କିଏ ହେବେ ପରବର୍ତ୍ତୀ ପୋପ୍ ? ଏହି ୫ ଜଣଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି ଇସାଇଙ୍କ ସବୁଠୁ ବଡ଼ ଧର୍ମଗୁରୁ

Published By : Prameya-News7 Bureau | April 21, 2025 IST

ନୂଆଦିଲ୍ଲୀ: ଖ୍ରୀଷ୍ଟିଅନଙ୍କ ସବୁଠୁ ବଡ଼ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍‌ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି । ସୋମବାର ତାଙ୍କ ମୃତ୍ୟୁ ଖବରକୁ ଭାଟିକାନ୍ ସ୍ପଷ୍ଟ କରିଛି । ପୋପ୍ ଫ୍ରାନ୍ସିସ୍ ୧୨ ବର୍ଷ ଧରି କ୍ୟାଥୋଲିକ୍ ଚର୍ଚ୍ଚର ନେତୃତ୍ୱ ନେଇଥିଲେ । ପୋପ୍ ବେନେଡିକ୍ଟ XVIଙ୍କ ଇସ୍ତଫା ପରେ ୨୦୧୩ ମାର୍ଚ୍ଚରେ ସେ ପୋପ୍ ହୋଇଥିଲେ । ଶ୍ୱାସଗତ ସମସ୍ୟା ଯୋଗୁଁ ଫେବ୍ରୁଆରୀ ୧୪ରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଡବଲ୍ ନିମୋନିଆ ଥିବା ଜଣାପଡ଼ିଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ମଧ୍ୟ ଆସିଥିଲା, ରବିବାର ଇଷ୍ଟରରେ ସେ ସେଣ୍ଟ ପିଟର୍ସ ସ୍କ୍ୱୋୟାରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତକାଲି ସକାଳେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲେ ।

ପୋପ୍ ଫ୍ରାନ୍ସିସଙ୍କ କାର୍ଯ୍ୟକାଳ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେ ପ୍ରଥମ ଜେସୁଇଟ୍ ପୋପ ଥିଲେ, ପ୍ରଥମ ଆମେରିକୀୟ ପୋପ୍, ଦକ୍ଷିଣ ଗୋଲାର୍ଦ୍ଧ ଆସୁଥିବା ପ୍ରଥମ ପୋପ୍ ଓ ଏକ ହଜାର ବର୍ଷ ପରେ ପ୍ରଥମ ଅଣ-ୟୁରୋପୀୟ ପୋପ୍ ହୋଇଥିଲେ । ଏବେ ତାଙ୍କ ନିଧନ ପରେ ଦୁନିଆର ସବୁଠୁ ବଡ଼ ଧାର୍ମିକ ସମୁଦାୟର ସର୍ବୋଚ୍ଚ ଧର୍ମଗୁରୁ କିଏ ହେବେ ? କିଏ ହେବେ ପରବର୍ତ୍ତୀ ପୋପ୍ ? ବର୍ତ୍ତମାନ ଏହି ପଦ ପାଇଁ ୫ ଜଣ ଚର୍ଚ୍ଚାରେ ଅଛନ୍ତି ।

ପୋପ୍‌ ଫ୍ରାନ୍ସିସ୍‌ଙ୍କ ପରଲୋକ ପରେ ଏବେ ନୂତନ ପୋପଙ୍କ ବାବଦରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ନୂଅ ପୋପଙ୍କ ଚୟନ ଏକ ଖାସ୍ ପ୍ରକ୍ରିୟାରେ ହୋଇଥାଏ, ଯାହାକୁ ପେପଲ୍ କନ୍‌କ୍ଲେଭ୍ କୁହାଯାଏ । କୌଣସି ପୋପଙ୍କ ମୃତ୍ୟୁ ପରେ କ୍ୟାଥୋଲିକ୍ ଚର୍ଚ୍ଚର କାର୍ଡିନଲ୍ସ ନିର୍ବାଚନ କରାଇଥାଏ । କାର୍ଡିନଲ୍ସ ବରିଷ୍ଠ ପଦାଧିକାରୀଙ୍କ ଏକ ଗ୍ରୁପ୍ । ଏହାର କାମ ପୋପଙ୍କୁ ପରାମର୍ଶ ଦେବା । ସବୁଥର ଏହି କାର୍ଡିନଲ୍ସରୁ ହିଁ ପୋପ୍‌ଙ୍କୁ ଚୟନ କରାଯାଇଥାଏ । ତେବେ ପୋପ୍ ହେବା ପାଇଁ କାର୍ଡିନଲ୍ ହେବା ଜରୁରି ନୁହେଁ, କିନ୍ତୁ ଏବେ ସୁଦ୍ଧା ଯେତେ ଜଣ ପୋପ୍ ହୋଇଛନ୍ତି, ସମସ୍ତେ କାର୍ଡିନଲ୍ ରହିଥିଲେ ।

