ରାଜ୍ୟରେ ମୌସୁମୀ ଗାୟବ; ଖରା ତାତିରେ ଅସ୍ତବ୍ୟସ୍ତ ରାଜ୍ୟ, ଆଗକୁ କଲବଲ କରିବ, ବଢ଼ିବ ତାପମାତ୍ରା

Published By : Prameya-News7 Bureau | June 06, 2025 IST

ଭୁବନେଶ୍ୱର,୦୬/୦୬: ମୌସୁମୀ ଯାଇଛି ଯେ ଆଉ ଫେରୁନି । ବର୍ଷା ଗାଏବ ।  କାଁ ଭାଁ ଛିଞ୍ଚୁଛି । ବିସ୍ତୃତ ଅଞ୍ଚଳ ଶୁଖିଲା ପଡ଼ିଛି ।  ଗୁଳୁଗୁଳି ନାକେଦମ କରିଦେଲାଣି । ଆଗକୁ ଆହୁରି ସିଝାଇବ, ଛଟପଟ କରିବ । ରାଜ୍ୟରେ ଏବେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ବଢ଼ିବା ସହ ଗୁଳୁଗୁଳି ଜାରି ରହିବ । 

ପାଣିପାଗ ପୂର୍ବାନୁମାନ  କହୁଛି, ଜୁନ୍‌ ୧୨ ଆଗରୁ ମୌସୁମୀ ଫେରିବା ସମ୍ଭାବନା କମ୍‌ । ଲଘୁଚାପ ହିଁ ଭରସା । ଯଦି  ରଜ ବେଳକୁ ଲଘୁଚାପ ସୃଷ୍ଟି ହୁଏ, ତେବେ ଯାଇ ଓଡ଼ିଶାକୁ ମୌସୁମୀ ବର୍ଷା ଫେରିପାରେ । ପ୍ରତିଦିନ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ  ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଉଛି । ମାତ୍ର ବର୍ଷା ହେଉଛି କାଁ ଭାଁ । ଗୁରୁବାର ସକାଳରୁ ଅପରାହ୍ନ ସାଢ଼େ ୫ଟା ଭିତରେ ତାଳଚେରରେ ୩୨.୪ ମିଲିମିଟର, ଅନୁଗୁଳରେ ୩ ମିମି,  ଛତ୍ରପୁରରେ ୩ ମିମି ବର୍ଷା ହୋଇଥିଲା । ବାକି  ସବୁଠି ପାଗ ଶୁଖିଲା ଥିଲା । ଭୁବନେଶ୍ୱରରେ ପାଗ  ଆଂଶିକ ମେଘୁଆ ଥିଲେ ବି ବର୍ଷା ଦେଖା ମିଳିଲାନି ।  ମେ ୨୯ରୁ ମୌସୁମୀ ଫେରାର । ଜୁନ୍‌ ୧୨  ଆଗରୁ ଫେରିବା ଆଶା କ୍ଷୀଣ । ତା’ ପରେ ବି  ଆସିବା ନେଇ ଅନିଶ୍ଚିତତା ରହିଛି । 

ପାଣିପାଗ  ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୧  ତାରିଖ ଭିତରେ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଦ୍ୱିତୀୟ ସପ୍ତାହର (୧୨ରୁ ୧୮  ତାରିଖ)ରେ ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍‌  ବର୍ଷା ହୋଇପାରେ । ଯଦିଓ ଏହି ଅବଧି ଭିତରେ  ପୂର୍ବ ଭାରତକୁ ମୌସୁମୀ ଅଗ୍ରସର କରିପାରେ ।  ଅନୁମାନ କରାଯାଉଛି, ଉତ୍ତର ଓ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ  ବଙ୍ଗୋପସାଗରରେ ୧୨ରୁ ୧୫ ତାରିଖ ଭିତରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ମାତ୍ର  ତାହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା  ସମ୍ଭାବନା କମ୍‌ । ବିଶେଷଜ୍ଞଙ୍କ କହିବାନୁସାରେ ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବୀ ହେଲେ ହିଁ ମୌସୁମୀ  ପୁଣି ସକ୍ରିୟ ହୋଇପାରିବ । ସେପର୍ଯ୍ୟନ୍ତ ମୌସୁମୀ  ଫେରିବା ନେଇ ଅନିଶ୍ଚିତତା ରହିଛି

