୧୦ ଶକ୍ତିଶାଳୀ ନୌସେନାରେ ଭାରତର ଦବଦବା: ମହାସମୁଦ୍ରର ଛାତିରେ ଛିଡ଼ା ହୋଇ ଶତ୍ରୁକୁ କରୁଛି ଥରହର

Published By : Prameya-News7 Bureau | May 17, 2025 IST

ନୂଆଦିଲ୍ଲୀ: ମହାସମୁଦ୍ରରେ କାହାର ଚାଲୁଛି ଦବଦବା ? ସମୁଦ୍ର ଛାତି ଚିରି କିଏ ରହିଛି ଆଗରେ ? ଆମେରିକା, ରୁଷିଆ, ଚୀନ୍ ନା ଭାରତ । ନୌସେନାରେ ତୁର୍କୀର ସ୍ଥାନ କେଉଁଠି ? କେବଳ ଭାରତ ଓ ପାକିସ୍ତାନ ନୁହେଁ ମଧ୍ୟପ୍ରାଚ୍ୟରେ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଛି । ସେପଟେ ୟୁକ୍ରେନ ଓ ରୁଷ୍ ମଧ୍ୟରେ ବାରମ୍ବାର ଯୁଦ୍ଧବିରତି ମଧ୍ୟ ବିଫଳ ହେଉଛି । ଫଳରେ ଯୁଦ୍ଧ ଘନଘୋଟା ଥମିବା ବଦଳରେ ବଢ଼ିବାରେ ଲାଗିଛି । ତେବେ ଯୁଦ୍ଧ ବେଳେ ମନକୁ ପ୍ରଶ୍ନ ଆସିଥାଏ କେଉଁ ଦେଶର ଶକ୍ତି କେତେ ? କୌଣସି ଦେଶର ମିଲିଟାରୀ ଶକ୍ତି ତା’ର ଜଳ, ସ୍ଥଳ ଓ ବାୟୁସେନାକୁ ଆକଳନ କରି କରାଯାଇଥାଏ । ଏଥିରେ ଏକ ମୂଖ୍ୟ ଭୂମିକା ନିଭାଇଥାଏ ନୌସେନା । ଆସନ୍ତୁ କାହାର ନୌସେନା ଶକ୍ତି କେତେ ?

ଓ୍ବାର୍ଲ୍ଡ ଡାଇରେକ୍ଟୋରୀ ଅଫ୍ ମର୍ଡନ ମିଲିଟାରୀ ଓ୍ବାରସିପ୍ ୨୦୨୫ରେ ରିପୋର୍ଟରେ ବିଶ୍ବର ସବୁଠୁ ୧୦ ଶକ୍ତିଶାଳୀ ନୌ-ସେନାର ତଥ୍ୟ ରହିଛି । ଯେଉଁଥିରେ ଆମେରିକା ଅତ୍ୟାଧୁନିକ ଟକ୍ନୋଲୋଜିରେ ପ୍ରଥମ ସ୍ଥାନରେ ରହିଛି । ହେଲେ ଓ୍ବାରସିପ୍ ସଂଖ୍ୟାରେ ଚୀନର ଆଗରେ ରହିଛି । ଭାରତ ଏହି ପରିପେକ୍ଷିରେ ପଞ୍ଚମ ସ୍ଥାନରେ ରହିଛି । 

ଆମେରିକା:

ଆମେରିକୀୟ ନୌସେନା ସବୁଠୁ ଆଧୁନିକ ଓ ଶକ୍ତିଶାଳୀ । ୟୁଏସଏ ନିକଟରେ ୧୧ଟି ଏୟାରକ୍ରାଫ୍ଟ କ୍ୟାରିୟର ରହିଛି । ଯାହା ପାରମାଣୁ ଉର୍ଜାରେ ଚାଲିବାର କ୍ଷମତା ରଖୁଛନ୍ତି । ଆମେରିକା ନିକଟରେ ମୋଟ୍ ୨୩୨ଟି ଯୁଦ୍ଧପୋତ ରହିଛି । ଏଥିରୁ ୬୮ ସବ୍-ମରିନ୍, ୭୬ଟି ଡେଷ୍ଟ୍ରୟର ଓ ୩୪ଟି ର ଏମ୍ଫିବିୟର ଜାହାଜ ସାମିଲ୍ ଅଛି । ମାତ୍ର ଆମେରିକା ପାଖରେ ଫ୍ରୋଗେଟ୍ ନାହିଁ । 

ଚୀନ:

