ଭୁବନେଶ୍ବର ୮।୬: ପୁରୀ ବଡ଼ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକାନ କି ବାର୍ । ପୁରୀକୁ କରାଯିବ ପିଲିଗ୍ରିମ୍ ସିଟି । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଡ଼ଦାଣ୍ଡରେ ସବୁ ଘରର ୟୁନିଫର୍ମ ହାଇଟ୍ ରହିବ । ବଡ଼ଦାଣ୍ଡ ପଟେ ମୁହଁ କରିଥିବା ଘର ଗୁଡିକର ରୂପ ରେଖ ବଦଳାଯିବ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ଆଇନ ମନ୍ତ୍ରୀ କହିଛନ୍ତି ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଏଭଳି ପ୍ରତିକ୍ରିୟା ପରେ ପୁରୀବାସୀ ଏହାକୁ ସ୍ବାଗତ କରିଛନ୍ତି । ପୂର୍ବତନ କାଉନସିଲର ଭକ୍ତଚରଣ ଦାସ କହିଛନ୍ତି ପୁରୀ ଏକ ଆଧ୍ୟାତ୍ମିକ ତଥା ଧାର୍ମିକ କ୍ଷେତ୍ର । ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ଏଣୁ ବଡ଼ଦାଣ୍ଡରେ ଆମିଷ ବିକ୍ରି ଏବଂ ମଦ ବିକ୍ରି ଯୋଗୁଁ ଧାର୍ମିକ ଭାବନା ଉପରେ ଆଘାତ ଲାଗିଥାଏ । ଏଣୁ ବଡ଼ଦାଣ୍ଡରେ ଆମିଷ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ବାରମ୍ବାର ଦାବି କରି ଆସୁଥିଲେ । ତେବେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ବଡ଼ଦାଣ୍ଡକୁ ଆମିଷମୁକ୍ତ କରିବା ସହ ମଦ ବିକ୍ରି ଉପରେ ଯେଉଁ କଟକଣା ଲଗାଇବା ଯାଉଛନ୍ତି ତାହା ସ୍ବାଗତଯୋଗ୍ୟ ।
ସେପଟେ ବରିଷ୍ଠ ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ଶ୍ରୀକ୍ଷେତ୍ରରେ ବାର ମାସରେ ତେର ପର୍ବ । ବିଭିନ୍ନ ସମୟରେ ଠାକୁରଙ୍କ ଚଳନ୍ତି ପ୍ରତିମା ବଡ଼ଦାଣ୍ଡକୁ ଆସିବା ସହ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏଥିସହ ମହାପ୍ରଭୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତମାନଙ୍କ ଗହଣରେ ରଥରେ ଚଢ଼ି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି । ତେଣୁ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଆମିଷ ମୁକ୍ତ ହେବା ନିହାତି ଆବଶ୍ୟକ । ଏଥିସହ ମଦ ବିକ୍ରି ବନ୍ଦ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ଏହାକୁ କଥାରେ ସୀମିତ ନରଖି ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କଲେ ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
You Can Read: