LIVE TV

କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇଲେ ବିରାଟ କୋହଲି, ହେଲେ ଦିନିକିଆର ୨ୟ ସଫଳ ବ୍ୟାଟର

NEWS7
then-what-was-the-point-of-questioning-the-dna-of-nitish-kumar-ask-lalan

ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଶନିବାର ଦିନିକିଆରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ତାଲିକାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ ଶ୍ରୀଲଙ୍କାର ମହାନ ବ୍ୟାଟର କୁମାର ସାଙ୍ଗାକାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ସେ ଦିନିକିଆ କ୍ରିକେଟ୍ ଇତିହାସରେ ଦ୍ଵିତୀୟ ସର୍ବାଧିକ ରନ ହାସଲକାରୀ  ବ୍ୟାଟର ହୋଇଛନ୍ତି। ରୋହିତ ଓ କୋହଲିଙ୍କ ମଧ୍ୟରେ ଦ୍ଵିତୀୟ ଓ୍ଵିକେଟ୍‌ରେ ହୋଇଥିବା ଶତକୀୟ ଇନିଂସ ବଳରେ ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯ ଓ୍ଵିକେଟ୍‌ରେ ହରାଇଛି।

ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ସାଙ୍ଗାକାରାଙ୍କ ୧୪ ହଜାର ୨୩୪ ରନ ଟପିବା ପାଇଁ ଦରକାର ଥିଲା ୫୪ ରନ। କୋହଲି ସିଡନୀ ମ୍ୟାଚରେ ୮୧ ବଲରୁ ୭୪ ରନର ଇନିଂସ ଖେଳି ସାଙ୍ଗାକାରାଙ୍କ ରେକର୍ଡ ଧରାଶାୟୀ କରିଛନ୍ତି। ସାଙ୍ଗାକାରାଙ୍କ ତୁଳନାରେ କୋହଲି ବହୁତ କମ ଇନିଂସରେ ଏହି ରେକର୍ଡ କରିଛନ୍ତି। ସାଙ୍ଗାକାରା ୪୦୪ ଦିନିକିଆରେ ୧୪ ହଜାର ୨୩୪ ରନ କରିଥିବା ବେଳେ କୋହଲି ୩୦୫ ଦିନିକିଆରେ ଏହି ଉପଲବ୍ଧି ହାସଲ କରିଛନ୍ତି।

ଦିନିକିଆରେ ସର୍ବାଧିକ ରନର ରେକର୍ଡ ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ ୪୬୩ ଦିନିକିଆରେ ୪୪.୮୩ ହାରରେ ୧୮ ହଜାର ୪୨୬ ରନ କରିଛନ୍ତି। ଏଥିରେ ୪୯ ଶତକ ସାମିଲ୍। ବିରାଟ ୩୦୫ ମ୍ୟାଚରେ ୫୭.୫୯  ହାରରେ ୫୧ ଶତକ ସହ ୧୪ ହଜାର ୨୫୦ ରନ କରିଛନ୍ତି। ସାଙ୍ଗାକାରା ୪୦୪ ମ୍ୟାଚ୍‌ରେ ୨୫ ଶତକ ସହ ୧୪ ହଜାର ୨୩୪ ରନ କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ପଣ୍ଟିଂ ୩୭୫ ମ୍ୟାଚରେ ୧୩ ହଜାର ୭୦୪ ରନ କରିଛନ୍ତି। ଏଥିରେ ୩୦ ଶତକ ସାମିଲ୍।

ଦିନିକିଆରେ ସର୍ବାଧିକ ରନ

୧୮ ହଜାର ୪୨୬ ରନ- ସଚିନ ତେନ୍ଦୁଲକର

୧୪ ହଜାର ୨୫୫ ରନ- କୁମାର ସାଙ୍ଗାକାରା

୧୩ ହଜାର ୭୦୪ ରନ- ରିକି ପଣ୍ଟିଂ

୧୩  ହଜାର ୪୩୦ ରନ- ସନଥ ଜୟସୁରିୟା

୧୨ ହଜାର ୬୫୦ ରନ- ମହେଲା ଜୟବର୍ଦ୍ଧନେ