LIVE TV
LIVE TV

ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ : ମାତା ମଠରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ ହେଲା ୮୭୫ ପ୍ରକାର ବ୍ୟଞ୍ଜନ

NEWS7
this-january-was-month-of-crime-in-the-state-said-by-cm

ପୁରୀ ୨।୧୨: ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ । ଏହି ଅବସରରେ ଶହେ କି ଦୁଇ ଶହ ପ୍ରକାର ନୁହେଁ ଭଳିକି ଭଳି ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୮୭୫ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ ।

ଦୀର୍ଘବର୍ଷ ଧରି ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଉଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି । ବିଶେଷ କରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ । ଦ୍ୱାପର ଯୁଗରେ ମା’ ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟ ମାନେ । ତେଣୁ ଶହେ କି ୨ ଶହ ପ୍ରକାର ନୁହେଁ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ମାତା ମଠରେ ।

ଏହି ପର୍ବର ଯଥେଷ୍ଟ ପୂର୍ବରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆରମ୍ଭ ହୁଏ ପ୍ରକ୍ରିୟା । ଗଞ୍ଜାମ, ଗଜପତି, ପୁରୀ ତଥା ପଶ୍ଚିମବଙ୍ଗର ବହୁ ଶ୍ରଦ୍ଧାଳୁ ରାଧାଙ୍କୁ ସ୍ମରଣ କରି ବହୁ ଶ୍ରମ କରି ବହୁ ବିଧି ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ଏହା ପରେ ସ୍ୱତନ୍ତ୍ର ପତ୍ରରେ ସମ୍ମିଳିତ ଭାବେ ସମସ୍ତେ ପ୍ରସାଦ ସେବନ କରିଥାନ୍ତି । ଚଳିତ ବର୍ଷ ପ୍ରସ୍ତୁତ ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରେ ରହିଥିଲା ସାଧା ମିଠା କାନିକା, ଖେଚୁଡ଼ି ଓ ଘିଅ ଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୫୧ ପ୍ରକାର ତରକାରି, ୧୬୧ ପ୍ରକାର ଚଟଣି ।

ସୋମବାର ସକାଳୁ ପରିବା ସବୁ ଅମୁଣିଆ ହେବା ପରେ ଆରମ୍ଭ ହୋଇଥିଲା ବ୍ୟଞ୍ଜନ ପ୍ରସ୍ତୁତି । ଉଭୟ ମହିଳା ଓ ପୁରୁଷ ଭକ୍ତ ମାନେ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ଲାଗିଥିଲେ । ରୋଷେଇ ପାଇଁ ବ୍ୟବହୃତ ହୋଇଥିଲା ୨୦ଟି ଚୁଲି । ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । ଏହି ଅବସରରେ ମାତା ମଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରିଥିଲେ । ମଠ ମହନ୍ତ, ସଦସ୍ୟଙ୍କ ଉଦ୍ୟମ ଯୋଗୁଁ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ମାତା ମଠର ମହନ୍ତ । ପ୍ରତି ବର୍ଷ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ମାତା ମଠରେ ୮୭୫ ପ୍ରକାର ରେକର୍ଡ ସଂଖ୍ୟକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ।