ଆମେରିକା ଟେକ୍ସାସ୍‌ରେ ସ୍ଥିତି ବେହାଲ ; ୧୦୦ରୁ ଅଧିକଙ୍କ ଗଲାଣି ଜୀବନ, ଅନେକ ନିଖୋଜ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ ୦୮।୦୭; ପ୍ରକୃତି ରଚିଛି ତାଣ୍ଡବ ଲୀଳା । ଜଳ ପ୍ରଳୟରେ ବେହାଲ ଆମେରିକା ଟେକ୍ସାସ । ବାଦଲଫଟା ବର୍ଷା ସାଙ୍ଗକୁ ହଠାତ୍‌ ବନ୍ୟାରେ ଅନେକ ଲୋକଙ୍କ ଜୀବନ ଗଲାଣି । ତା ସହିତ ଖାଦ୍ୟ ଓ ବିଜୁଳି ବିନା ବଞ୍ଚିରହିଥିବା ମଣିଷ ବି ଛଟପଟ ହେଉଛନ୍ତି । ଜୁଲାଇ ୪ ତାରିଖରେ ଆମେରିକାର ଟେକ୍ସାସ ରାଜ୍ୟର ଗୁଆଡାଲୁପ୍ ନଦୀରେ ହଠାତ୍ ବନ୍ୟା ଆସିବାରୁ ଏପର୍ଯ୍ୟନ୍ତ ୧୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ବଢିବା ନେଇ ଆଶଙ୍କା ରହିଛି। ନଦୀ ନିକଟରେ ଏକ ଗାର୍ଲସ୍‌ ସମର କ୍ୟାମ୍ପ ଚାଲିଥିଲା, ଯାହା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା । କ୍ୟାମ୍ପରେ ଥିବା ୨୭ ଜଣ ବାଳିକାଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫୦ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ବନ୍ୟା ଯୋଗୁଁ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାରକାରୀମାନେ ‘କ୍ୟାମ୍ପ ମିଷ୍ଟିକ୍’ ଏବଂ ଅନ୍ୟାନ୍ୟ କ୍ୟାମ୍ପ ଆୟୋଜନ କରୁଥିବା ଏହି କାଉଣ୍ଟିରେ ୨୮ ଜଣ ପିଲାଙ୍କ ସମେତ ୮୪ ଜଣଙ୍କ ମୃତଦେହ ପାଇଛନ୍ତି।

ଟେକ୍ସାସର ଅନେକ ଅଞ୍ଚଳରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ । ପାଣିପାଗ ବିଭାଗ ବନ୍ୟା ସତର୍କତା ଜାରି କରିଛି ଏବଂ ଗୁଆଡାଲୁପ୍ ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି । ଶୁକ୍ରବାର ଟେକ୍ସାସର ସେନ ଆଣ୍ଟୋନିଓରେ ପ୍ରବଳ ବର୍ଷା ହୋଇଛି । ମାତ୍ର ୪୫ ମିନିଟ୍ ମଧ୍ୟରେ ନଦୀର ଜଳସ୍ତର ୨୬ ଫୁଟ (୮ ମିଟର) ବୃଦ୍ଧି ପାଇ ଘର ଏବଂ ଯାନବାହାନକୁ ଭସେଇ ନେଇଥିଲା । ହେଲିକପ୍ଟର ଏବଂ ଡ୍ରୋନ୍ ସାହାଯ୍ୟରେ ଲୋକଙ୍କ ସନ୍ଧାନ ଏବେ ବି ଜାରି ରହିଛି । ଏହି ବିପତ୍ତି ସମୟରେ ଟ୍ରମ୍ପ ୧୧ ଜୁଲାଇରେ ଟେକ୍ସାସ ଗସ୍ତ କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦି ୫ ଜୁଲାଇରେ ବନ୍ୟାରେ ପିଲାଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଇଥିଲେ ।

ସେନ ଆଣ୍ଟୋନିଓ ଜରୁରୀକାଳୀନ ଦଳଗୁଡ଼ିକ ହେଲିକପ୍ଟର ଏବଂ ଡ୍ରୋନ ବ୍ୟବହାର କରି ଖୋଜା ଖୋଜି କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ଅଞ୍ଚଳର ଲୋକମାନେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବନ୍ୟା ପାଣି ହଠାତ୍ ଆସିଥିଲା ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗି ପଡ଼ିଥିଲା ଏବଂ କେରଭିଲ୍ ଆଖପାଖ ଅଞ୍ଚଳର ପ୍ରାୟ ୨ ହଜାର ୬୦୦ଘର ବିଜୁଳି ଚାଲିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.