ ଦେଶରେ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ଜରୁରି ହୋଇପଡିଛି।
ଧନଖଡ଼ଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ସମାପ୍ତ ହେବାର ଥିଲା। ତେବେ ସାମ୍ବିଧାନିକ ପ୍ରାବଧାନ ଅନୁସାରେ ମଧ୍ୟାବଧି ନିର୍ବାଚନ ସ୍ଥିତିରେ ପଦଧାରୀଙ୍କୁ ସମ୍ପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ମିଳିଥାଏ। ଉପରାଷ୍ଟ୍ରପତି ପଦ ନିମନ୍ତେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଖୁବ୍ ଶୀଘ୍ର ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବେ। ହେଲେ ଏଥି ପାଇଁ ଦୌଡରେ ଏବେ ଅନେକ ନାମ ରହିଛି। ଏଥିରେ ଏନଡିଏ ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନାମ ସର୍ବାଗ୍ରେ ଥିବା ବେଳେ ଏବେ ତାଙ୍କ ନାମ ଚର୍ଚ୍ଚା ବନ୍ଦ ହୋଇଯାଇଛି। ତେବେ ଜମ୍ମୁ-କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଦିଲ୍ଲୀ ଏଲଜି ଭି.କେ.ସକ୍ସେନା ଓ ରାଜ୍ୟସଭା ଉପସଭାପତି ହରିବଂଶ ସିଂହ ମଧ୍ୟ ଦୈଡରେ ଅଛନ୍ତି।