ଭୁବନେଶ୍ବର ୩୦।୮: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାର ପ୍ରସଙ୍ଗରେ ଚିଠି ଲେଖିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ସର୍ବାଧିକ କାମ କରୁଛନ୍ତି ମୋହନ ସରକାର । ସାର ପହଞ୍ଚିବାରେ ବିଳମ୍ବ ହୋଇଛି । ହେଲେ ସାରର ଅଭାବ ନାହିଁ । ଯେଉଁଠି ବିଳମ୍ବ ହୋଇଛି ସାର ପହଞ୍ଚାଇବାରେ ସେଠି ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା ଚାଲିଛି । କଳାବଜାରୀ, ଅପମିଶ୍ରଣ ଓ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀକୂଳ ଏବେ ହନ୍ତସନ୍ତ । ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି । ସାର ପାଇଁ ରାଜରାସ୍ତାରେ ଚାଷୀ ବସିଛନ୍ତି । ଚାଷୀଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଚିଠି ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ଓଡ଼ିଶା ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ନବୀନ ଦାବି କରିଛନ୍ତି ।
ନବୀନ ଆହୁରି ମଧ୍ୟ ଲେଖିଛନ୍ତି ଯେ, କୃଷି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଆଧାର । ଆମର ୭୦ ଭାଗରୁ ଅଧିକ ଲୋକଙ୍କୁ କୃଷି ହିଁ ଜୀବିକା ଯୋଗାଇଥାଏ । ଗତ ଦୁଇ ଦଶନ୍ଧିରେ ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ୨୦୦୦ ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇପାରିଛି । କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡ଼ିଶାକୁ ଏ ସଫଳତା ଆଣି ଦେଇଥିଲା।
ଓଡ଼ିଶାରେ ୭.୯୪ ଲକ୍ଷ ଟନ୍ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନି । ୟୁରିଆ ସରକାରୀ ଦର ଠାରୁ ଉଚ୍ଚ ଦାମରେ ବିକ୍ରି ହେଉଛି । ଓଡ଼ିଶା ସରକାରଙ୍କ ଏଜେନ୍ସୀ ମାର୍କଫେଡ୍ ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତିରେ ସାର ବିକୁଛି । ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜରାସ୍ତାକୁ ଓହ୍ଲାଉଛି । ଯାହା କି ଚିନ୍ତାର ବିଷୟ । ଯୋଗାଣ ଶୃଙ୍ଖଳାର କୁପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁଁ ଚାଷୀକୁ ଆଜି ଏ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ନବୀନ ଉଦବେଗ ପ୍ରକାଶ କରିଛନ୍ତି ।
ତାଳଚେର ସାର କାରଖାନା ବିଷୟରେ ନବୀନ କହିଛନ୍ତି ଯେ, ୨୦୧୮ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲା । ୬ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନପାରିବା ଦୁଃଖର ବିଷୟ । ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବାକୁ ଯଦି ସମୟୋଚିତ ପଦକ୍ଷେପ ନିଆନଯାଏ । ତେବେ କୃଷି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ହେବ । ଏହାସହ ଚାଷୀ ଭାଇ ଭଉଣୀଙ୍କ ଜୀବିକାକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ନବୀନ କହିଥିଲେ ।
You Can Read: