ଦେଶର ସବୁଠୁ ବଡ଼ କ୍ରିପ୍ଟୋ ଦୁର୍ନୀତିରେ CBIର ପ୍ରଥମ କାର୍ଯ୍ୟାନୁଷ୍ଠାନ, Gain Bitcoin ସ୍କାମରେ ଆୟୁଷ ଭାର୍ଷନେ ଗିରଫ

NEWS7
these-zodiac-signs-people-good-time-will-start-from-tomorrow

ଗୁରୁଗ୍ରାମ ୧୧।୩: ଦେଶର ସବୁଠୁ ବଡ଼ କ୍ରିପ୍ଟୋ ଦୁର୍ନୀତିରେ ସିବିଆଇ ପ୍ରଥମ ଗିରଫ କରିଛି। ପାଖାପାଖି ୨୦ ହଜାର କୋଟି ଟଙ୍କାର କଥିତ ବିଟକଏନ ସ୍କାମରେ ଡାରୱିନ ଲ୍ୟାବସର ସହ ସଂସ୍ଥାପକ ଆୟୁଷ ଭାର୍ଷନେଙ୍କୁ ଗିରଫ କରାଯାଇଛି। ଯାଞ୍ଚ ଏଜେନ୍ସୀ ଅନୁସାରେ ଅଭିଯୁକ୍ତ ଶ୍ରୀଲଙ୍କାର କଲମ୍ବୋକୁ ପଳାଇଯିବାକୁ ଉଦ୍ୟମ କରୁଥିଲା। ତେବେ ତା ବିରୋଧରେ ଜାରି ଲୁକ୍ ଆଉଟ୍ ସର୍କୁଲାର ଯୋଗୁ ତାକୁ ଏୟାରପୋର୍ଟରୁ ଗିରଫ କରାଯାଇଛି।

ସିବିଆଇ ଅନୁସାରେ ଏହି ମାମଲା ୨୦୨୫ ମସିହାରେ ଆରମ୍ଭ ହୋଇଥିବା ‘ଗେନ ବିଟ କଏନ’ ସ୍କିମ୍ ସମ୍ପର୍କିତ। ଏହି ସ୍କିମକୁ ଅମୃତ ଭରଦ୍ୱାଜ (ମୃତ) ତାଙ୍କଭାଇ ଅଜୟ ବରଦ୍ୱାଜ ଓ ତାଙ୍କ ସହଯୋଗୀମାନେ ଆରମ୍ଭ କରିଥିଲେ। ଯୋଜନାରେ ନିବେଶକଙ୍କୁ ପ୍ରତି ମାସରେ ୧୦% ରିଟର୍ଣ୍ଣର ଲୋଭ ଦେଖାଯାଇଥିଲା। ଦାବି କରାଯାଉଛି ଯେ ଏହି ଲାଭ ବିଟ କଏନ ମାଇନିଂ ମାଧ୍ୟମରେ ଲୋକେ ଅର୍ଜନ କରୁଛନ୍ତି।

ମଲ୍ଟି ଲେବୁଲ ମାର୍କେଟିଂ ମଡେଲରେ ଚାଲୁଥିଲା ସ୍କିମ୍
ନିବେଶକଙ୍କୁ କ୍ରିପ୍ଟୋ ଏକ୍ସଚେଞ୍ଜରେ ବିଟ କଏନ କିଣି କମ୍ପାନୀ ପ୍ଲାଟଫର୍ମରେ କ୍ଲାଉଡ ମାଇନିଂ କଣ୍ଟ୍ରାକ୍ଟରେ ନିବେଶ କରିବାକୁ କୁହାଯାଉଥିଲା। ତଦନ୍ତ ବେଳେ ଏହା ବି ଜଣା ପଡିଛି ଯେ ପୁରା ସ୍କିମ୍ ମଲ୍ଟି ଲେବୁଲ ମାର୍କେଟିଂ ମଡେଲରେ ଚାଲୁଥିଲା। ଏଥିରେ ପୁରୁଣା ନିବେଶକଙ୍କୁ ନୂଆ ଲୋକଙ୍କୁ ଯୋଡିଲେ ଅତିରିକ୍ତ ଲାଭ ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା। ଏହି କାରଣରୁ ସ୍କିମ ବେଶ୍ ଦ୍ରୁତ ବେଗରେ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପି ଯାଇଥିଲା ଓ ଅନେକ ଲୋକେ ଏଥିରେ ସେମାନଙ୍କ ପଇସା ଲଗାଇଥିଲେ। ପ୍ରଥମେ ପ୍ରଥମେ ନିବେଶକଙ୍କୁ ବିଟ କଏନରେ ପୈଠ କରାଯାଉଥିଲା। ତେବେ ୨୦୧୭ ମସିହା ପରେ ପୈଠ କମ ହେବାକୁ ଲାଗିଥିଲା । ପରେ କମ୍ପାନୀ ଅଚାନକ ନିଜର ଏମସିଏପି ନାମକ କଥିତ କ୍ରିପ୍ଟୋ କରେନ୍ସିରେ ପୈଠ କରିବା ଆରମ୍ଭ କରିଥିଲା, ଏହାର ମୂଲ୍ୟ ବିଟ କଏନଠାରୁ ବହୁତ କମ୍ ଥିଲା।