ନୂଆ ପୋପ୍‌ ପାଇଁ ଚର୍ଚ୍ଚାରେ ୫ ଚେହେରା

କାର୍ଡିନଲ୍ ପିଏତ୍ରୋ ପାରୋଲିନ୍: ଭାଟିକାନର କ୍ଷମତାରେ କାର୍ଡିନଲ୍ ପିଏତ୍ରୋ ପାରୋଲିନ୍ ହେଉଛନ୍ତି ଏକ ବଡ଼ ନାଁ । ଏକ ଦଶନ୍ଧି ଧରି ପୋପ ଫ୍ରାନ୍ସିସଙ୍କ ସବୁଠୁ ବିଶ୍ୱସ୍ଥ ସହଯୋଗୀଙ୍କ ମଧ୍ୟରୁ ଜଣେ । ଗୃହ ସଚିବ (ସେକ୍ରେଟାରୀ ଅଫ୍ ଷ୍ଟେଟ୍) ଭାବେ ୨୦୧୩ରୁ ଭାଟିକାନର କୂଟନୀତି ଓ ପ୍ରଶାସନର ନେତୃତ୍ୱ ନେଉଛନ୍ତି । ତାଙ୍କୁ ବର୍ତ୍ତମାନ ୭୦ ବର୍ଷ ହୋଇଛି । ସେ ଇଟାଲୀର ବେନେତୋରୁ ଆସନ୍ତି ଓ ଚଳିତ ଥର ପୋପ୍ ନିର୍ବାଚନ କନକ୍ଲେଭରେ ସବୁଠୁ ଉଚ୍ଚ ପଦରେ ଥିବା କାର୍ଡିନଲ୍ ଅଟନ୍ତି । ୨୦୧୪ରେ ସେ କାର୍ଡିନଲ୍ ହୋଇଥିଲେ ।

କାର୍ଡିନଲ୍ ପିଟର ଏଡ୍ରୋ: କ୍ୟାଥୋଲିକ୍ ଚର୍ଚ୍ଚରେ ଜଣେ ରୁଢିବାଦୀ ଓ ପାରମ୍ପାରିକ ବିଚାର ପାଇଁ ପିଟର ଏଡ୍ରୋ ପରିଚିତ । ତାଙ୍କୁ ବର୍ତ୍ତମାନ ୭୨ ବର୍ଷ ହୋଇଛି । ୨୦୦୩ରେ ପୋପ୍ ଜନ୍ ପଲ୍ ଦ୍ୱିତୀୟ ତାଙ୍କୁ କାର୍ଡିନଲ୍ କରିଥିଲେ । ସେ ୟୁରୋପର ବିଶପ ସମ୍ମିଳନୀ ପରିଷଦର ପୂର୍ବ ଅଧ୍ୟକ୍ଷ ଥିଲେ ଏବଂ କ୍ୟାଥୋଲିକ୍ ପରମ୍ପରାର ବଡ଼ ସମର୍ଥକ ଅଟନ୍ତି । 

