ଗୋଟିଏ ବି ମ୍ୟାଚ୍‌ ଜିତିପାରିଲାନି କାନାଡା,  ବଡ଼ ବିଜୟ ସହିତ ଟି-୨୦ ବିଶ୍ବକପ୍‌ରୁ ବିଦାୟ ନେଲା ଆଫଗାନିସ୍ତାନ

NEWS7
then-there-will-be-laughter-with-sunil-grover-and-kapil-sharma

ଚେନ୍ନାଇ: ଆଫଗାନିସ୍ତାନ କାନାଡାକୁ ୮୨ ରନରେ ପରାସ୍ତ କରିଛି। ଟି-୨୦ ବିଶ୍ୱକପରୁ ପୂର୍ବରୁ ବାଦ ପଡ଼ିଥିବା ଆଫଗାନିସ୍ତାନ ଦଳ କାନାଡା ବିପକ୍ଷରେ ଏକ ବଡ଼ ବିଜୟ ସହିତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦୦ ରନ କରିଥିଲା। ଜବାବରେ କାନାଡା ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୧୮ ରନ କରିପାରିଥିଲା।

 ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଇବ୍ରାହିମ ଜଦ୍ରାନ ଦମଦାର ପ୍ରଦର୍ଶନ କରିଥିଲେ ।  ସେ ୫୬ ବଲ୍‌ରେ ୭ ଚୌକା ଏବଂ ୫ ଛକା ସହାୟତାରେ ୯୫ ରନ୍ କରିଥିଲେ। ସେଦିକୁଲ୍ଲା ଅଟଲ ମଧ୍ୟ ୪୪ ରନର ଯୋଗଦାନ ଦେଇ ଆଫଗାନିସ୍ତାନକୁ ୨୦୦ ରନରେ ପହଞ୍ଚାଇଥିଲେ। 

୨୦୧ ରନର ଟାର୍ଗେଟକୁ ପିଛା କରି କାନାଡା ଭଲ ଆରମ୍ଭ କରିଥିଲା । କିନ୍ତୁ ଆଫଗାନିସ୍ତାନ ବୋଲରମାନେ କମାଲ ବୋଲିଂ କରିଥିଲେ । ବିଶେଷକରି ମହମ୍ମଦ ନବି, ମୁଜୀବ ଉର ରହମାନ ଏବଂ ରାସିଦ ଖାନ କାନାଡା ବ୍ୟାଟରଙ୍କୁ ଚକମା ଦେଇଥିଲେ । 

ମହମ୍ମଦ ନବି ସବୁଠାରୁ ପ୍ରଭାବଶାଳୀ ବୋଲର ଥିଲେ, ସେ ତାଙ୍କ ୪ ଓଭରରେ ମାତ୍ର ୭ ରନ୍ ଦେଇ ୪ଟି ୱିକେଟ ନେଇଥିଲେ। ରାସିଦ ଖାନ ତାଙ୍କ ସ୍ପେଲରେ ୧୯ ରନ୍ ଦେଇ ୨ ୱିକେଟ ନେଇଥିଲେ। ରହମାନ ତାଙ୍କ ୪ ଓଭରରେ ୨୩ ରନ୍ ଦେଇ ୧ ୱିକେଟ ନେଇଥିଲେ। ଆଫଗାନିସ୍ତାନ ୪ ପଏଣ୍ଟ ସହିତ ଗ୍ରୁପ୍ ଡିରେ ତୃତୀୟ ସ୍ଥାନରେ ରହିଥିଲା। ସେପଟେ ଗ୍ରୁପ୍ ଡିରେ କାନାଡା ଏକମାତ୍ର ଦଳ, ଯିଏ ଏହି ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଜିତିପାରିନଥିଲା ।