ଆମେରିକାରେ ସର୍ବାଧିକ ଭାରତୀୟ ବଂଶୋବଦ୍ଭବ ଅବରପତି, ଦେଉଛନ୍ତି ୨୫ ଲକ୍ଷ କୋଟିର ଟିକସ

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ ୧୧।୦୭; ବିକଶିତ ଦେଶ ଆମେରିକା । ଆମେରିକାର ଧନୀ ହେବା ପଛରେ ରହିଛି ଭାରତୀୟଙ୍କ ହାତ। ଆମେରିକାରେ ଭାରତୀୟମାନେ ଦ୍ୱିତୀୟ ସର୍ବବୃହତ ଏସୀୟ ସମ୍ପ୍ରଦାୟ।  ପ୍ରବାସୀ ଭାରତୀୟମାନେ ଆମେରିକାକୁ ଧନୀ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ସେଠାରେ ରହୁଥିବା ବିଦେଶୀ ଅରବପତିଙ୍କ ମଧ୍ୟରେ ସବୁଠୁ ଅଧିକ ସଂଖ୍ୟକ ଏବେ ଭାରତୀୟ । 

ଆମେରିକା ଜନଗଣନା ସର୍ଭେ ଅନୁଯାୟୀ, ପ୍ରାୟ ୫.୨ ନିୟୁତ ଭାରତୀୟ ଆମେରିକାରେ ବାସ କରନ୍ତି। ଆମେରିକାରେ ଏସୀୟ ଜନସଂଖ୍ୟାର ପ୍ରାୟ ୨୧% ଭାରତୀୟ-ଆମେରିକୀୟ। ଆମେରିକାରେ ଭାରତୀୟ-ଆମେରିକୀୟ ବ୍ୟବସାୟିକ ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ହାସଲ କରିଛନ୍ତି। ଆକଳନ ଅନୁଯାୟୀ, ୨୦୨୫ ଶେଷ ସୁଦ୍ଧା, ଫୋବର୍ସ ପକ୍ଷରୁ ଆମେରିକାରେ ରହୁଥିବା ୧୨୫ ସବୁଠାରୁ ଧନୀ ବିଦେଶୀ ନାଗରିକଙ୍କ ଏକ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଇସ୍ରାଏଲ, ଚୀନ୍‌ ଏବଂ ତାଇୱାନ୍‌କୁ ପଛରେ ପକାଇ ଭାରତ ୧୨ ଜଣ ଅରବପତିଙ୍କ ସହ ପ୍ରଥମ ସ୍ଥାନରେ ରହିଛି । 

ଆମେରିକାରେ ସବୁଠାରୁ ଧନୀ ଭାରତୀୟ ହେଉଛନ୍ତି ଜୟ ଚୌଧୁରୀ । ତାଙ୍କ ନେଟ୍‌ ସମ୍ପତ୍ତି ୧୭.୯ ବିଲିୟନ ଡଲାର ବା ୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ । ସେହିଭଳି ତାଲିକାରେ ଦକ୍ଷିଣ ଆଫ୍ରିକାରୁ ଆସି ଆମେରିକାରେ ଅବସ୍ଥାପିତ ଏଲନ୍‌ ମସ୍କ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ନେଟ୍‌ ସମ୍ପତ୍ତି ହେଉଛି ୩୩.୮୨ ଲକ୍ଷ କୋଟି ଟଙ୍କା । ୧୧.୯୭ ଲକ୍ଷ କୋଟି ଟଙ୍କାର ନେଟ୍‌ ସମ୍ପତ୍ତି ସହ ରୁଷର ସର୍ଗି ବ୍ରିନ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ତାଇୱାନ୍‌ର ଜେନ୍‌ସେନ୍‌ ହୁଆଙ୍ଗ । ତାଙ୍କ ନେଟ୍‌ ସମ୍ପତ୍ତି ହେଉଛି ୧୨.୨୪ ଲକ୍ଷ କୋଟି ଟଙ୍କା । ଆମେରିକାରେ ରହୁଥିବା ସବୁଠୁ ଧନୀ ୩ ଜଣ ଭାରତୀୟ ପ୍ରବାସୀ ହେଲେ ଜୟ ଚୌଧୁରୀ, ବିନୋଦ ଖୋସ୍‌ଲା ଏବଂ ରାକେଶ ଗଙ୍ଗୱଲ । ତେବେ କେମିତି ଥିଲା ଏହି ଅରବପତିଙ୍କ ଭାରତରୁ ଆମେରିକା ଯାତ୍ରା ଆସନ୍ତୁ ଜାଣିବା ।

ହିମାଚଳ ପ୍ରଦେଶର ଏକ ଛୋଟ ଗାଁରୁ ବାହାରିଆସି ଆମେରିକାରେ ସଫଳ ବ୍ୟବସାୟୀ ହୋଇଛନ୍ତି ଜୟ ଚୌଧୁରୀ । ସେ ଆଇଆଇଟି ବିଏଚ୍‌ୟୁ ବାରାଣାସୀରୁ ପାଠ ପଢ଼ିଛନ୍ତି । ପରେ ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟୀରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ୧୯୮୦ରେ ଆମେରିକାରେ ଆସିଥିବା ଜୟ ଚୌଧୁରୀ ଅନେକ ଟେକ୍ନୋଲୋଜି କମ୍ପାନି ଆରମ୍ଭ କରିଥିଲେ। ଯେଉଁଥିରୁ ସବୁଠାରୁ ପ୍ରମୁଖ ହେଉଛି ସାଇବର ସିକ୍ୟୁରିଟି କମ୍ପାନି ଜସ୍କେଲେର । ଜସ୍କେଲେରର ସିଇଓ ଏବଂ ଅଧ୍ୟକ୍ଷ ଭାବେ ସେ କମ୍ପାନିକୁ ବିଶ୍ୱସ୍ତରରେ ସ୍ଥାପନ କରିଥିଲେ । ସେହିଭଳି ପୁଣେର ବିନୋଦ ଖୋସ୍‌ଲା ଜଣେ ସଫଳ ଉଦ୍ୟୋଗୀ ଏବଂ ଭେଞ୍ଚର୍‌ କ୍ୟାପିଟାଲିଷ୍ଟ । ୧୯୮୨ରେ ସେ ସନ୍‌ ମାଇକ୍ରୋସିଷ୍ଟମ୍ସର ସ୍ଥାପନ କରିଥିଲେ । କୋଲକାତାର ରାକେଶ ଗଙ୍ଗୱଲ ଇଣ୍ଡିଗୋ ଏୟାର୍‌ଲାଇନ୍ସର ସହ-ପ୍ରତିଷ୍ଠାତା । ନିଜର ଆଭିଏସନ୍‌ କ୍ୟାରିୟର ସେ ୟୁନାଇଟେଡ୍‌ ଏୟାର୍‌ଲାଇନ୍ସରୁ ଆରମ୍ଭ କରିଥିଲେ ଏବଂ ପରେ ୟୁଏସ୍‌ ଏୟାର୍‌ୱେଜ୍‌ର ସିଇଓ ଏବଂ ଅଧ୍ୟକ୍ଷ ରହିଥିଲେ । ୨୦୦୬ରେ ସେ ରାହୁଲ ଭାଟିଆଙ୍କ ସହ ମିଶି ଇଣ୍ଡିଗୋର ସ୍ଥାପନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.