ନୋସେନା ଶକ୍ତିରେ ଦ୍ବିତୀୟରେ ରହିଛି ଚୀନ୍‌ । ପଡ଼ୋଶୀ ଦେଶ ପାଖରେ ୪୦୫ଟି ସକ୍ରିୟ ଯୁଦ୍ଧଜାହାଜ ରହିଛି । ଏଥିରେ ୩ଟି ବିମାନ ବାହକ, ୭୩ଟି ବୁଡ଼ାଜାହାଜ ରହିଛି  । ଏଥିମଧ୍ୟରୁ ୧୮ଟି ପରମାଣୁ କ୍ଷମତା ସମ୍ପନ୍ନ ଯୁଦ୍ଧପୋତ ରହିଛି । ଏହାଛଡ଼ା ୪୭ଟି ବିଧ୍ୱଂସକ ଓ ୧୨୭ଟି ଉପକୂଳବର୍ତ୍ତୀ ପାଟ୍ରୋଲିଂ ଜାହାଜ ଅଛି । ଆଧୁନିକ ପ୍ରଯୁକ୍ତିର ଅଭାବ ସତ୍ତ୍ୱେ, ଚୀନ୍ ତା’ର ନୌସେନାକୁ ଦ୍ରୁତ ଗତିରେ ଅପଗ୍ରେଡ୍ କରିବାରେ ଲାଗିଛି ।

ଋଷ୍: 

ନୌସେନାରେ ଋଷ୍ ଶକ୍ତି ସବ-ମରିନ୍ ଓ ଦ୍ରୁତଗତି ବିଶିଷ୍ଟ କୋରବେଟ୍ସ ରହିଛି । ଋୁଷିଆ ନିକଟରେ ମୋଟ୍ ୨୮୩ଟି ଜାହାଜ ରହିଛି, ଯେଉଁଥିରେ ୮୩ଟି କୋରବେଟ୍ସ, ୫୮ଟି ସବ-ମରିନ୍ ଓ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର ସାମିଲ୍ ରହିଛି । ଋଷ୍ ଘରୋଇ ସମୁଦ୍ର ସୁରକ୍ଷା ଉପରେ ବିଶେଷ ଫୋକସ୍ କରୁଛି । 

ଇଣ୍ଡୋନେସିଆ:

ବିଶ୍ବର ବଡ଼ ଦ୍ବୀପ ସମୂହ ଦେଶ ଇଣ୍ଡୋନେସିଆ ନିକଟରେ ୨୪୫ଟି ଯୁଦ୍ଧପୋତ ରହିଛି । ଏଥିରୁ ୧୬୮ଟି ପାଟ୍ରୋଲିଂ ଜାହାଜ ରହିଛି । ଯାହା ଇଣ୍ଡୋନେସିଆ ଉପକୂଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି । ସେହିପରି ୪ଟି ସବ-ମରିନ୍ ଓ ୨୫ଟି କୋରଓ୍ବାଟ୍ ମଧ୍ୟ ରହିଛି ।

ଦକ୍ଷିଣ କୋରିଆ:

ସମୁଦ୍ରରେ ଶକ୍ତି ପ୍ରଦର୍ଶନ କରୁଛି ଦକ୍ଷିଣ କୋରିଆ । ନୌସେନାରେ ୧୪୭ଟି ଯୁଦ୍ଧପୋତ ରହିଛି । ସେଥିରେ ୨୧ଟି ବୁଡ଼ାଜାହାଜ ଓ ୧୩ଟି ବିଧ୍ୱଂସକ ଅଛି । ଏହା ଆମେରିକୀୟ ପ୍ରଯୁକ୍ତିବିଦ୍ୟା ଓ ସହଯୋଗ ଉପରେ ନିର୍ଭର କରିଥାଏ ।

ଜାପାନ:

ଜାପାନ ସାମୁଦ୍ରିକ ଆତ୍ମ-ପ୍ରତିରକ୍ଷା ନୌବାହିନୀରେ ଅତ୍ୟାଧୁନିକ ସବ-ମରିନ୍ ଓ ବିଧ୍ବଂସକାରୀ ଯୁଦ୍ଧ ଜାହାଜ ରହିଛି । ହେଲିକପ୍ଟର ବାହକ ଇଜୁମୋ ଜାପାନ ନୌସେନାର ନେତୃତ୍ୱ ନେଉଛି  । ଜାପାନକୁ ଏସିଆର ସବୁଠାରୁ ସଂଗଠିତ ଓ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ନୌସେନା ବୋଲି କୁହାଯାଇଛି ।

ଭାରତ: 

ମହାସମୁଦ୍ରରେ ଭାରତ ଶକ୍ତି ପ୍ରଦର୍ଶନ କରୁଛି । ନୌ-ସେନା ନିକଟରେ ମହାବିନାଶକ ଯୁଦ୍ଧପୋତ ରହିଛି । ପ୍ରଥମରେ ଆଇଏନଏସ ବିକ୍ରାନ୍ତ ସୋଭିଏତ୍ ଋଷ୍ ସମୟରେ ନୌସେନାରେ ସାମିଲ୍ ହୋଇଥିଲା । ଏହି ଯୁଦ୍ଧଜାହାଜ ଡି-କମିଶନ ପରେ ୨୦୧୪ରେ ଆଇଏନଏସ ବିକ୍ରାମାଦତ୍ୟକୁ ଭାରତୀୟ ସେନାରେ ସାମିଲ୍ ହୋଇଥିଲା । ପରେ ୨୦୧୮ରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତକୁ ନୌସେନାରେ କମିଶନ କରାଯାଇଥିଲା । ଏହାଛଡ଼ା ୧୩ଟି ବିଧ୍ବଂସକାରୀ ଜାହାଜ. ୧୪ଟି ଫ୍ରୋଗେଟ୍, ୧୮ଟି କୋର୍ବେଟ୍, ୨୯ଟି ଓସିଏନ୍ ପେଟ୍ରୋଲ୍ ଓ୍ବେସଲ, ୫ଟି ଯୁଦ୍ଧପୋତ, ୧୯ଟି ବୁଡ଼ାଜାହାଜ ସାମିଲ୍ ରହିଛି । ଏଥିରୁ ଦୁଇଟି ନ୍ୟୁକ୍ଲିୟର ସବ୍-ମରିନ୍ ରହିଛି । ଏହି ସବୁ ମିଶାଇଲେ ଭାରତୀୟ ନୌସେନା ନିକଟରେ ମୋଟ୍ ଶହେଟି ସକ୍ରିୟ ଯୁଦ୍ଧପୋତ ରହିଛି । 

