ରୁଷ ପ୍ରତି ଆନୁଗତ୍ୟ ମହିଳା ଆଥଲେଟଙ୍କୁ ପଡ଼ିଲା ମହଙ୍ଗା, ସବୁ ମେଡାଲ୍ ଛଡ଼ାଇ ନେଲା ୟୁକ୍ରେନ

NEWS7
this-girl-is-suffering-from-werewolf-syndrome-which-may-astonish-people

ନୂଆଦିଲ୍ଲୀ: ରୁଷ ପ୍ରତି ନିଜର ଆନୁଗତ୍ୟ ଦେଖାଇବାରୁ ଅଲିମ୍ପିକି ମେଡାଲ ବିଜେତାଙ୍କୁ ଝଟକା ଦେଲା ୟୁକ୍ରେନ । ରୁଷକୁ ସମର୍ଥନ କରି ଏହାର ନାଗରିକତା ନେବାକୁ ଯାଉଥିବା ୟକ୍ରେନର ବିଶ୍ବସ୍ତରୀୟ ଡାଇଭର ସୋଫିଆ ଲିସ୍କନଙ୍କୁ ସବୁ କିଛି ହରାଇବାକୁ ପଡ଼ିଛି । ୟୁକ୍ରେନୀୟ ଡାଇଭିଂ ଫେଡେରେସନ୍ ସୋଫିଆ ଲିସ୍କନଙ୍କଠାରୁ ତାଙ୍କର ସମସ୍ତ ପଦକ ଏବଂ ପୁରସ୍କାର ପ୍ରତ୍ୟାହାର କରିନେଇଛି ।

୨୦୨୦ ଟୋକିଓ ଅଲିମ୍ପିକ୍ସ ଏବଂ ପ୍ୟାରିସ୍ ଗେମ୍ସରେ ୟୁକ୍ରେନକୁ ପ୍ରତିନିଧିତ୍ୱ କରିଥିବା ଲିସ୍କନ୍ ଏବେ ରୁଷର ନାଗରିକତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଚଳିତ ସପ୍ତାହରେ ଏକ ରୁଷୀୟ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏହି ନିଷ୍ପତ୍ତି ସଂପର୍କରେ ସେ ପ୍ରକାଶ କରିଥିଲେ। ଫେଡେରେସନ କହିଛି ଯେ, ଲିସ୍କନ୍ ରୁଷ ନାଗରିକତା ଗ୍ରହଣ କରିବାର ନିଷ୍ପତ୍ତି ବିଷୟରେ ସେମାନଙ୍କୁ, ତାଙ୍କ ପ୍ରଶିକ୍ଷକ କିମ୍ବା ୟୁକ୍ରେନର କ୍ରୀଡ଼ା ମନ୍ତ୍ରଣାଳୟକୁ ଜଣାଇ ନଥିଲେ। ଏପରି ପଦକ୍ଷେପ ଗ୍ରହଣୀୟ ନୁହେଁ ।

ୟୁକ୍ରେନୀୟ ଡାଇଭିଂ ପେଡେରେସନ୍ ଶୁକ୍ରବାର ଦେଇଥିବା ଏକ ବିବୃତ୍ତିରେ କହିଛି, ‘ସେ କେବଳ ଜଣେ ଖେଳାଳିଙ୍କୁ ନୁହେଁ, ବରଂ ୟୁକ୍ରେନର ସମଗ୍ର ଦଳକୁ ମଧ୍ୟ ବଦନାମ କରିଛନ୍ତି । ଯେଉଁମାନେ ପ୍ରତିଦିନ ଅନ୍ତର୍ଜାତୀୟ କ୍ଷେତ୍ରରେ ଆମ ଦେଶର ପ୍ରତିନିଧିତ୍ୱ କରିବା ଲାଗି ନିଃସ୍ୱାର୍ଥପର ଭାବରେ ଲଢ଼ୁଛନ୍ତି ।’ ଏହା ସହ ସୋଫିଆ ଲିସ୍କନଙ୍କୁ ଅନ୍ତର୍ଜାତୀୟ କ୍ରୀଡାରୁ ବାସନ୍ଦ କରିବା ଲାଗି ମଧ୍ୟ ଅପିଲ କରାଯିବ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।

ଗତବର୍ଷ ବେଲଗ୍ରେଡରେ ଅନୁଷ୍ଠିତ ୟୁରୋପୀୟ ଆକ୍ବାଟିକ୍ସ ଚାମ୍ପିଅନସିପରେ ଲିସ୍କନ୍, ସେନିଆ ବାଇଲୋଙ୍କ ସହ ୟୁକ୍ରେନ ପାଇଁ ୧୦ ମିଟର ସିଙ୍କ୍ରୋନାଇଜଡ୍ ଡାଇଭିଂରେ ସ୍ୱର୍ଣ୍ଣ ପଦ ଜିତିଥିଲେ । ୨୦୧୮ରେ ଗ୍ଲାସଗୋରେ ବି ସ୍ୱର୍ଣ୍ଣ ପଦକ ଜିତିଥିଲେ ସୋଫିଆ । ୨୩ ବର୍ଷୀୟା ଲିସ୍କନ ରୁଷିଆ ଖବର କାଗଜ ଇଜଭେଷ୍ଟିଆକୁ କହିଥିଲେ ଯେ, ‘ଅନ୍ୟ ୟୁକ୍ରେନୀୟ କ୍ରୀଡ଼ା ପଶିକ୍ଷକ ଏବଂ ଆଥଲେଟଙ୍କ ଭଳି ମୁଁ ମଧ୍ୟ ନିଜର ବିକାଶ ଲାଗି ନାଗରିକତା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଭିନ୍ନ କ୍ଷେତ୍ରର ବ୍ୟକ୍ତି କିପରି ଆପଣଙ୍କୁ କିଛି ଶିଖାଇ ପାରିବେ ? ମୋତେ ଅନୁଭବ ହେଲା ଯେ, କ୍ରୀଡା କ୍ଷେତ୍ରରେ ମୁଁ ଆଗକୁ ଯାଇ ପାରୁନାହିଁ ।’

୨୦୨୨ ମସିହାରେ ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷ ଏବଂ ବେଲାରୁଷର ଆଥଲେଟମାନଙ୍କୁ ଓ୍ବାର୍ଲଡ୍ ଆକ୍ବାଟିକ ଇଭେଣ୍ଟରୁ ବାସନ୍ଦ କରାଯାଇଥିଲା । କିନ୍ତୁ କଟକଣା କୋହଳ ହେବା ପରେ ସେମାନଙ୍କର କିଛି ଆଥଲେଟ ପ୍ୟାରିସ ଅଲିମ୍ପିକ୍ସରେ ନିରପେକ୍ଷ ଭାବରେ ପ୍ରତିଯୋଗିତା କରିଥିଲେ।