ଗୋଟିଏ ଦିନରେ ୬୦ରୁ ଅଧିକ ସ୍ଥାନ ଉପରେ ଚଢଉ
ଯାଞ୍ଚ ଏଜେନ୍ସୀଙ୍କ ଅନୁସାରେ ଏହା ଦ୍ୱାରା ନିବେଶକଙ୍କ ବିପୁଳ କ୍ଷତି ହୋଇଥିଲା ଓ ପୁରା ସ୍କିମ୍ ପୋଞ୍ଜି ସ୍କିମ ଭଳି ସଞ୍ଚାଳିତ ହେଉଥିଲା। ଏହି ମାମଲାର ଯାଞ୍ଚ କାଳରେ ସିବିଆଇ ସାରା ଦେଶର ୬୦ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ଏଥିରେ ଦିଲ୍ଲୀ ଏନସିଆର, ପୁଣେ, ଚଣ୍ଡିଗଡ଼, ନାନ୍ଦେଦ, କୋହ୍ଲାପୁର ଓ ବାଙ୍ଗାଲୋର ସମେତ ବିଭିନ୍ନ ସହରରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଅଲଗା ଅଲଗା ରାଜ୍ୟମାନଙ୍କରେ ରୁଜୁ ମାମଲାକୁ ନଜରରେ ରଖି ସୁପ୍ରିମକୋର୍ଟ ୨୦୨୩ରେ ସବୁ ମାମଲାର ଯାଞ୍ଚ ସିବିଆଇକୁ ପ୍ରଦାନ କରିଥିଲେ।

ଇଡି ମଧ୍ୟ କରୁଛି ଯାଞ୍ଚ
ଏହି ଦୁର୍ନୀତିର ଯାଞ୍ଚ ପ୍ରବର୍ତ୍ନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମନିଲଣ୍ଡ୍ରିଂ ଆଙ୍ଗଲରୁ କରୁଛି। ଇଡି ଏପର୍ଯ୍ୟନ୍ତ ଭାରତ ଓ ବିଦେଶରେ ଅନେକ ସମ୍ପତ୍ତି ଆଟାଚ କଲେଣି। ଏଥିରେ ଦୁବାଇର ୬ଟି କାର୍ଯ୍ୟାଳୟ ମଧ୍ୟ ଅଛି। ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେକ୍ରେପ୍ଟୋ କରେନ୍ସୀ ମାଧ୍ୟମରେ ହାୱଲା ଲେନଦେନ ମଧ୍ୟ କରୁଥିଲେ। ଏଥି ଲାଗି ସେମାନେ ବିଟକଏନ, ଇଥରିୟମ, ୟୁଏସଡିଟି ଓ ଟ୍ରନ ଭଳି ଡିଜିଟାଲ କରେନ୍ସୀର ଉପଯୋଗ କରୁଥିଲେ।

ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର
ଏହି ଦୁର୍ନୀତିର ଦୁଇ ମୁଖ୍ୟ ଅଭିଯୁକ୍ତ ଅଜୟ ଭରଦ୍ୱାଜ ଓ ମହେନ୍ଦ୍ର ଭରଦ୍ୱାଜ ଏବେବି ଫେରାର ଅଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି ୬୯ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଛି ଓ ବିଦେଶରୁ ସହଯୋଗ ମଗାଯାଇଛି, ଯାହାଦ୍ୱାରା ଅନିୟମିତତା ସମ୍ପର୍କିତ ପଇସାର ସନ୍ଧାନ ନିଆଯାଇ ପାରିବ। ଏହି ମାମଲାରେ ଇଡି ଏପ୍ରିଲ ୨୦୨୪ରେ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କର ପାଖାପାଖି ୯୭.୭୯ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା। ଏଥିରେ ମୁମ୍ବାଇର ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେର ଏକ ବଙ୍ଗଳା ଓ କିଛି ଇକ୍ୱିଟି ସେୟାର ମଧ୍ୟ ଜବତ ହୋଇଥିଲା। କୁହାଯାଉଛି ଜୁହୁ ଫ୍ଲାଟ କୁନ୍ଦ୍ରାଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ନାମରେ ରହିଛି।

ସବୁଠୁ ବଡ଼ ଅନିୟମିତତା ମଧ୍ୟରୁ ଅନ୍ୟତମ
ଯାଞ୍ଚ ଏଜେନ୍ସୀଙ୍କ ଅନୁସାରେ ଏହି ମାମଲା ଭାରତର ସବୁଠୁ ବଡ କ୍ରିପ୍ଟୋ କରେନ୍ସୀ ଅନିୟମିତତା ମଧ୍ୟରେ ଗୋଟିଏ ହୋଇଥାଇପାରେ। ଅନୁମାନ କରାଯାଉଛି ଏହି ସ୍କିମରେ ୨୯,୦୦୦ ହଜାର ବିଟକଏନ୍ ସାମିଲ ଥିଲା ଓ ସାରା ଦେଶର ହଜାର ହଜାର ନିବେଶକଙ୍କୁ ଠକେଇ କରାଯାଇଥିଲା। ଏବେ ସିବିଆଇ ଏହି ମାମଲାରେ ଅଧିକ ଲୋକଙ୍କୁ ଗିରଫ କରିବାର ସମ୍ଭାବନା ଖୋଜୁଛି। ଏଣୁ ଦେଶ ବିଦେଶରେ ବ୍ୟାପିଥିବା ନେଟୱାର୍କକୁ ଯାଞ୍ଚ କରୁଛି।