ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ବଡ଼ ଆଶ୍ବସ୍ତି। ‘ଓ୍ବାନ ବିଗ୍ ବିୟୁଟିଫୁଲ ବିଲ୍’ ଆକ୍ଟର ନୂଆ ଡ୍ରାଫ୍ଟରେ ରେମିଟାନ୍ସ ଟ୍ୟାକ୍ସକୁ ୩.୫%ରୁ ହ୍ରାସ କରି କେବଳ ୧% କରିଦିଆଯାଇଛି। ପ୍ରକୃତରେ ପୂର୍ବରୁ ଏହି ବିଲ୍ରେ ୫% ଟ୍ୟାକ୍ସ କଥା କୁହାଯାଇଥିଲା। ପରେ ଏହାକୁ ୩.୫% କରାଯାଇଥିଲା ହେଲେ ଏବେ ସିନେଟର ନୂଆ ଡ୍ରାଫ୍ଟରେ ଏହାକୁ ଆହୁରି କମ୍ କରି ୧% କରିଦିଆଯାଇଛି। ଏହି ବିଲ୍ ପାରିତ ହେବା ପରେ ଭାରତକୁ ଆମେରିକାରୁ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କୁ ବେଶ୍ ଫାଇଦା ହେବ।
ଏକ ରିପୋର୍ଟ ଅନୁସାରେ, ନୂଆ ନିୟମ ଅନୁସାରେ ୨୦୨୫ ଡିସେମ୍ବର ୩୧ ପରେ ହେବାକୁ ଥିବା ଖାସ୍ ଟ୍ରାନ୍ସଫର ଗୁଡ଼ିକ ଉପରେ ହିଁ ଏହା ଲାଗୁ ହେବ। ଆହୁରି ମଧ୍ୟ ଭଲ କଥା ହେଲା ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାର ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର ଏବଂ ଆମେରିକାରେ ଜାରି ଡେବିଟ ଓ କ୍ରେଡିଟ୍ କାର୍ଡରୁ କରାଯାଇଥିବା ପେମେଣ୍ଟ ଉପରେ ଏହି ଟ୍ୟାକ୍ସ ଲାଗୁ ହେବନାହିଁ। ଅର୍ଥାତ ଦୈନନ୍ଦିନର ଅଧିକାଂଶ ରେମିଟାନ୍ସ ଏହି ଟ୍ୟାକ୍ସରୁ ବାହାରେ ରହିବ।
ପ୍ରକୃତରେ ପୂର୍ବରୁ ବିଲ୍ରେ ରେମିଟାନ୍ସ ଉପରେ ୩.୫% ଲଗାଯିବା ଘୋଷଣା ଭାରତୀୟଙ୍କୁ ଚିନ୍ତାରେ ପକାଇଥିଲା। କାରଣ ଭାରତରେ ଥିବା ନିଜ ପରିବାରକୁ ସାହାଯ୍ୟ କିମ୍ବା ନିବେଶ ପାଇଁ ଟଙ୍କା ପଠାଇବା ସାଧାରଣ କଥା। ହେଲେ ରେମିଟାନ୍ସ ଉପରେ ଶୁଳ୍କ ବଢ଼ିଲେ ଏହା ଖୁବ୍ ପ୍ରଭାବିତ କରିଥାନ୍ତା। ୨୦୨୩ର ତଥ୍ୟ ଅନୁସାରେ ଆମେରିକାରେ ୨୯ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି। ଯାହା ସେଠାରେ ଦ୍ବିତୀୟ ସବୁଠୁ ବଡ଼ ବିଦେଶୀ ଜନସଂଖ୍ୟା।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁସାରେ, ୨୦୨୪ ମେରେ ଆମେରିକାରୁ ଭାରତକୁ ପ୍ରାୟ ୨୧ ବିଲିୟନ ଡଲାରର ରେମିଟାନ୍ସ ଆସିଥିଲା। ଯାହା ଆମେରିକାର ସମୁଦାୟ ରେମିଟାନ୍ସର ୨୭.୭% ଥିଲା। ଏମିତିରେ ଟ୍ୟାକ୍ସ ବଢ଼ିବା ଯୋଗୁ ଏନଆରଆଇକୁ କ୍ଷତି ହୋଇଥାନ୍ତା।
ତେବେ ଏହି ବିଲ୍ ଅନୁସାରେ ଟ୍ୟାକ୍ସ କେବଳ ନନ୍- ସିଟିଜେନ୍ସଙ୍କ ଉପରେ ଟ୍ୟାକ୍ସ ଲାଗିବ। ଯେପରିକି ହାଇ ସ୍କିଲ୍ଡ ପ୍ରେଫେସନାଲ୍ସ, ଛାତ୍ରଛାତ୍ରୀ ଏବଂ ଗ୍ରୀନ କାର୍ଡ ଧାରୀ। ଯଦି ଛାତ୍ରଛାତ୍ରୀଙ୍କ ପାଖରେ ପାର୍ଟ ଟାଇମ ଜବ୍ କିମ୍ବା ଇଣ୍ଟର୍ଣ୍ଣସିପ୍ରୁ ଆୟ କରିଥିବା ଟଙ୍କା ଗ୍ରାଜୁଏସନ ପରେ ଭାରତ ପଠାଉଛନ୍ତି, ତେବେ ତାହା ଉପରେ ମଧ୍ୟ ଟ୍ୟାକ୍ସ ଲାଗିପାରେ। ଏହି ଟ୍ୟାକ୍ସ ଏନଆରଆଇ ଆକାଉଣ୍ଟରେ ଡିପୋଜିଟ୍, ରିୟଲ ଇଷ୍ଟେଟ କିଣାବିକା କିମ୍ବା କର୍ପୋରେଟ୍ ମୋବିଲିଟି ପ୍ରୋଗ୍ରାମ୍ସ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତେଣୁ ରେମିଟାନ୍ସ ଉପରେ ୧% ଟ୍ୟାକ୍ସ ଲାଗିଲେ ଏନଆରଆଇଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବନି।