ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ରହିଲା ଆଉ କେଇଟା ଦିନ। ଟୁର୍ଣ୍ଣାମେଣ୍ଟ ଯେତିକି ପାଖଉଛି ଟିମ୍ ଇଣ୍ଡିଆ ଘୋଷଣାକୁ ନେଇ ଚର୍ଚ୍ଚା ଜୋର ଧରୁଛି। ୧୫ ଜଣିଆ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ, ତାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଆକଳନ କରାଯାଉଛି। ଏସିଆ କପ୍ ୨୦୨୫ ପାଇଁ ଅଗଷ୍ଟ ୧୯ରେ ହେବାକୁ ଯାଉଛି ଟିମ୍ ଇଣ୍ଡିଆର ଘୋଷଣା। ଚୟନକର୍ତ୍ତା ସେହି ଖେଳାଳିଙ୍କୁ ରିଟେନ୍ କରିବା ପକ୍ଷରେ ଅଛନ୍ତି, ଯେଉଁମାନେ ଶେଷ ଟି-୨୦ ସିରିଜ୍ ଖେଳିଥିଲେ। ତେବେ ଏମିତି କିଛି ଖେଳାଳି ଅଛନ୍ତି, ଯାହାଙ୍କୁ ଏସିଆ କପ୍ରେ ସ୍ଥାନ ମିଳିନ ପାରେ। ଏଥିରେ ସାମିଲ୍ ଅଛନ୍ତି ଜଣେ ବ୍ୟାଟର, ଜଣେ ସ୍ପିନର ଓ ଜଣେ ଦ୍ରୁତ ବୋଲର। ଫର୍ମ ଏବଂ ଫିଟନେସ୍ କାରଣରୁ ବାଦ୍ ପଡ଼ି ପାରନ୍ତି ଏହି ତିନି ଖେଳାଳି।
୨୦୨୬ରେ ହେବାକୁ ଯାଉଛି ଟି-୨୦ ବିଶ୍ଵକପ୍। ଏହାକୁ ଦୃଷ୍ଟିରେ ଟି-୨୦ ଫର୍ମାଟ୍ରେ ଖେଳାଯିବ ଚଳିତ ବର୍ଷ ଏସିଆ କପ୍। ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷ ମ୍ୟାଚ୍ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ତେବେ ଯେଉଁ ତିନି ଖେଳାଳିଙ୍କୁ ବାଦ୍ ଦିଆଯିବାର ସମ୍ଭାବନା ଅଧିକ ରହିଛି ସେଥିରେ ପ୍ରଥମ ନାଁ ଅସୁଛି ଦ୍ରୁତ ବୋଲର ମହମ୍ମଦ ଶାମିଙ୍କର।୨୦୨୫ ଖରାପ ଆଇପିଏଲ୍ ସିଜିନ, ଫିଟନେସ୍ ଏବଂ ଆହତ ସମସ୍ୟା କାରଣରୁ ଶାମିଙ୍କୁ ଟି-୨୦ ଦଳରୁ ବାହାରେ ରହିବାକୁ ପଡ଼ିପାରେ। ଗତ ଥର ତାଙ୍କୁ ଟି-୨୦ ଦଳରେ ଏଥିପାଇଁ ସୁଯୋଗ ମିଳିଥିଲା, କାରଣ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଫିଟନେସ୍ ପରଖିବାକୁ ଚାହୁଁଥିଲେ। ମାତ୍ର ସ୍ଥିତିରେ ପରିବର୍ତ୍ତନ ଆସିଛି। ଦଳ ରଣନୀତି ଏବଂ ସମୀକରଣରେ ଆସିଛି ପରିବର୍ତ୍ତନ। ଏଥିପାଇଁ ଶାମିଙ୍କୁ ଏସିଆ କପରେ ସ୍ଥାନ ମିଳିବାର ସମ୍ଭାବନା କ୍ଷୀଣ ଲାଗୁଛି।
ଦ୍ଵିତୀୟରେ ରହିଛି ରିଙ୍କୁ ସିଂଙ୍କ ନାଁ। ଭାରତର ଶେଷ ଟି-୨୦ ସିରିଜ୍ରେ ଖେଳିଥିଲେ ଏହି ବାମହାତୀ ବିସ୍ଫୋରକ ବ୍ୟାଟର। ମାତ୍ର ଏସିଆ କପରେ ତାଙ୍କୁ ସ୍ଥାନ ମିଳି ନ ପାରେ। ବିଗତ କିଛି ମ୍ୟାଚ୍ରେ ରିଙ୍କୁ ସିଂଙ୍କ ପ୍ରଦର୍ଶନ ନିରାଶଜନକ ରହିଛି। ଆଇପିଏଲ୍ ୨୦୨୫ରେ ବି ଖାସ୍ ପ୍ରଦର୍ଶନ କରି ନାହାନ୍ତି। ଏପରିକି ଘରୋଇ କ୍ରିକେଟ୍ରେ ମଧ୍ୟ ଚଳିତ ସିଜିନରେ ତାଙ୍କ ପ୍ରଦର୍ଶନ ରହିଛି ନୈରାଶ୍ୟଜନକ। ଏହି କାରଣରୁ ଦଳରୁ ବାଦ୍ ପଡ଼ି ପାରନ୍ତି ଏହି ବାମହାତୀ ବ୍ୟାଟର। ଯଦି ଅଗଷ୍ଟ ୧୭ ଏବଂ ୧୯ ତାରିଖରେ ୟୁପିଟି ଟି-୨୦ ଲିଗ୍ରେ କିଛି କମାଲ କରନ୍ତି ତେବେ ତାଙ୍କୁ ଦଳରେ ସ୍ଥାନ ମିଳିପାରେ।
ତୃତୀୟ ଖେଳାଳି ହେଉଛନ୍ତି ସ୍ପିନର ରବି ବିଷ୍ଣୋଇ। ଏସିଆ କପ୍ ଟିମରେ ବିଷ୍ଣୋଇଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ ରହିଛି। ଖରାପ ଫର୍ମ କାରଣରୁ ତାଙ୍କୁ ବାଦ୍ ଦିଆଯାଇପାରେ। ଏହି ଲେଗ୍ ସ୍ପିନରଙ୍କୁ ଆଇପିଏଲ୍ ୨୦୨୫ରେ ବି ଦଳରୁ ଡ୍ରପ କରାଯାଇଥିଲା। ସଂପ୍ରତି ତାଙ୍କର ଫର୍ମ ବି ନିରୁତ୍ସାହଜନକ ରହିଛି। ଆଇପିଏଲ୍ ପରେ ଘରୋଇ କ୍ରିକେଟ୍ ବି ସେ ଖେଳି ନାହାନ୍ତି। ତାଙ୍କ ବିକଳ୍ପ ଭାବେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ଇନଫର୍ମ ବୋଲର ରହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେଉଁ ଖେଳାଳିଙ୍କୁ ୧୫ ଜଣିଆ ଟିମରେ ମିଳୁଛି ସ୍ଥାନ।