ଇତିହାସରେ ଯାହା ନଥିଲା ତାହା ଘଟିଲା, ଟଙ୍କା ଦୁର୍ବଳ ହେବାରୁ ୧.୫ ଲକ୍ଷ କୋଟି ଟଙ୍କା ଉଠାଇନେଲେ...

NEWS7
the-villagers-took-the-body-to-mashani-after-crossing-the-canal-in-chest-deep-water

ନୂଆଦିଲ୍ଲୀ, ୨୯/୧୨: ଅର୍ଥନୈତିକ ଦୃଷ୍ଟିକୋଣରୁ ୨୦୨୫ ଥିଲା ଖାସ୍ । ଅନେକ ସଫଳତା ଏବଂ ବିଫଳତା ଦେଖିଥିଲା ୨୦୨୫ । ଦେଶର ପୁଞ୍ଜି ବଜାରରୁ ବିଦେଶୀ ନିବେଶକ ମୁହଁ ଫେରାଇଥିଲେ । ଭାରତ ପାଇଁ ନିବେଶ କ୍ଷେତ୍ରରେ ସବୁଠାରୁ ଖରାପ ବର୍ଷ ହୋଇଥିଲା ।

ଚଳିତ ବର୍ଷ ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ଶେୟାର ବଜାର ଇତିହାସରେ ସବୁଠାରୁ ବଡ଼ ପୁଞ୍ଜି ପ୍ରତ୍ୟାହାର । ବିଶ୍ୱ ବଜାର ସ୍ଥିତି ଏବଂ ଭାରତୀୟ ବଜାରର ଉଚ୍ଚ ଭାଲ୍ୟୁଏଶନ କାରଣରୁ ନିବେଶକ ସେମାନଙ୍କ ନିବେଶ ଅର୍ଥ ପ୍ରତ୍ୟାହାର କରୁଥିବା ବିଶେଷଜ୍ଞ କହିଛନ୍ତି । ତେବେ ୨୦୨୬ରେ ବଜାର ସ୍ଥିତି ଉନ୍ନତ ରହିବ ବୋଲି ଆଶା କରାଯାଉଛି ।

ଏବର୍ଷ ମୋଟ ପୁଞ୍ଜି ପ୍ରତ୍ୟାହାର କ୍ଷେତ୍ରରେ (ଶେୟାର ବଜାର) ସେକେଣ୍ଡାରୀ ମାର୍କେଟରୁ ସିଧାସଳଖ ବିକ୍ରିର ଏକ ବଡ ଅଂଶ । ବିଦେଶୀ ନିବେଶକମାନେ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ୨.୩୨ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି କରିଛନ୍ତି । ତେବେ ଏଭଳି ବଡ ଧରଣର ପ୍ରତ୍ୟାହାର ସତ୍ତେ୍ୱ ପ୍ରାଇମେରୀ ମାର୍କେଟ (ଆଇପିଓ ଓ ଅନ୍ୟ ନିବେଶ)ରେ ବିଦେଶୀ ନିବେଶକମାନେ ୭୩,୫୮୩ କୋଟି ଟଙ୍କାର ନିବେଶ କରିଛନ୍ତି । ଏହି ୨ ବର୍ଗକୁ ଦେଖିଲେ ନେଟ୍ ପ୍ରତ୍ୟାହାର ୧.୫୮ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୪ ତୁଳନାରେ ଏହା ବେଶ ବଡ ରହିଛି । ପୂର୍ବରୁ ୨୦୨୪ରେ ବିଦେଶୀ ନିବେଶକ ମାନେ ୧.୨୧ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି କରିଥିଲେ । ଏହି ଅବଧିରେ ସେମାନେ ଆଇପିଓ ଏବଂ ଅନ୍ୟ ମାଧ୍ୟମରେ ପ୍ରାଇମେରୀ ମାର୍କେଟରେ ୧.୨୧ ଲକ୍ଷ କୋଟି ଟଙ୍କାର ନିବେଶ ମଧ୍ୟ କରିଥିଲେ । ଫଳରେ ୨୦୨୪ରେ ନିବେଶ ସକରାତ୍ମକ ଥିଲା । ମାତ୍ର ୨୦୨୫ରେ ବିଦେଶୀ ନିବେଶକ ଏତେ ବଡ ମାତ୍ରାରେ ଶେୟାର ବିକ୍ରି କରିଛନ୍ତି ଯେ, ପ୍ରାଇମେରୀ ମାର୍କେଟ ନିବେଶ ଏହାକୁ କଭର କରିବାକୁ ସକ୍ଷମ ହୋଇନାହିଁ ।

ବିଶ୍ୱ ବଜାରରେ ଅଭିବୃଦ୍ଧି ପ୍ରଭାବିତ ରହିବା ଯୋଗୁ ନିବେଶକ ମାନେ ପୁଞ୍ଜି ପ୍ରତ୍ୟାହାର କରୁଥିବା କୁହାଯାଉଛି । ଯୁଦ୍ଧ ଏବଂ ଟାରିଫ ଜନୀତ ପ୍ରଭାବ ଯୋଗୁ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇଛି । କିନ୍ତୁ ୨୦୨୬ ବଜାରକୁ ସକରାତ୍ମକ ଫଳ ଦେଇପାରେ। ୨୦୨୬ରେ ଦେଶର ଜିଡିପି ଅଭିବୃଦ୍ଧି ଦୃଢ଼ ଏବଂ କମ୍ପାନି ଗୁଡ଼ିକର ଲାଭରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । ବଜାରର ଉନ୍ନତିକୁ ଦେଖି ପୁଣି ଥରେ ବିଦେଶୀ ନିବେଶକ ମାନେ ଭାରତୀୟ ବଜାର ଉପରେ ଭରସା କରିବାର ଢ଼େର ସମ୍ଭାବନା ରହିଛି । ଅନ୍ୟ ପଟେ ଭାରତର ଆର୍ଥିକ ସ୍ଥିତି ବିଶ୍ୱର ଅନ୍ୟ ଦେଶ ତୁଳନାରେ ଏବେ ମଧ୍ୟ ଉପରେ ରହିଥିବା ଦେଖିବାକୁ ମିଳିଛି ।