ଆନ୍ଦୋଳନ ଚେତାବନୀ ଦେଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମିଳିତ ମଞ୍ଚ

NEWS7
the-two-players-could-be-dropped-from-the-final-eleven-on-the-second-odi

ଭୁବନେଶ୍ବର: ଗ୍ରେଡ ପେ ଏବଂ ଇନକ୍ରିମେଣ୍ଟ ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। ଏମିତିକି ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛି ସଂଘ। ଏହାରି ମଧ୍ୟରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ମଧ୍ୟ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ସ୍ଥାୟୀ ନିଯୁକ୍ତି ଦାବି ଦୋହରାଇ ମଞ୍ଚ ଏହି ଆନ୍ଦୋଳନ କରିବାକୁ ଯାଉଥିବା ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି ଦୋହରାଇ ଡିସେମ୍ବର ୧୨ ତାରିଖ ଦିନ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି। ମିଳିତ ମଞ୍ଚ, ପାର୍ଟ ଟାଇମ୍ ଶବ୍ଦ ଉଛେଦ କରି ପୂର୍ଣ୍ଣ ଶିକ୍ଷକତାର ମାନ୍ୟତା ଦିଆଯିବାକୁ ଦାବି କରିଛି। ମଞ୍ଚ କହିଛି ଏବେ ସାରା ରାଜ୍ୟରେ ୪ ହଜାର ୭ ଶହ କଳା ଓ କ୍ରୀଡ଼ା ଶିକ୍ଷକ ନିୟୋଜିତ ଅଛନ୍ତି। ସକାଳ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ସ୍କୁଲରେ ରହି ପାଠ ପଢ଼ାଉଛନ୍ତି। କିନ୍ତୁ ଏହା ବଦଳରେ ୮ ହଜାର ୫ ଶହ ଟଙ୍କା ଦରମା ସରକାର ପ୍ରଦାନ କରୁଛନ୍ତି।

ଆହୁରି କୁହାଯାଇଛି ଯେ, ପୂର୍ବ ସରକାରକୁ ଭେଟି ଦରମା ବୃଦ୍ଧି ଓ ପାର୍ଟ ଟାଇମ୍ ଉଛେଦ କରିବାକୁ ସଂଘ ଅନେକ ବାର ଦାବିପତ୍ର ଦେଇଥିଲା। ହେଲେ ଦାବି ଗ୍ରହଣ କରିନଥିଲେ ପୂର୍ବ ସରକାର। ଚଳିତ ସରକାରଙ୍କୁ ବି ୧୨ ଥର ଦାବି ଦେଇ ସାରିଲାଣି ସଂଘ। କିନ୍ତୁ ଏଯାଏ ଦାବି ଗ୍ରହଣ କରୁ ନାହାଁନ୍ତି ଚଳିତ ବିଜେପି ସରକାର। ତେଣୁ ପୁନଶ୍ଚ ଏହି ଦାବି ସହ ସଂଘ ଆନ୍ଦୋଳନ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଆଉ ଯଦି ୧୧ ତାରିଖ ସୁଦ୍ଧା ଦାବି ପୂରଣ ନହୁଏ ତେବେ ୧୨ ତାରିଖ ଦିନ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମିଳିତ ମଞ୍ଚ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।