ଏଥର ଦୁଇ ସପ୍ତାହ ଆଗୁଆ ଆସିଥିଲା  ମୌସୁମୀ । ମାତ୍ର ଓଡ଼ିଶାରେ ପ୍ରବେଶ କରିବା ପରେ  ମୌସୁମୀ ଦୁଇ ସପ୍ତାହ ନିଖୋଜ ରହିପାରେ ।  ଯଦି ଲଘୁଚାପ ନ ହୁଏ, ତେବେ ରଜବେଳକୁ  ଗୁଳୁଗୁଳିରୁ ନିସ୍ତାର ଆଶା କମ୍‌ । ୨୦୦୯ରେ ମୌସୁମୀ  ଓଡ଼ିଶାକୁ ମେ’ ୨୫ରେ ପ୍ରବେଶ କରିଥିଲା । ମାତ୍ର  ଏହାପରେ ୩୧ ଦିନ ପାଇଁ ମୌସୁମୀ ଗାଏବ  ହୋଇଯାଇଥିଲା । ମୌସୁମୀ ଓଡ଼ିଶାକୁ ପ୍ରବେଶ  କରିବା ପରେ ୧୯୮୨ରେ ୨୬ ଦିନ, ୧୯୮୬ରେ  ୨୫ ଦିନ, ୧୯୯୧ରେ ୩୧ ଦିନ, ୧୯୯୫ରେ ୧୯  ଦିନ, ୨୦୦୦ରେ ୧୩ ଦିନ, ୨୦୧୪ରେ ୧୪ ଦିନ,  ୨୦୦୪ରେ ୧୫ ଦିନ ଓ ୨୦୦୬ରେ ୧୬ ଦିନ  ହଜିଯାଇଥିଲା । ଏଥର ଏ ଅବଧି କେତେ ଲମ୍ବିବ,  ତାହା ଉପରେ ସଭିଙ୍କ ନଜର । 

ପାଣିପାଗ ବିଭାଗର ଆକଳନ ହେଲା, ଆସନ୍ତା  ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌  ବଢ଼ିପାରେ । କେତେକ ବିଶେଷଜ୍ଞଙ୍କ ମତରେ ତାତି  ଆହୁରି ଅଧିକ ବଢ଼ିପାରେ । ଗୁରୁବାର ୯ଟି ସ୍ଥାନରେ  ପାରଦ ୩୭ ଡିଗ୍ରୀ ଟପିଥିଲା । ପାରଳାଖେମୁଣ୍ଡି  ୩୮, ଝାରସୁଗୁଡ଼ା ୩୮.୪, ଅନୁଗୁଳ ୩୮.୧,  ସମ୍ବଲପୁର ୩୭.୬, ହୀରାକୁଦ ୩୭.୧, ଟିଟିଲାଗଡ଼  ୩୭, ମାଲକାନଗିରି ୩୭.୨, ବୌଦ୍ଧ ୩୭.୨, କୋରାପୁଟ ୩୭.୮ ଡିଗ୍ରୀ ଥିଲା । ଆର୍ଦ୍ରତା ୬୦ରୁ  ୭୦% ଉପରେ ଥିଲା ଉପକୂଳ ଅଞ୍ଚଳରେ ।  ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଗରମ  ଓ ଗୁଳୁଗୁଳି ନାକେଦମ କରିପାରେ । ବର୍ତ୍ତମାନ  ଗୁଳୁଗୁଳି ପ୍ରକୋପ ଏଭଳି ରହିବ । 

ପାଣିପାଗ ବିଶେଷଜ୍ଞଙ୍କ ମତରେ ମୌସୁମୀ  ଅଗ୍ରସର ହେବାକୁ ପାଗ ଅନୁକୂଳ ନାହିଁ । ପଶ୍ଚିମା  ଝଡ଼ ଏଥିରେ ବଡ଼ ପ୍ରତିବନ୍ଧକ ହେଉଛି । ଏଭଳି ସ୍ଥିତି  ଲମ୍ବିଲେ ଜୁନ୍‌ରେ ନିଅଣ୍ଟିଆ ବର୍ଷା ଆଶଙ୍କା ରହୁଛି ।  ଯଦି ରଜବେଳକୁ ଲଘୁଚାପ ନ ହୁଏ ଏହା ଚାଷ  ଆରମ୍ଭ ନେଇ ସମସ୍ୟା ବଢ଼ାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.