ସରିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଗଣତି, ଜାଣନ୍ତୁ କେତେ ମିଳିଲା ଦାନ ଅର୍ଥ ?

Published By : Prameya-News7 Bureau | July 07, 2025 IST

ରାୟଗଡ଼ା: ଦୀର୍ଘ ୮ ଘଣ୍ଟାର ଗଣତି ପରେ ଶେଷ ହେଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ୯ଟି ହୁଣ୍ଡିର ଗଣତି । ଗଣତି ଶେଷରେ ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳିଛି । ଦୀର୍ଘ ୮ ଘଣ୍ଟା ଧରି ୨୦୦ ରୁ ଉର୍ଦ୍ଧ୍ବ ସ୍ୱଚ୍ଛସେବୀ ଏହି ଗଣତିରେ ସାମିଲ ହୋଇଥିଲେ । ସୋମବାର ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଥିଲା। ୬ ମାସ ପରେ ଖୋଲା ଯାଇଥିଲା ମନ୍ଦିର ହୁଣ୍ଡି। 

ତେବେ ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୋଲିସଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଥିଲା। ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ  କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ। 

ଏହି ଅର୍ଥକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯାଇଛି। ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.