ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବେ କି ସରକାର ? ସଂସଦରେ ଉତ୍ତର ଦେଲେ ମନ୍ତ୍ରୀ

Published By : Prameya-News7 Bureau | August 12, 2025 IST

cow as the national animal

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ବାରମ୍ବାର ଦାବି ହେଉ ଆସୁଥିବା ବେଳେ ମଙ୍ଗଳବାର ଏନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ସରକାର। ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବାରେ ବର୍ତ୍ତମାନ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଏସ୍ ପି ସିଂହ ବାଘେଲ। ମଙ୍ଗଳବାର ସଂସଦରେ ଏନେଇ ପ୍ରତିକ୍ରିୟା ରଖି ଶ୍ରୀ ବଘେଲ କହିଛନ୍ତି ଯେ ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ପାଇଁ କେନ୍ଦ୍ରର କୌଣସି ଆଇନ ପ୍ରଣୟନ କରିବାର ଯୋଜନା ନାହିଁ।

ଲୋକସଭାରେ ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନର ଧାରା ୨୪୬(୩) ଅନୁଯାୟୀ, "କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆଇନଗତ କ୍ଷମତା ବଣ୍ଟନ ଅନୁଯାୟୀ, ପ୍ରାଣୀ ସଂରକ୍ଷଣ ଏପରି ଏକ ବିଷୟ ଯାହା ଉପରେ ରାଜ୍ୟ ବିଧାନସଭାର ଆଇନ ପ୍ରଣୟନ କରିବାର ସ୍ୱତନ୍ତ୍ର କ୍ଷମତା ଅଛି।"

ଗାଈଙ୍କ ପ୍ରୋତ୍ସାହନ, ସୁରକ୍ଷା ଏବଂ ପାଳନ ପାଇଁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ କେନ୍ଦ୍ର ସରକାର ଡିସେମ୍ବର ୨୦୧୪ ଠାରୁ ରାଷ୍ଟ୍ରୀୟ ଗୋକୁଳ ମିଶନକୁ କାର୍ଯ୍ୟକାରୀ କରିଆସୁଛନ୍ତି। ସେହିଭଳି ଗାଈଁ କ୍ଷୀର ପ୍ରଡକ୍ସନ ନେଇ ମଧ୍ୟ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିଲେ। ବାଘେଲ କହିଥିଲେ ଯେ ୨୦୨୪ ମସିହାରେ ଦେଶର ମୋଟ ୨୩୯.୩୦ ନିୟୁତ ଟନ୍ କ୍ଷୀର ଉତ୍ପାଦନରେ ଗାଈ କ୍ଷୀରର ଅବଦାନ ୫୩.୧୨ ପ୍ରତିଶତ ଥିବା ବେଳେ ମଇଁଷି କ୍ଷୀରର ଅବଦାନ ୪୩.୬୨ ପ୍ରତିଶତ ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.