ସଫଳ ହେଲା ୧୭ ବର୍ଷର ପରିଶ୍ରମ, ଚେନାବ ଉପରେ ଗଢ଼ିଦେଲେ ବିଶ୍ୱର ସର୍ବବୃହତ ସେତୁ

Published By : Prameya-News7 Bureau | June 08, 2025 IST

News7

ନୂଆଦିଲ୍ଲୀ: ଚମତ୍କାରୀ ଇଂଞ୍ଜିନିୟରିଂ କୌଶଳରେ ନିର୍ମିତ। ଚେନାବ ଉପରେ ଛିଡ଼ା ହେଲା ବିଶ୍ୱର ସର୍ବବୃହତ ସେତୁ। ଯାହା ପାଇଁ ଗର୍ବ କରୁଛି ଭାରତ, ଏହା ପଛରେ ରହିଛି ୧୭ ବର୍ଷର ପରିଶ୍ରମ। IIScର ପ୍ରଫେସର ଡକ୍ଟର ଜି ମାଧବୀ ଲତା। ଅସୀମ ଜ୍ଞାନର ଅଧିକାରୀ। ନିର୍ମାତା ନୁହଁନ୍ତି ତ ସ୍ୱୟଂ ବିଶ୍ୱକର୍ମା। ଗଢ଼ିଦେଲେ ବିଶ୍ୱର ସବୁଠାରୁ ଉଚ୍ଚ ଏକକ-ଆର୍ଚ ରେଳ ସେତୁ। ନଦୀ ପାହାଡିଆ ପରି ସବୁ ସମସ୍ୟାକୁ ଆସିଥିଲେ ବି ତାଙ୍କର ପରିଶ୍ରମ ଆଗରେ ହାର ମାନିଛି।

ଜୁନ୍ ୬ ତାରିଖ। ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା। ଚେନାବ ରେଳ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରକଳ୍ପ ୨୭୨ କିଲୋମିଟର ଲମ୍ବ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ (USBRL)ର ଏକ ଅଂଶ। ଏହି ସେତୁର ସଫଳ ନିର୍ମାଣରେ ପ୍ରଫେସର ଜି ମାଧବୀ ଲତାଙ୍କ ରହିଛି ବଡ଼ ଅବଦାନ। 1315 ମିଟର ଲମ୍ବା ସେତୁ ଆଇଫେଲ୍ ଟାୱାର ଅପେକ୍ଷା ୩୫ ମିଟର ଛୋଟ। ଏହାର ଜୀବନକାଳ ୧୨୦ ବର୍ଷ। ୨୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବେଗ ଏବଂ ଭୂକମ୍ପ କାର୍ଯ୍ୟକଳାପକୁ ସହ୍ୟ କରିବା ପାଇଁ ନିର୍ମିତ, ଏହି ସେତୁ ୧୪୮୬ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି।

ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ (IISc)ର ପ୍ରଫେସର ମାଧବୀ ଲତା। ଚେନାବ ସେତୁର ଡିଜାଇନ୍ ଏବଂ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମାଧବୀ। ସେ ୧୯୯୨ ମସିହାରେ ଜବାହରଲାଲ ନେହେରୁ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ। ଏହା ପରେ, ସେ NIT ୱାରାଙ୍ଗଲରୁ MTechରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ୨୦୦୦ ମସିହାରେ IIT ମାଡ୍ରାସରୁ ତାଙ୍କର PhD ସମାପ୍ତ କରିଥିଲେ। ଆଜି ସେ IIScରେ ଜଣେ ବରିଷ୍ଠ ପ୍ରଫେସର। ସେ ୨୦୨୧ରେ ଶ୍ରେଷ୍ଠ ମହିଳା ଭୂ-ବୈଷୟିକ ଗବେଷକ ଏବଂ ୨୦୨୨ରେ STEAMରେ ଶ୍ରେଷ୍ଠ ୭୫ ମହିଳା ଉପାଧି ମଧ୍ୟ ପାଇଥିଲେ।

28 ମଇ 2025 ରେ, ଭାରତୀୟ ଭୂ-ବୈଷୟିକ ଜର୍ଣ୍ଣାଲର ମହିଳା ବିଶେଷାଙ୍କରେ "ଡିଜାଇନ୍ ଆଜ୍ ୟୁ ଗୋ: ଦି କେସ୍ ଷ୍ଟଡି ଅଫ୍ ଚେନାବ ରେଲଓ୍ୱେ ବ୍ରିଜ୍" ନାମକ ଶୀର୍ଷକ ପ୍ରକାଶିତ ହୋଇଥିଲା। ଡକ୍ଟର ଲତାଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ଗତ ୧୭ ବର୍ଷ ମଧ୍ୟରେ ସେତୁ ନିର୍ମାଣରେ ଚ୍ୟାଲେଞ୍ଜ ଏବଂ ପ୍ରମୁଖ ଶିକ୍ଷାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛି। ଡକ୍ଟର ଲତା, IIT-ମାଡ୍ରାସର ପୂର୍ବତନ ଛାତ୍ର। 2004 ରେ IIScରେ ଯୋଗଦେବା ପୂର୍ବରୁ IIT-ଗୌହାଟିରେ ପାଠପଢ଼ା କରିଥିଲେ। ମାଇକ୍ରୋସ୍କୋପିକ୍ ଜିଓମେକାନିକ୍ସ, ସ୍ଥାୟୀ ମାଟି ଦୃଢ଼ୀକରଣ, ଭୂମିକମ୍ପ ଜିଓଟେକ୍ନିକାଲ୍ ଇଞ୍ଜିନିୟରିଂ ଏବଂ ରକ୍ ଇଞ୍ଜିନିୟରିଂ ଉପରେ ଗବେଷଣା କରୁଛନ୍ତି। ସେ ଭାରତୀୟ ଭୂ-ବୈଷୟିକ ସମାଜରୁ ଭୂ-ବୈଷୟିକ ଇଞ୍ଜିନିୟରିଂରେ ଶ୍ରେଷ୍ଠ ମହିଳା ଗବେଷକ ପୁରସ୍କାର ପାଇବାରେ ପ୍ରଥମ। ସେ IIScର ପ୍ରଫେସର SK ଚାଟାର୍ଜୀ ଉତ୍କୃଷ୍ଟ ଗବେଷକ ପୁରସ୍କାର, କର୍ଣ୍ଣାଟକ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ଓ୍ୱିମେନ ଆଚିଭର୍ସ ଆଓ୍ୱାର୍ଡ ଏବଂ SERB POWER ଫେଲୋସିପ୍ ମଧ୍ୟ ପାଇଛନ୍ତି। ସେ STEAM ଅଫ୍ ଇଣ୍ଡିଆର ଶ୍ରେଷ୍ଠ ୭୫ ଜଣ ମହିଳାଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଅବଦାନକୁ ଯୁଗେ ଯୁଗେ ମନେ ରଖିବ ଭାରତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.