ଭଦ୍ରକ: ଭିଡ଼ ଦେଖି ମହିଳା ଥାନାଧିକାରୀଙ୍କ ବେକରୁ ସୁନା ଚେନ ଚୋରି ବେଳେ ଧରାପଡ଼ିଗଲା ଲୁଟେରା । ଗିରଫ ଲୁଟେରା ଇରାନୀ ଗ୍ୟାଙ୍ଗର ହୋଇଥିବା ସୂଚନା ଦେଇଛି ପୋଲିସ । ଭଦ୍ରକ ସହର କଚେରୀ ବଜାରରେ ମଙ୍ଗଳବାର ଏହି ଘଟଣା ଘଟିଛି। ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଥାନାଧିକାରୀଙ୍କ ନିକଟ ରୁ ଲୁଟ ହୋଇଥିବା ଜଣା ଯାଇଛି।
ସୂଚନା ଅନୁଯାୟୀ, ଆଇଆଇସି ମୋନାଲିସା କର କଚେରୀ ବଜାରରେ କିଛି କିଣା କିଣି କରିବା ବେଳେ ବାଇକରେ ଆସିଥିବା ଦୁଇ ଅଜଣା ଯୁବକଙ୍କ ମଧ୍ୟରୁ ଜଣେ ମୋନାଲିସାଙ୍କ ବେକରୁ ସୁନା ଚେନ ଝାମ୍ପି ନେଉଥିଲେ । ମୋନାଲିସା ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ କାବୁ କରିଥିବା ବେଳେ ବାଇକ ଛାଡି ଅନ୍ୟ ଯୁବକ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଲୁଟେରାକୁ ଧରି ନିର୍ଧୁମ ମାଡ଼ ମାରିଛନ୍ତି।
Also read: ପୋଲିସ କବଜାରେ ରସିକିଆ ଠକ; ମାଟ୍ରିମୋନିଆଲ୍ ସାଇଟ୍ ରେ ବିବାହ ପ୍ରତିଶ୍ରୁତି ତାପରେ...
ଗତକାଲି ମଧ୍ୟ ଦୁଇ ଯୁବକ ବନ୍ତ ଛକରୁ ମହିଳାଙ୍କ ନିକଟରୁ ସୁନା ଚେନ ଲୁଟ୍ କରିଥିଲେ । ଗତକାଲି ଲୁଟର ଶିକାର ମହିଳା ଚୋରକୁ ଚିହ୍ନଟ କରାଯାଇଛି। ପୋଲିସ ବାଇକ ଜବତ୍ କରିଥିବା ବେଳେ ଅନ୍ୟ ଫେରାର ଯୁବକକୁ କାବୁ କରିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି ।
ଲୁଟ୍ ଘଟଣାକୁ ନେଇ ଅତିରିକ୍ତ ଏସପି ସ୍ପେଶାଲ୍ ବ୍ରାଞ୍ଚ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର। ତଦନ୍ତ ପାଇଁ ନାମ ଗୁପ୍ତ ରଖିଛୁ । ଏହି ଗ୍ୟାଙ୍ଗ ଲଗାତାର ଭାବେ ସମାନ ଘଟଣା ଘଟାନ୍ତି । ସିରିଜ୍ ଲୁଟ କରନ୍ତି । ଏକାଧିକ ଲୁଟ ରେ ଏହି ଗ୍ୟାଙ୍ଗ ସାମିଲ ଅଛି । ପୋଲିସ୍ ଟିମ ଚୋରି ସାମଗ୍ରୀ ଗୁଡ଼ିକୁ ଜବତ୍ ପାଇଁ ବାହାରିଛି । ଜବତ୍ ଗାଡ଼ି ରେ ଛତିଶଗଡ ନମ୍ବର ରହିଛି । କିନ୍ତୁ ଯାଞ୍ଚ ପରେ ଜଣା ପଡ଼ିବ ଗାଡ଼ି କେଉଁ ଅଞ୍ଚଳ ଏବଂ ଏହା ଚୋରା ଗାଡ଼ି କି ନୁହେଁ ।