କାର୍ଡିନ ମାତେଓ ଜୁପ୍ପି: କ୍ୟାଥୋଲିକ୍ ଚର୍ଚ୍ଚରେ ସବୁଠୁ ପ୍ରଗତିଶୀଳ ଓ ପ୍ରଭାବଶାଳୀ ଚେହେରା ମଧ୍ୟରେ ଜୁପ୍ପି ହେଉଛନ୍ତି ଜଣେ । ସେ ପୋପ୍ ଫ୍ରାନସିସଙ୍କ ସବୁଠୁ ପ୍ରିୟ ନେତାଙ୍କ ମଧ୍ୟରୁ ଜଣେ । ତାଙ୍କୁ ବର୍ତ୍ତମାନ ୬୯ ବର୍ଷ ହୋଇଛି । ୨୦୨୨ରେ ସେ ଇଟାଲୀର ଏପିସ୍କୋପଲ୍ କନଫରେନ୍ସର ଅଧ୍ୟକ୍ଷ ଅଛନ୍ତି । ୨୦୧୯ରେ ପୋପ୍ ଫ୍ରାନ୍ସିସ୍ ତାଙ୍କୁ କାର୍ଡିନଲ୍ ନିଯୁକ୍ତ କରିଥିଲେ । କେବେଳ ଅନ୍ତରାଷ୍ଟ୍ରୀୟ ସ୍ତରର ନୁହେଁ, ଚର୍ଚ୍ଚ ଭିତରେ ବି ଜୁପ୍ପି ସମାବେଶୀ ଓ ଆଲୋଚନା ମାର୍ଗର ଦୃଢ ସମର୍ଥକ ରହିଛନ୍ତି ।

କାର୍ଡିନଲ୍ ରମେଣ୍ଡ ୱାର୍କ: କ୍ୟାଥୋଲିକ ଚର୍ଚ୍ଚରେ ସବୁଠୁ ରୁଢିବାଦୀ ଚେହେରା ମଧ୍ୟରୁ ଜଣେ । ୨୦୧୦ରେ ପୋପ୍ ବେନେଡିକ୍ଟ XVI ତାଙ୍କୁ କାର୍ଡିନଲ୍ କରିଥିଲେ । ତେବେ ପୋପ୍ ଫ୍ରାନ୍ସିସଙ୍କ ସୁଧାରବାଦୀ ନୀତିଙ୍କୁ ସେ କଡ଼ା ସମାଲୋଚନା କରୁଥିଲେ । ଖାସ୍ କରି ଛାଡ଼ପତ୍ର ନେଇଥିବା ଓ ପୁନର୍ବିବାହିତ ଯୋଡ଼ିଙ୍କୁ ପବିତ୍ର ଖାଦ୍ୟ (ହୋଲି ଫୁଡ୍) ପ୍ରଦାନ ଅନୁମତି ଉପରେ ଅସହମତି ପ୍ରକାଶ କରିଥିଲେ ।

କାର୍ଡିନଲ୍ ଲୁଇସ୍ ଆଣ୍ଟୋନିଓ ଟ୍ୟାଗଲେ: ଲୁଇସ୍ ଆଣ୍ଟୋନିଓଙ୍କୁ ୬୭ ବର୍ଷ ହୋଇଛି । କାର୍ଡିନଲ୍ସରେ ସବୁଠୁ କମ ବୟସର କାର୍ଡିନଲ ମଧ୍ୟରେ ଅଛନ୍ତି । ଯଦି ତାଙ୍କୁ ପୋପ୍ ଚୟନ କରାଯାଏ, ତେବେ ସେ ଇତିହାସରେ ପ୍ରଥମ ଏସୀୟ ପୋପ୍ ହେବେ । ୨୦୧୨ରେ ବେନେଡିକ୍ଟ XVI ତାଙ୍କୁ କାର୍ଡିନଲ୍ ନିଯୁକ୍ତ କରିଥିଲେ । ଲୁଇସଙ୍କ ଗଣତି କ୍ୟାଥୋଲିକ୍ ଚର୍ଚ୍ଚରେ ସବୁଠୁ ପ୍ରଗତିଶୀଳ ନେତାଙ୍କ ମଧ୍ୟରେ ହୁଏ । ପୋପ୍ ଫ୍ରନ୍ସିସଙ୍କ ବିଚାରଧାରାଙ୍କୁ ସେ ସମର୍ଥନ କରୁଥଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.