ଭୁବନେଶ୍ବର ୨।୭: ବିଏମ୍ସି ଅଫିସ୍ରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା ପଛରେ ଥିବା ମୁଖ୍ୟ ଆସାମୀକୁ ଛଡାଯିବନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଫେରିବା ପରେ ଏଭଳି ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ଯିଏ ବି ଏ କାଣ୍ଡ ଘଟାଇଛନ୍ତି, କାହାରିକୁ ଛଡା ଯିବନାହିଁ । ସମସ୍ତଙ୍କୁ ଗିରଫ କରାଯିବ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇସାରିଛନ୍ତି । ଏଭଳି ଅପ୍ରୀତିକର ପରିସ୍ଥିତି ନହେବା କଥା ହୋଇଗଲା । କଲମ ଛାଡ଼ ଆନ୍ଦୋଳନର ସମାଧାନ ହୋଇଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମହାନଗର ନିଗମ ଅଫିସ୍ରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ଓଏଏସ୍ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ଯ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଜରୁରୀକାଳୀନ ବୈଠକ ଡାକିଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରୀ ବିଭୂତି ଜେନା ମଧ୍ୟ ଉପସ୍ଥିତ ଥିଲେ ।
You Can Read:
ଆସନ୍ତା ୬ ତାରିଖ ଯାଏଁ ଲାଗି ରହିବ ବର୍ଷା, ଅପରାହ୍ନରେ ଟ୍ବିନ୍ସିଟିରେ ପ୍ରବଳ ବର୍ଷା ସମ୍ଭାବନା