ଫ୍ରାନ୍ସ: 

ନୌସେନାରେ ଫ୍ରାନ୍ସ ମଧ୍ୟ ଶକ୍ତିଶାଳୀ । ଫ୍ରାନ୍ସ ନିକଟରେ ଏକ ପରମାଣୁ ଶକ୍ତି ସମ୍ପନ୍ନ ବିମାନ ବାହକ 'ଚାର୍ଲ୍ସ ଡି ଗଲ୍' ଅଛି । ଯେଉଁଥିରେ ରାଫେଲ ଭଳି ଯୁଦ୍ଧ ବିମାନ ମୁତୟନ କରିଛି । ଏହାଛଡ଼ା ୮ଟି ବୁଡ଼ାଜାହାଜ, ୨୧ଟି ବିଧ୍ୱଂସକ, ୧୭ଟି ମାଇନ୍ ଯୁଦ୍ଧ ଜାହାଜ ଏବଂ ୨୦ଟି OPV ସାମିଲ୍ ରହିଛି । ମୋଟ୍ ୭୦ଟି ସକ୍ରିୟ ଯୁଦ୍ଧଜାହାଜ ଫ୍ରାନ୍ସର ନୌସେନା ବାହିନୀର ବିଶେଷ ଅଂଶ । 

ବ୍ରିଟିଶ୍:

ବ୍ରିଟିଶ ରୟାଲ ନୌସେନାକୁ ବିଶ୍ୱର ସବୁଠାରୁ ପୁରୁଣ । ଏହାକୁ ପ୍ରତିଷ୍ଠିତ ନୌସେନା ଭାବେ ବିବେଚନା କରାଯାଏ ।  ବ୍ରିଟେନ୍ ନିକଟରେ ଦୁଇଟି ଆଧୁନିକ ବିମାନ ବାହକ ଜାହାଜ, 'HMS କୁଇନ୍ ଏଲିଜାବେଥ' ଓ 'HMS ପ୍ରିନ୍ସ ଅଫ୍ ୱେଲ୍ସ' ରହିଛି । ଯାହା F-35 ଲଢ଼ୁଆ ବିମାନ ଉଡ଼ାଇବାର କ୍ଷମତା ରଖୁଛି । ଏଗୁଡ଼ିକ ବ୍ୟତୀତ ବ୍ରିଟେନରେ ୯ଟି ବୁଡ଼ାଜାହାଜ, ୬ଟି ବିଧ୍ୱଂସୀ ଜାହାଜ, ୮ଟି ଫ୍ରିଗେଟ୍, ୭ଟି ମାଇନ୍ ଯୁଦ୍ଧ ଓ ୧୮ଟି OPV ଅଛି । ମୋଟ୍ ୫୦ଟି ସକ୍ରିୟ ନୌସେନା ଜାହାଜ ରହିଛି । 

ତୁର୍କୀ:

ତୁର୍କୀ ନୌସେନା ବିଶ୍ବର ଦଶମ ଶକ୍ତିଶାଳୀ ନୌସେନା । ତୁର୍କୀ ନିକଟରେ ମୋଟ୍ ୯୦ଟି ଯୁଦ୍ଧପୋତ ରହିଛି । ଏପ୍ରିଲ ୨୦୨୩ରେ ପ୍ରଥମ ହେଲିକପ୍ଟର ବାହକ ଜାହାଜକୁ ନୌସେନାରେ ସାମିଲ୍ କରିଥିଲା । ବର୍ତ୍ତମାନ ତୁର୍କୀରେ ୧୩ଟି ବୁଡ଼ାଜାହାଜ, ୧୭ଟି ଫ୍ରିଗେଟ୍, ୯ଟି କର୍ଭେଟ୍, ୧୧ଟି ମାଇନ୍ ଯୁଦ୍ଧ ଜାହାଜ, ୩୪ଟି OPV ଜାହାଜ ରହିଛି । ତୁର୍କୀ ସ୍ଥାନୀୟ ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟା ସହିତ ଏହାର ନୌସେନା କ୍ଷମତାକୁ ବୃଦ୍ଧି କରିବାରେ ନିରନ୍ତର ପ୍ରୟାସ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.